ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ? ତାହା ଏବେ ବି ରହସ୍ୟ ଘେରରେ । ପୁଲିସ ଏବେ ମୁଖ୍ୟ ଅଭିଯୁକ୍ତ ରାକେଶକୁ ଗିରଫ କରି କୋର୍ଟର ହାଜର କରିଛି

295

କନକ ବ୍ୟୁରୋ: ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ଏବେ ବି ତା ଉପରୁ ପରଦା ହଟିନି । ଏହାରି ଭିତରେ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । କାହାଣୀ ହତ୍ୟାକାଣ୍ଡର ମୋଡ ନେବା ପଛର କାରଣ ହେଲା ଅଭିଯୁକ୍ତ ରାକେଶ ବିରୋଧରେ ଲାଗିଛି ଦଫା ୩୦୨ ଅର୍ଥାତ ହତ୍ୟା, ୨୦୧ ପ୍ରମାଣ ନଷ୍ଟ ଓ ଭୁଲ ତଥ୍ୟ ଦେବା ଏବଂ ଏସସିଏସଟି ଧାରା ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱର ଧର୍ମବିହାରରେ ଥିବା ଶିବସାଇ ଗେଷ୍ଟ ହାଉସରେ ଗତ ୨୬ ତାରିଖରେ ଝରାଫୁଲଙ୍କ ସହ ଥିଲେ ଅଭିଯୁକ୍ତ ରାକେଶ ସ୍ୱାଇଁ । ସେମାନଙ୍କ ସହ ଗେଷ୍ଟ ହାଉସରେ ଆଉ କେହି ନଥିଲେ । ଝରାଫୁଲଙ୍କର ପେଟ ସମସ୍ୟା ରହିଥିଲା । ଏ ସଂପର୍କରେ ରାକେଶଙ୍କୁ ମଧ୍ୟ ପୂର୍ବରୁ ଜଣାଥିଲା । ଗେଷ୍ଟହାଉସରେ ଉଭୟ ରାତି ବିତାଇବାକୁ ମନସ୍ଥ କରିଥିଲେ । ହେଲେ ସେଦିନ ରାତିରେ ଗେଷ୍ଟହାଉସରେ କଣ ସବୁ ଘଟିଗଲା ସେନେଇ କିଛି ସ୍ପଷ୍ଟ ଚିତ୍ର ମିଳିପାରୁନାହିଁ ।

ଭୁବନେଶ୍ୱର ଧର୍ମବିହାରରେ ଥିବା ଶିବସାଇ ଗେଷ୍ଟ ହାଉସର ସିସିଟିଭି ଚିତ୍ରରୁ ଜଣାପଡିଛି ଯେ, ଗତ ୨୬ ତାରିଖ ରାତିରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ସହ ଝରାଫୁଲ ସେଠାରେ ରହିଥିଲେ । ଏହା ପରେ ୨୭ ତାରିଖ ସକାଳେ ଗେଷ୍ଟ ହାଉସରୁ ଝରାଫୁଲକୁ ଏକ ସ୍କୁଟିରେ ନେଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ସହ ଥିଲେ ଆଉ ଜଣେ ଯୁବକ । ସିସିଟିଭି ହାର୍ଡଡିସ୍କକୁ ପୁଲିସ ଜବତ କରି ଭିଡିଓ ଫୁଟେଜ ଆଧାରରେ ତଦନ୍ତ ଚଳାଇଛି ।

ତେବେ କେମିତି ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ହେଲା ସେ ନେଇ ଅଭିଯୁକ୍ତ ରାକେଶ ପୁଲିସ ଆଗରେ ବର୍ଣ୍ଣନା କରିଛି ।ରାକେଶର କହିବା ଅନୁସାରେ –

ଗତ ୨୬ ତାରିଖ ଦିନ ୧୧ଟା ବେଳେ ଝରାଫୁଲ ଯଶୀପୁର ଯିବା ଲାଗି ଝାଡେଶ୍ୱର ବସରେ ଚଢିଥିଲେ । ହେଲେ ପରେ ବାଣୀବିହାର ଛକରେ ଓହ୍ଲାଇ ପଡିଥିଲେ । ସେଠାରୁ ସେ ଚାଲିଚାଲି ରୁପାଲି ଛକ ଯାଏଁ ଯାଇଥିଲେ । ସେଠାରେ ଅପେକ୍ଷା କରି ରହିଥିବା ରାକେଶ ତାଙ୍କୁ ସ୍କୁଟିରେ ବସାଇ ବୁଲାବୁଲି କରିବା ପରେ ରାଜଧାନୀର ଧର୍ମବିହାରରେ ଥିବା ଗେଷ୍ଟହାଉସକୁ ନେଇଯାଇଥିଲେ । ଦୁହେଁ ଏକାଠି ରାତି ବିତାଇବା ପରେ ସକାଳୁ ଝରାଫୁଲଙ୍କ ପାଟିରୁ ଫେଣ ବାହାରୁଥିବା ଦେଖି ସେ ଭୟଭୀତ ହୋଇପଡିଥିଲେ । ଏହାପରେ ବନ୍ଧୁ ଶେଖରଙ୍କୁ ଡାକି ସ୍କୁଟରରେ ବସାଇ ଝରାଫୁଲଙ୍କୁ କଟକ ବଡ଼ ମେଡିକାଲକୁ ନେଇଥିଲେ ରାକେଶ । ହେଲେ ଝରାଫୁଲ ଅଚେତ ହୋଇପଡିଥିବା କଥା ବନ୍ଧୁଙ୍କୁ କହିନଥିଲେ ରାକେଶ । ବଂର ଅସୁସ୍ଥ ହୋଇଥିବାରୁ ହସ୍ପିଟାଲ ନେବା କଥା କହିଥିଲେ । କଟକରୁ ଆଗକୁ ଚାଲିଯିବା ପରେ ବନ୍ଧୁଙ୍କ ସନ୍ଦେହ ହେଲା । ପରେ ଘରେ ନେଇ ଛାଡିଦେବେ ବୋଲି ବନ୍ଧୁଙ୍କୁ କହିଥିଲେ । ଯାଜପୁର କୁଆଖିଆ ନିକଟରେ କିଛି ଲୋକଙ୍କର ସନ୍ଦେହ ହେବାରୁ ଝରାଫୁଲଙ୍କ ମୃତ୍ୟୁ ହୋଇଥିବା ବନ୍ଧୁଙ୍କୁ ଜଣାଇବା ସହ ମୃତଦେହକୁ ଧରି ରାସ୍ତାକଡ଼ରେ ଫିଙ୍ଗି ଦେଇ ପଳାଇ ଆସିଥିଲେ ।

ତେଣୁ ଏବେ ପ୍ରଶ୍ନ ଉଠୁଛି
ସେଦିନ ରାତିରେ ଗେଷ୍ଟହାଉସରେ ଝରାଫୁଲଙ୍କ ସହିତ କଣ ଘଟିଲା?
ଝରାଫୁଲଙ୍କ ପାଟିରୁ ଫେଣ ବାହାରୁଥିଲେ ମଧ୍ୟ ତାଙ୍କୁ ହସ୍ପିଟାଲ ନିଆଗଲା ନାହିଁ କାହିଁକି?
ବିଷପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ କି ଝରାଫୁଲ?
ଉଭୟଙ୍କ ମଧ୍ୟରେ ପ୍ରେମ ବ୍ୟାପାରକୁ ନେଇ ଝଗଡା ହୋଇଥିଲା କି?

କେଉଁ ପରିସ୍ଥିତିରେ ଝରାଫୁଲଙ୍କର ମୃତ୍ୟୁ ହେଲା ଓ ଏଥିପାଇଁ ଦାୟୀ କିଏ, ଏ ତମାମ କଥା ସେତେବେଳେ ସ୍ପଷ୍ଟ ହେବ ଯେତେବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିବ ଏବଂ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ କୁଆଖିଆ ପୋଲିସ ।