କରୋନାର ତୃତୀୟ ଲହର ଆଶଙ୍କା ଭିତରେ ପୁଣେ ମେଡିକାଲ କଲେଜ ଗବେଷଣାରୁ ଆସିଲା ବଡ ତଥ୍ୟ । କୋଭିଡରୁ ସୁସ୍ଥ ହେବା ପରେ ଶରୀରରେ ବିକଶିତ ହେଉଛି ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତି

1,043

କନକ ବ୍ୟୁରୋ: କରୋନାରେ ତୃତୀୟ ଲହର ଚର୍ଚ୍ଚା ଭିତରେ ଆସିଛି ସଂକ୍ରମଣକୁ ନେଇ ଆଶ୍ୱସ୍ତିକର ଖବର । କୋଭିଡରୁ ସୁସ୍ଥ ବ୍ୟକ୍ତି ପୁଣିଥରେ ଆକ୍ରାନ୍ତ ହେବା ବିରଳ । କରୋନାରୁ ସୁସ୍ଥ ପରେ ଦେହରେ ବିକଶିତ ପ୍ରାକୃତିକ ରୋଗପ୍ରତିରୋଧକ ଶକ୍ତି ଲମ୍ବା ସମୟ ଯାଏଁ ସଂକ୍ରମଣକୁ ଏଡାଇବାକୁ ସକ୍ଷମ ।

କରୋନାରୁ ସୁସ୍ଥ ବ୍ୟକ୍ତି ପୁନଃସଂକ୍ରମିତ ହେବା ଆଶଙ୍କା ବହୁତ କମ୍ । ପୁଣେର ଡି.ୱାଇ. ପାଟିଲ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଗବେଷଣା କରି ପାଇଛି ଏଭଳି ତଥ୍ୟ । କରୋନାରୁ ସୁସ୍ଥ ହୋଇଥିବା ୧ହଜାର ୧୮୧ ଜଣଙ୍କୁ ଅନୁଧ୍ୟାନ କରି ଏହି ରିପୋର୍ଟ ଦେଇଛି ପୁଣେ ମେଡିକାଲ କଲେଜ । ଗତ ସେପ୍ଟେମ୍ବର କରୋନାରୁ ସୁସ୍ଥ ୧,୧୮୧ ଜଣଙ୍କ ମଧ୍ୟରୁ ଚଳିତ ବର୍ଷର ଜୁନ ସୁଦ୍ଧା କେବଳ ୧୩ ଜଣ ପୁନଃସଂକ୍ରମିତ ହୋଇଛନ୍ତି । ପୁନଃସଂକ୍ରମଣ ହାର ରହିଛି ୧.୨ ପ୍ରତିଶତ । ତେବେ ପୁଣି ଥରେ ଆକ୍ରାନ୍ତ ହେବା ପରେ ସେମାନଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖା ଦେଇଥିଲା ଓ ଶୀଘ୍ର ସୁସ୍ଥ ହୋଇଥିଲେ ।

ପୁଣେ ଷ୍ଟଡି ରିପୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ସଙ୍କେତ ଦେଉଛି । କରୋନାରୁ ସୁସ୍ଥ ଲୋକଙ୍କ ରୋଗପ୍ରତିରୋଧକ ଶକ୍ତ ଅଧିକ । ତେଣୁ ବିଶେଷଜ୍ଞ କହୁଛନ୍ତି ସରକାର ଆକ୍ରାନ୍ତ ହୋଇନଥିବା ଲୋକଙ୍କୁ ଟିକା ଦେଲେ, ଶୀଘ୍ର ସମୂହ ରୋଗ ପ୍ରତିରୋଧକ ଶକ୍ତି ବିକଶିତ ହେବ ଓ କରୋନା ମୁକାବିଲାରେ ସଫଳତା ମିଳିବ ।

ପୁଣେ ମେଡିକାଲ କଲେଜ କରିଥିବା ଷ୍ଟଡିର ନେତୃତ୍ୱ ନେଇଥିବା ଅମିତାଭ ବାନାର୍ଜୀ କହିଛନ୍ତି ଦେଶରେ ବିଭିନ୍ନ ସ୍ଥାନର ସିରୋ-ସର୍ଭେ ରିପୋର୍ଟ ଅନୁସାରେ ଦେଶର ୭୦ରୁ ୮୦ ପ୍ରତିଶତ ଲୋକଙ୍କ ପାଖରେ ରୋଗପ୍ରତିରୋଧକ ଶକ୍ତି ରହିଛି । ବଳକା ୨୦ରୁ ୩୦ ପ୍ରତିଶତ ଲୋକଙ୍କୁ ଟିକା ଦେଲେ କମ୍ ସମୟରେ ୧୦୦ପ୍ରତିଶତ ଲୋକଙ୍କ ଠାରେ ଇମ୍ୟୁନିଟି ବିକଶିତ ହୋଇପାରିବ । ସିରୋ-ସର୍ଭେ ରିପୋର୍ଟ ଅନୁସାରେ ୮୦ ପ୍ରତିଶତ ଲୋକଙ୍କ ଠାରେ ଇମ୍ୟୁନିଟି ଥିବାରୁ ଚଳିତବର୍ଷ ତୃତୀୟ ଲହର ଆସିବା ସମ୍ଭାବନା କମ୍ ବୋଲି କହିଛନ୍ତି ଅମିତାଭ ବାନାର୍ଜୀ ।

ସେପଟେ ଟାସ୍କଫୋର୍ସ ସଦସ୍ୟ ସଂଜୟ ପୁଜାରୀ କହିଛନ୍ତି, କରୋନାରୁ ସୁସ୍ଥ ବ୍ୟକ୍ତି ପୁଣିଥରେ ସଂକ୍ରମିତ ହେବା ସଂଖ୍ୟା ଅତି କମ । ସାରା ବିଶ୍ୱରେ ଏହି ଧାରା ଦେଖିବାକୁ ମିଳୁଛି । ତେବେ ନ୍ୟୁ ଭାରିଆଂଟ କ୍ଷେତ୍ରର କଣ ହେବ ସେନେଇ ଅଧିକ ଅନୁଧ୍ୟାନର ଆବଶ୍ୟକତା ରହିଛି ।

ନୂଆ ଭାରିଆଂଟକୁ ପ୍ରାକୃତିକ ଭାବେ କରୋନାରୁ ସୁସ୍ଥ ବ୍ୟକ୍ତିଙ୍କ ରୋଗପ୍ରତିରୋଧକ ଶକ୍ତି ମୁକାବିଲା କରିପାରୁଛି ନା ନାହିଁ ସେନେଇ ଅଧିକ ଅନୁଧ୍ୟାନର ଆବଶ୍ୟକତା ରହିଛି । ତେଣୁ କରୋନାରୁ ସୁସ୍ଥ ବ୍ୟକ୍ତି କରୋନା ଗାଇଡଲାଇନ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।