କନକ ବ୍ୟୁରୋ: ପୁରୀ ଜିଲ୍ଲା ସତ୍ୟବାଦୀରେ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ଦାବି ହୋଇଛି । ଏଥିସହିତ ଘଟଣା ପଛରେ ‌ଆଉ କେଉଁମାନେ ଅଛନ୍ତି, ସେନେଇ ଉଚିତ ତଦନ୍ତ ହେବା ଦରକାର ବୋଲି ବିଭିନ୍ନ ମହଲରେ କୁହାଯାଉଛି । ଅନ୍ୟ ପକ୍ଷରେ କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ଏହା ପ୍ରାୟୋଜିତ ବୋଲି ଦାବି କରିଛନ୍ତି।

Advertisment

ବରିଷ୍ଠ ବିଜେଡି ନେତା ଲେନିନ୍‌ ମହାନ୍ତି କହିଛନ୍ତି, ପଞ୍ଚସଖାର ମାଟି ତଥା ସାହିତ୍ୟର ମାଟି ‘ସତ୍ୟବାଦୀ’ରେ ୫ଟି ସଚିବଙ୍କ ଉପରକୁ କାଳିମାଡ଼ କରାଯିବା ଘଟଣା ନେଇ ମୁଁ ମର୍ମାହତ। ସୁସ୍ଥ ମସ୍ତିସ୍କ ଥିବା ଲୋକ ଏଭଳି ଘୃଣ୍ୟ କାମ କରିପାରିବ ନାହିଁ। ସାଧାରଣ ଲୋକଟିଏ ଯାହା ଚାହୁଁଛି, ଭିକେ ପାଣ୍ଡିଆନ୍‌ ତାହା କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୁରୀ ଶ୍ରୀମନ୍ଦିରରେ ଯେଉଁ ବିକାଶ କାମ ହୋଇଛି, ତାହାର ନେତୃତ୍ବ ନେଇଛନ୍ତି ଭିକେ ପାଣ୍ଡିଆନ। ସେ ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତ କରୁଛନ୍ତି, ଲୋକଙ୍କ ସହିତ ମିଶୁଛନ୍ତି। ଲୋକଙ୍କୁ ପ୍ରୋତ୍ସାହନ ଦେଉଛନ୍ତି। ସେ ଓଡ଼ିଶାର ଉନ୍ନତି ପାଇଁ କାମ କରୁଛନ୍ତି। ଓଡ଼ିଶାର ପ୍ରଗତିକୁ ଯେଉଁମାନେ ସହି ପାରୁ ନାହାନ୍ତି, ସେହି ଲୋକମାନେ ହିଁ ଏଭଳି କାମ କରୁଛନ୍ତି। ଆଜି ସତ୍ୟବାଦୀରେ ଜଣେ ବ୍ୟକ୍ତି ଲୁଚିଲୁଚି ଆସି ଏଭଳି ଘୃଣ୍ୟ କାମ କରିଛି।

ସେହିପରି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଟୁଇଟ୍‌ କରି କହିଛନ୍ତି, ମାଆମାନେ ମୁହଁ ପୋଛି କାଳି ସଫା କରିଥିଲେ। ଭଲ ପାଇବା ଓ ସମର୍ଥନ ଜଣାଇଥିଲେ। ଓଡ଼ିଶାବାସୀ ଶାନ୍ତି ଓ ସଦଭାବନାରେ ବିଶ୍ବାସ ରଖନ୍ତି। ଏଭଳି ଘଟଣା ଓଡ଼ିଶାବାସୀ କେବେ ସହିପାରିବେ ନାହିଁ। ନାରୀଶକ୍ତି ଏହାକୁ ତୀବ୍ର ବିରୋଧ କରିଛି। ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି, ବିଜେପି କର୍ମୀଙ୍କ ଏହା ଏକ ନିନ୍ଦନୀୟ ଘଟଣା। ବିକାଶର ଗତିରୋଧ ପାଇଁ ଏଭଳି କରିଛନ୍ତି। ସତ୍ୟବାସୀ ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି, ଅଭିଯୁକ୍ତ ଭାସ୍କର ସାହୁ ଘୃଣ୍ୟ କାମ କରିଛି। ଗତ ପଞ୍ଚାୟତ ନିର୍ବାଚନରେ ସେ ବିଜେପି ସମର୍ଥନରେ ସମିତି ସଭ୍ୟ ପ୍ରାର୍ଥୀ ଥିଲା।

ସେପଟେ କାଳିମାଡ଼ ଘଟଣା ନେଇ କଂଗ୍ରେସ ପ୍ରତିକ୍ରିୟା ରଖିଛି। ସୌମ୍ୟରଂଜନଙ୍କ ଆମ ଘର ହାଲଚାଲ ପରେ ଏହା ବିଜେଡିର ଏକ ପ୍ରାୟୋଜିତ କାର୍ଯ୍ୟ ବୋଲି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି। ନବ ଦାସଙ୍କ ମୃତ୍ୟୁ ପରେ ପଣ୍ଡିଆନଙ୍କ ସୁରକ୍ଷାକୁ କଡ଼ା କରାଯାଇଛି। କୋଟିକୋଟି ଟଙ୍କା ତାଙ୍କ ପ୍ରତି ଖର୍ଚ୍ଚ ମଧ୍ୟ ହେଉଛି। ଏହାକୁ ନେଇ ଶାସକ ଦଳ ନେତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଲେଖା ପଣ୍ଡିଆନକୁ ଅଡ଼ୁଆରେ ପକାଉଛି। ଏଣୁ ଏପରି ଖେଳ ଖେଳିଛି ବିଜେଡି। ଏପରି କହିବାର ଅର୍ଥ ହେଉଛି ଯେ- ଯେତେବେଳେ ତାଙ୍କ ପ୍ରତିକ୍ରିୟା ସାଧାରଣ ଥିଲା। ସେ ହସୁଥିଲେ, ଯାହାକି ଅସ୍ବାଭାବିକ ଥିଲା। ଏହାସହ ସଙ୍ଗେ ସଙ୍ଗେ କିଛି ମହିଳା ତାଙ୍କ ପଣତରେ କାଳି ପୋଛି ଦେଉଥିଲେ। ତେବେ ଏହା କଣ ପ୍ରାୟୋଜିତ ନୁହେଁ? ଏହାସହ କାଳି ମାରିଥିବା ଯୁବକ ପୂର୍ବରୁ ବିଜେଡିରେ ସାମିଲ ଥିଲା। ତେଣୁ ଏହା ସମ୍ପୂର୍ଣ୍ଣ ଏକ ପ୍ରାୟୋଜିତ ଘଟଣା ।

ସେହିପରି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ମୁଁ ଏହାକୁ ନାପସନ୍ଦ କରୁଛି। ଯେତେବେଳେ ଗଣତନ୍ତ୍ର ପ୍ରତି ବିପଦ ଦେଖାଯାଏ,ଅଗଣତାନ୍ତ୍ରିକ ଉପାୟରେ ଶାସନ ଚାଲେ ସେତେବେଳେ ଲୋକେ ପ୍ରତିବାଦ କରନ୍ତି। ପ୍ରତିବାଦ ସ୍ୱାଗତଯୋଗ୍ୟ,ଅହିଂସା ଉପାୟରେ କରିବା ଉଚିତ। ଅନୁସନ୍ଧାନ କଲେ ଏହା ପ୍ରାୟୋଜିତ କି ନୁହେ ତାହା ଜଣାପଡିବ।

୫ଟି ସଚିବଙ୍କ ଉପରେ ହୋଇଥିବା କାଳିମାଡ଼ ଘଟଣାକୁ ଚାରିଆଡେ ନିନ୍ଦା କରାଯାଉଛି। କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଓଡ଼ିଶା ସଚିବାଳୟ ସେବାସଂଘ କାଳିମାଡ଼କୁ ନିନ୍ଦା କରିଛି। ଭିକେ ପାଣ୍ଡିଆନ ଜଣେ ଦକ୍ଷ ପ୍ରଶାସକ। ସଚିବ ସରକାରୀ କାର୍ଯ୍ୟ ତୁଲାଉଥିବା ବେଳେ ଏଭଳି କାଣ୍ଡ ନିନ୍ଦନୀୟ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଭିକେ ପାଣ୍ଡିଆନ ଗସ୍ତ କରୁଛନ୍ତି। ତେଣୁ ସତ୍ୟବାଦୀରେ ଯେଉଁ ଅଘଟଣ ଘଟିଲା। ଏହାରି ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ୫ଟି କାର୍ଯ୍ୟକାରୀ ହେବା ଦ୍ବାରା ସରକାରୀ କର୍ମଚାରୀ ସଚେତନ ହୋଇଛନ୍ତି। ରାଜ୍ୟର ଉନ୍ନତି ଆସିଛି। ୫ଟି ଅଧିନରେ ହେଉଥିବା କାର୍ଯ୍ୟ ଲୋକଙ୍କର ହୀତ ପାଇଁ। ଏହାର ଦାୟିତ୍ବ ନେଉଥିବା ଜଣେ ଅଧିକାରୀଙ୍କ ଉପରେ ହୋଇଥିବା କାମ ନିନ୍ଦନୀୟ ବୋଲି ଅନେକ କହୁଛନ୍ତି।

ସୂଚନାଯୋଗ୍ୟ, ଭିକେ ପାଣ୍ଡିଆନ୍‌ ଦୁଇଦିନିଆ ପୁରୀ ଗସ୍ତରେ ଯାଇଥିଲେ। ଏହି ଅବସରରେ ସେ ସତ୍ୟବାଦୀରେ ପହଞ୍ଚିଥିଲେ। ସ୍ଥାନୀୟ ୟୁଜିଏସ୍‌ କଲେଜରେ ଆୟୋଜିତ କାର୍ଯ୍ୟକ୍ରମସ୍ଥଳକୁ ଯାଉଥିବା ବେଳେ ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ବଡ଼ାଲ ନିବାସୀ ଭାସ୍କର ସାହୁ କାଳିମାଡ଼ କରିଥିଲେ।