ରେକର୍ଡ ହାରରେ ପାସ୍ ପରେ ଉଚ୍ଚଶିକ୍ଷା ନେଇ ଚିନ୍ତା : ଯୁକ୍ତ ଦୁଇ ରେଜଲ୍ଟକୁ ନେଇ ପ୍ରଶ୍ନ ଉଠାଇଲେ ଶିକ୍ଷାବିତ୍;କହିଲେ, ନମ୍ବର ପ୍ରାୟତଃ ସମାନ ଥିବାରୁ ଅନର୍ସ ପାଇବାରେ ଆସିବ ସମସ୍ୟା

223

କନକ ବ୍ୟୁରୋ : ବିନା ପରୀକ୍ଷାରେ ଯୁକ୍ତ ଦୁଇ ପରୀକ୍ଷା ଫଳ ଉଚ୍ଚଶିକ୍ଷାରେ ବାଧା ସୃଷ୍ଟି କରିପାରେ । ଏହି ଆଶଙ୍କା ଜାହିର କରିଛନ୍ତି ଶିକ୍ଷାବିତ୍ ପ୍ରୀତିଶ ଆଚାର୍ଯ୍ୟ । ସେ କହିଛନ୍ତି, ପରୀକ୍ଷା ଦେଇଥିଲେ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ପାସ୍ କରିନଥାନ୍ତେ କି ପିଲାଙ୍କ ଏତେ ମାର୍କ ଆସିନଥାନ୍ତା । ଉଚ୍ଚଶିକ୍ଷାରେ ଅନର୍ସ ନେବାରେ ଓ ଆଡମିଶନ ହେବାରେ ସମସ୍ୟା ସୃଷ୍ଟି ହୋଇପାରେ । ବହୁତ ପିଲାଙ୍କ ମାର୍କ ସମାନ ଥିବାରୁ ଆଡମିଶନରେ ସମସ୍ୟା ହେବ ।

ସେହିପରି ସରକାର ସିଟ ବଢାଇବାକୁ ବିକଳ୍ପ ଭାବେ ଚିନ୍ତା କଲେ ସେହି ଅନୁପାତରେ ଶିକ୍ଷକ ଓ ଭିତିଭୂମି ବଢାଇବାକୁ ପଡିବ । ନଚେତ ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ପାଇବ । ଗତକାଲି ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ବାହାରିଛି । ତେବେ ବିଭିନ୍ନ କାରଣରୁ ଏଥର ୧୧୮୪ ଜଣଙ୍କ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ସ୍ଥଗିତ ରଖାଯାଇଛି । ବିଜ୍ଞାନ ବିଭାଗ ରେଗୁଲାରରେ ୯୦, ଏକ୍ସରେଗୁଲାରରେ ୭୧୦ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ସ୍ଥଗିତ ରହିଛି । ସେହିପରି ବାଣିଜ୍ୟ ବିଭାଗ ରେଗୁଲାରରେ ୮୯ ଓ ଏକ୍ସ ରେଗୁଲାରରେ ୨୯୫ ଜଣ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଯାଇ ନାହିଁ ।

ଏହି ୧୧୮୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୩୯ ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ କୌଣସି ତଥ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିକଟରେ ନାହିଁ । ଅର୍ଥାତ ସେମାନେ ପୂର୍ବରୁ ପରିଷଦର କୌଣସି ବି ବାର୍ଷିକ ପରୀକ୍ଷା ଦେଇନାହାନ୍ତି । ଯେଉଁଥିପାଇଁ ସେମାନଙ୍କ ଫଳ ସ୍ଥଗିତ ରହିଛି । ଆଗକୁ ହେବାକୁ ଥିବା ଅଫଲାଇନ ପରୀକ୍ଷାରେ ଏହି ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।