ଆଜି ବାଙ୍ଗାଲୋରକୁ ଭେଟିବ କୋଲକାତା । ୨୦୦ତମ ମ୍ୟାଚ ଖେଳିବେ କୋହଲି, କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ନୀଳ ଜର୍ସିରେ ମ୍ୟାଚ୍ ଖେଳିବ ଆରସିବି ।

236

କନକ ବ୍ୟୁରୋ : ଆଇପିଏଲ୍‌ର ୩୦ତମ ମ୍ୟାଚ୍‌ରେ ସୋମବାର କୋଲକାତା ନାଇଟ୍‌ ରାଇଡର୍ସ ଭେଟିବ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌କୁ । ଉଭୟ ଦଳ ୭ ଲେଖାଏଁ ମ୍ୟାଚ୍‌ ଖେଳିସାରିଥିଲେ ମଧ୍ୟ ପାଲଟା ପଥରେ ରହିଛନ୍ତି । ବିରାଟ କୋହଲିଙ୍କ ଆର୍‌ସିବି ୫ ବିଜୟ ପାଇଥିବା ବେଳେ ଇଅନ୍ ମୋର୍ଗାନଙ୍କ କେକେଆର୍‌ ୫ ପରାଜୟ ବରଣ କରିଛି । ଦୁଇ ଦଳ ମଧ୍ୟରେ ଗୋଟିଏ କଥା ଚିନ୍ତାର କାରଣ ହୋଇଛି ଯେ ଗତ ମ୍ୟାଚ୍‌ରେ ହାରିଯାଇଛନ୍ତି । ତେଣୁ ବିଜୟ ପଥକୁ ଫେରିବାକୁ ଚାହିଁବେ ଉଭୟ ଦଳ । କେକେଆର୍‌ ପାଇଁ ପ୍ରାରମ୍ଭିକ ବ୍ୟାଟିଂ ଚିନ୍ତାର କାରଣ ରହିଥିବା ବେଳେ ଆର୍‌ସିବି ପାଇଁ ସ୍ପିନ୍ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି । କେକେଆର୍‌ ମଧ୍ୟ ଫର୍ମରେ ଥିବା ରାହୁଲ ତ୍ରିପାଠୀଙ୍କୁ ବ୍ୟାଟିଂ ପଦୋନ୍ନତି ଦେବା କଥା ଚିନ୍ତା କରୁଛି । ଆର୍‌ସିବିକୁ କିନ୍ତୁ ସ୍ପିନ୍‌ ବିପକ୍ଷରେ ଭଲ ଖେଳିବାକୁ ହେଲେ ସୁନିଲ ନାରାୟଣଙ୍କୁ ସତର୍କତାର ସହ ମୁକାବିଲା କରିବାକୁ ପଡ଼ିବ ।

ପ୍ରତିଯୋଗିତାର ପ୍ରଥମ ୪ ମ୍ୟାଚ୍‌ ଜିତିବା ପରେ କୋହଲିଙ୍କ ଦଳ ୧୦ ଦିନ ତଳେ ବିଶ୍ବାସ କରୁଥିଲେ କୌଣସି ବିଜୟ ଲକ୍ଷ୍ୟକୁ ଦଳ ହାସଲ କରିପାରିବ । ରାଜସ୍ଥାନ ରୟାଲ୍ସ ବିପକ୍ଷ ୧୦ ୱିକେଟ୍‌ ବିଜୟ ପରେ ଏଭଳି ଆତ୍ମବିଶ୍ବାସ ବଢ଼ିଥିଲା । ଏହା ପରେ କିନ୍ତୁ ଦଳର ବ୍ୟାଟ୍ସମ୍ୟାନ୍‌ମାନେ ସ୍ପିନରଙ୍କ ବିପକ୍ଷରେ ସଂଘର୍ଷ କରୁଥିବା ଲକ୍ଷ୍ୟ କରାଯାଇଛି।

ଅନ୍ୟପକ୍ଷରେ କେକେଆର୍‌ ପାଇଁ ମୁଖ୍ୟ ଚିନ୍ତା ହେଉଛି ଦଳର ପ୍ରାରମ୍ଭିକ ଯୋଡ଼ିଙ୍କ ବଡ଼ ଯୋଗଦାନର ଅଭାବ । ନୀତୀଶ ରାଣା ଓ ଶୁଭମନ ଗିଲ୍‌ ନିଜ ନିଜ ଦକ୍ଷତା ମୁତାବକ ଖେଳି ପାରୁନାହାନ୍ତି । ଚଳିତ ଋତୁରେ ଉଭୟଙ୍କ ପ୍ରାରମ୍ଭିକ ଯୋଡ଼ି ଭାଗୀଦାରିରୁ ୨୫ ରନ୍‌ ହାରାହାରିରେ ରନ୍‌ ମିଳିଛି । ଅଧିକ ଚିନ୍ତାଜନକ ହେଉଛି ଷ୍ଟ୍ରାଇକ ରେଟ୍‌ (୧୧୯.୩୩) । ଗତ ମ୍ୟାଚ୍‌ ପରାଜୟ ପରେ ମୁଖ୍ୟ ପ୍ରଶିକ୍ଷକ ବ୍ରେଣ୍ଡନ୍ ମ୍ୟାକଲମ୍ ମଧ୍ୟ ଏହି କଥା ସ୍ପଷ୍ଟ କରିଥିଲେ । କହିଥିଲେ ଦଳର ପରାଜୟ ପାଇଁ ଶୀର୍ଷକ୍ରମଙ୍କ ଷ୍ଟ୍ରାଇକରେଟ୍‌ ଦାୟୀ । ଏହି କ୍ରମରେ ଦଳ ପରିବର୍ତନ କରିବାକୁ ଯାଉଛି । ଶୁଭମନ ଗିଲଙ୍କୁ ଦଳ ବାଦ୍‌ ଦେଇ ରାହୁଲ ତ୍ରିପାଠୀ ଓ ସୁନିଲ ନାରାୟଣଙ୍କୁ ନେଇ ପାଳି ଆରମ୍ଭ କରିବା ଯୋଜନା ରଖିଛି ।

ସେପଟେ ଆଜି ଆରସିବି ଅଧିନାୟକ ବିରାଟ କୋହଲି ଆଇପିଏଲରେ ନିଜର ୨୦୦ତମ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି । ଅନ୍ୟପଟେ ଆଜି ନୂଆ ଲୁକରେ ନଜର ଆସିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଆଜି ନୀଳ ଜର୍ସି ପରିଧାନ କରିବ ଆରସିବି ଦଳ ।