ପଜିଟିଭ ଚିହ୍ନଟ ପରେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ କନକ ନ୍ୟୁଜକୁ ପ୍ରତିକ୍ରିୟା: କହିଲେ, ତାଙ୍କଠାରେ ନଥିଲା କରୋନା ଲକ୍ଷଣ; ଭୂତାଣୁ ନେଇ ଭୟଭୀତ ନହେବାକୁ ଦେଲେ ପରାମର୍ଶ

809

କନକ ବ୍ୟୁରୋ: ରାଜ୍ୟରେ ପ୍ରଥମଥର ପାଇଁ ଜଣେ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ନୀଳଗିରି ବିଧାୟକ ସୁକାନ୍ତ ନାୟକ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ଏହାପରେ କରୋନା ସଂକ୍ରମଣ ନେଇ ସୁକାନ୍ତ ନାୟକ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ତାଙ୍କ ଠାରେ ଭୂତାଣୁର କୌଣସି ଲକ୍ଷଣ ନଥିଲା । ନିଜେ ସ୍ୱତଃପ୍ରବୃତ ଭାବେ ଯାଇ ସେ ଟେଷ୍ଟ କରିଛନ୍ତି । ତେବେ କରୋନାରେ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ସୁକାନ୍ତ । ଏହି ରୋଗରେ ସମସ୍ତେ ସୁସ୍ଥ ହୋଇପାରିବେ । ସମସ୍ତେ ସାମାଜିକ ଦୂରତା ସହ ଅନ୍ୟ ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ନୀଳଗିରି ବିଧାୟକ ।

ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୫୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୪ ଜଣଙ୍କ ମୃତ୍ୟୁ ହୋଇଛି । ଗଂଜାମରୁ ୩ ଜଣ, କଟକରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ୫୭୧ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୪୦୩ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ଅଂଚଳର ୧୬୮ ଜଣ ଅଛନ୍ତି । ଗଂଜାମରୁ ସର୍ବାଧିକ ଆକ୍ରାନ୍ତ ୨୭୩ ଚିହ୍ନଟ ହୋଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୦ ହଜାର ୯୭ରେ ପହଚିଂଛି । ୫୭୧ ଆକ୍ରାନ୍ତଙ୍କ ମଧ୍ୟରୁ ଗଜପତିରୁ ୫୬,ଜଗତସିଂହପୁରରୁ ୧୭, ମୟୁରଭଂଜରୁ ୧୪, ବାଲେଶ୍ୱରରୁ ୨୮, ରାୟଗଡାରୁ ୧୦,ସୁନ୍ଦରଗଡରୁ ୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରେ ଆଜି ୩୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଳ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଛି । ଏଯାଏ ରାଜ୍ୟରେ ୬ ହଜାର ୪୮୬ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩ ହଜାର ୫୫୭ ।