ବାତ୍ୟା ମୁକାବିଲା ପାଇଁ ଓଡିଶା ସଜାଗ । ଯାଜପୁରରେ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ସମୀକ୍ଷା । ଜିଲ୍ଲାର ସମସ୍ତ ବ୍ଲକ ସ୍ତରରେ କଂଟ୍ରୋଲରୁମ ଖୋଲିବାକୁ ନିର୍ଦ୍ଦେଶ

395

କନକ ବ୍ୟୁରୋ: ଯାଜପୁର ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ଫୋନିର ମୁକାବିଲା ପାଇଁ କେନ୍ଦ୍ରାଂଚଳ ରାଜସ୍ୱ କମିଶନର ଅନୀଲ ସାମଲଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । କେନ୍ଦ୍ରାଚଂଳ ଆରଡିସି ଗତକାଲି ସଂଧ୍ୟାରେ ଯାଜପୁରରେ ପହଂଚିବା ପରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଏକ ସମିକ୍ଷା ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଜିଲ୍ଲାର ସମସ୍ତ କର୍ମଚାରୀଙ୍କୁ ଛୁଟିକୁ ବାତିଲ କରାଯିବା ସହିତ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖି ବାତ୍ୟା ଆଶ୍ରୟ ସ୍ଥଳ ଭାବେ ଉପଯୋଗ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ କର୍ମଚାରୀଙ୍କର ଛୁଟି ବାତିଲ ସହ ଜିଲ୍ଲାସ୍ତର ଠାରୁ ବ୍ଲକ ସ୍ତର ପର୍ଯ୍ୟନ୍ତ କଂଟ୍ରୋଲ ରୁମ ଖୋଲିବା ପାଇଁ ଶ୍ରୀ ସାମଲ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଜିଲ୍ଲାର ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳକୁ ପ୍ରସ୍ୁତ କରି ରଖିବା ସହିତ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ଆରଡିସି ନିର୍ଦ୍ଦେଶ ଦେଇଛନ୍ତି । ଯେପରି ବାତ୍ୟାରେ କୌଣସି ଜଣେ ମଧ୍ୟ ମୁତ୍ୟୁର ଶୀକାର ନହୁଅନ୍ତି ସେଥିପାଇଁ ତଳିଆ ଅଂଚଳରେ ଥିବା ସମସ୍ତ ଲୋକମାନଙ୍କୁ ନିରାପଦ ସ୍ଥାନ ମାନଙ୍କୁ ସ୍ଥାନାନ୍ତର କରିବାକୁ ସମସ୍ତ ବିଡିଓ ଓ ତହସିଲଦାର ମାନଙ୍କୁ ସେ ପରାମର୍ଶ ଦେଇଥିଲେ ।

ଅମଳ ଧାନ ରହିବା ପାଇଁ ଲୋକେ ସରକାରୀ ସ୍କୁଲକୁ ବ୍ୟବହାର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ମାର୍କେଟରେ ଯେପରି କଳାବଜାର ନ ହୁଏ ସେଥିପ୍ରତି ଯୋଗାଣ ବିଭାଗ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶୁଖିଲା ଖାଦ୍ୟ ଯଥା ଚୁଡା ଓ ଗୁଡ ପ୍ରଚୁର ପରିମାଣର ମହଜୁଦ କରି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପାନୀୟ ଜଳ ସଂକଟକୁ ଏଡାଇବା ପାଇଁ ପାଣି ଟ୍ୟାଙ୍କର ଏବଂ ପାଣି ପାଉଚ ମହଜୁଦ କରିବା ସହିତ ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ଗଛ ଉପୁଡିବାର ସମ୍ଭାବନା ଥିବାରୁ ଏଥିପାଇଁ ସତର୍କତା ମୂଳକ ପଦକ୍ଷେପ ନେବାକୁ ନିଷ୍ପତି ହୋଇଛି ।

ଜିଲ୍ଲାର ସମସ୍ତ ପାୱାର ବୋଟ୍ କୁ ପ୍ରସ୍ତୁତ ସହ ଦେଶି ଡଙ୍ଗାର ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପର୍ଯ୍ୟାପ୍ତ ପରିମାଣର ଗୋଖାଦ୍ୟ ଏବଂ େଓøଷଧ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଡାକ୍ତରଖାନାରେ ଯେପରି ଲାଇନ ନ କଟେ ସେଥିପ୍ରତି ଧ୍ୟାନ ଦେବାକୁ ସିଡିଏଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨ଟି ଏନ.ଡି.ଆର.ଏଫ, ୧ଟି ଓଡ୍ରାପ୍ ଟିମ ସହ ଅଗ୍ନିଶମ ବିଭାଗ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ପରିଚାଳନା କରିବେ ବୋଲି ଶ୍ରୀ ସାମଲ ସୂଚନା ଦେଇଥିଲେ ।