ରାଜ୍ୟର ୯ଟି ବୁଥରେ ଆଜି ସାନି ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ

ନିଜ ନିଜ ମତଦାନ କେନ୍ଦ୍ରକୁ ଯାଇ ମତ ଅଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର; ଉଭୟ ଲୋକସଭା ଓ ବିଧାନସଭା ପାଇଁ ସଂଧ୍ୟା ୬ଟା ଯାଏଁ ଚାଲିବ ଭୋଟିଂ

142

କନକ ବ୍ୟୁରୋ: ଆଜି ରାଜ୍ୟର ୯ଟି ବୁଥରେ ସାନି ମତଦାନ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ କାରଣରୁ ବନ୍ଦ ହୋଇଥିବା ଏହି ୯ଟି ବୁଥରେ ସାନି ମତଦାନ ହେବା ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଏନେଇ ନିର୍ଦ୍ଦେଶ ଦେଇଥିଲେ ସିଇଓ ସୁରେନ୍ଦ୍ର କୁମାର ।

ସାନି ନିର୍ବାଚନ ହେଉଥିବା ୯ଟି ବୁଥ ଗୁଡିକ ମଧ୍ୟରେ ସୁନ୍ଦରଗଡର ୨ଟି, କନ୍ଧମାଳର ୨ଟି, ବରଗଡର ୪ଟି ଓ ଆସ୍କାର ଗୋଟିଏ ବୁଥ ରହିଛି । ସୁନ୍ଦରଗଡର ବଣାଇର ୧୨୯ ନମ୍ବର ବୁଥ୍, ସୁନ୍ଦରଗଡ ୨୧୩ ନମ୍ବର ବୁଥ୍, କନ୍ଧମାଳ ଦଶପଲ୍ଲାର ୨୧୦ ଓ ୨୨୨ ନମ୍ବର ବୁଥରେ ସାନି ମତଦାନ ହେଉଛି । ସେହିଭଳି ବରଗଡ ଅତାବିରାର ୨୩୫ ନମ୍ବର, ବରଗଡର ୬୮ ନମ୍ବର ବୁଥ, ପଦ୍ମପୁରର ୧୬ ନମ୍ବର ବୁଥ୍ ଓ ବ୍ରଜରାଜନଗରର ୨୫୪ ନମ୍ବର ବୁଥରେ ସାନି ମତଦାନ ହେଉଛି । ଅନ୍ୟପଟେ ଆସ୍କା ସୋରଡାର ୧୮୨ ନମ୍ବର ବୁଥରେ ମଧ୍ୟ ସାନି ମତଦାନ ଚାଲିଛି ।

ଏହି ୯ଟି ବୁଥରୁ କିଛି ସ୍ଥାନରେ ସକାଳ ୭ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବାକୁ ଥିବା ବେଳେ ଆଉ କିଛି ସ୍ଥାନରେ ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ । ସମ୍ବେଦନଶୀଳ ବୁଥ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।