ମାଓବାଦୀଙ୍କ କବଜାରୁ ଯବାନ ରାକେଶ୍ୱର ସିଂ ମୁକୁଳିବା ପରେ ଖୁସିରେ ଆତ୍ମହରା ହେଲେ ଯବାନଙ୍କ ପତ୍ନୀ । କହିଲେ ଆଜି ମୋ ପାଇଁ ଭାରି ଖୁସିର ଦିନ ।

368

କନକ ବ୍ୟୁରୋ : ‘ହିମ୍ମତ ହରାଇନଥିଲି, ଧୈର୍ଯ୍ୟ ରଖିଥିଲି । ମୋ ସ୍ୱାମୀ ଫେରିଆସିବେ ବୋଲି ବିଶ୍ୱାସ ଥିଲା, କିନ୍ତୁ କେବେ ଫେରିବେ ଜଣାନଥିଲା । ଆଜି ଆମେ ବହୁତ ଖୁସି । ସରକାର କିଛି କହୁନଥିଲେ, କିନ୍ତୁ ତାଙ୍କ କାମ କରୁଥିଲେ । ଏହା ଆମ ପାଇଁ ବଡ଼ କଠିନ ସମୟ ଥିଲା ।’ କୋବ୍ରା ବାଟାଲିୟନର ବୀର ଯବାନ ରାକେଶ୍ୱର ସିଂହ ମନହାସ ମାଓବାଦୀଙ୍କ କବଳରୁ ମୁକୁଳିବା ପରେ କିଛି ଏମିତି ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ସ୍ତ୍ରୀ ।

ବିଜାପୁରରେ ନକ୍ସଲ ଆକ୍ରମଣ ପରେ ଏପ୍ରିଲ ୩ ତାରିଖରୁ ଅପହୃତ ହୋଇଥିବା ଯବାନ ରାକେଶ୍ୱର ସିଂହ ମନହାସ ଆଜି ମାଓବାଦୀଙ୍କ କବଳରୁ ମୁକୁଳିଛନ୍ତି । ଗତ ଏପ୍ରିଲ ୩ ତାରିଖରେ ଛତିଶଗଡର ବିଜାପୁର ଅଂଚଳରେ ସୁରକ୍ଷାକର୍ମୀ ଓ ନକ୍ସଲମାନେ ମୁହାଁମୁହିଁ ହୋଇଥିଲେ  । ଏଥିରେ ଦୁଇ ପଟରୁ ଜୋରଦାର ଗୁଳି ବର୍ଷା ହୋଇଥିଲା । ଏଥିରେ ୨୨ ଜଣ ଯବାନ ମଧ୍ୟ ସହିଦ ହୋଇଥିଲେ । ହେଲେ ଏହା ପରଠାରୁ କୋବ୍ରା ଯବାନ ରାକେଶ୍ୱର ନିଖୋଜ ଥିଲେ । ଏହାପରେ ମାଓବାଦୀମାନେ ରାକେଶ୍ୱରଙ୍କୁ ଅପହୃତ କରିନେଇଥିବା ନେଇ ଖବର ଆସିଥିଲା । ଗତକାଲି ମାଓବାଦୀମାନେ ଅପହୃତ ଯବାନଙ୍କ ଏକ ଫଟୋ ଜାରି କରିବା ସହିତ ସେ ସୁସ୍ଥ ଥିବା ନେଇ ସୂଚନା ଦେଇଥିଲେ । ହେଲେ ସରକାରଙ୍କୁ ଆଲୋଚନା ପାଇଁ ମଧ୍ୟସ୍ଥି ଚୟନ କରିବାକୁ ମାଓବାଦୀମାନେ ଦାବି କରିଥିଲେ । ଏବେ ଯବାନଙ୍କୁ ମାଓବାଦୀମାନେ ଛାଡି ଥିବା ନେଇ ଖବର ମିଳିଛି ।