ଆଇପିଏଲ ଟକ୍କର : ଆଜି ମୁହାଁମୁହିଁ ହେବେ କୋଲକାତା–ବାଙ୍ଗାଲୋର

ଦ୍ୱିତୀୟ ପଯ୍ୟାୟ ପ୍ରଥମ ମ୍ୟାଚରେ ଚେନ୍ନାଇ ଠୁ ହାରିଲା ମୁମ୍ବାଇ; ପଏଂଟ ଟେବୁଲର ଶୀର୍ଷରେ ଚେନ୍ନାଇ ସୁପରକିଙ୍ଗ

103

କନକ ବ୍ୟୁରୋ : ଆଇପିଏଲ୍‌-୨୦୨୧ର ପ୍ରଥମ ଚରଣରେ କୋଲ୍‌କାତା ନାଇଟ୍ ରାଇଡର୍ସ ଆଶାଜନକ ପ୍ରଦର୍ଶନ କରି ପାରିନଥିଲା । ସେଥିପାଇଁ ଦ୍ବିତୀୟ ଚରଣରେ ଏହି ଦୁଃଖକୁ ଦୂର କରିବା ଲକ୍ଷ୍ୟରେ ରହିଛି ଦୁଇଥର ପୂର୍ବତନ ବିଜେତା ଦଳ । ଦ୍ବିତୀୟ ଚରଣର ପ୍ରଥମ ମୁକାବିଲାରେ କିନ୍ତୁ ଆଜି ଶକ୍ତିଶାଳୀ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ କେକେଆର୍‌ । ଆବୁଧାବିରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଜିତିବା ଇଅନ ମୋର୍ଗାନଙ୍କ ନେତୃତ୍ବାଧୀନ କେକେଆର୍‌ ପାଇଁ ଆଦୌ ସହଜ ହେବନି । କାରଣ ବିରାଟ କୋହଲିଙ୍କ ଆର୍‌ସିବି ଏବେ ଚମତ୍କାର ଫର୍ମରେ ରହିଛି । ପ୍ରଥମ ଚରଣରେ ଖେଳିଥିବା ୭ ମ୍ୟାଚ୍‌ରୁ ୧୦ ପଏଣ୍ଟ ଅର୍ଜନ କରି ତାଲିକାର ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ପ୍ରଥମ ଚରଣର ସେହି ୭ ମୁକାବିଲାରୁ କେକେଆର୍ ମାତ୍ର ଦୁଇଟି ବିଜୟ ହାସଲ କରି ସପ୍ତମ ସ୍ଥାନରେ ଅଛି । ଏଣୁ ୨୦୧୪ ସଂସ୍କରଣ ଭଳି କେକେଆର୍‌ ଏଥର ବି ଧମାକାଦାର ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି । ୨୦୧୪ ମସିହାରେ ପ୍ରଥମ କିଛି ମ୍ୟାଚ୍‌ରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିବା ପରେ ଲଗାତାର ୯ ବିଜୟ ହାସଲ କରି କେକେଆର୍‌ ଶେଷରେ ବିଜେତା ଆଖ୍ୟା ଅର୍ଜନ କରିଥିଲା ।

ଆର୍‌ସିବି ବିପକ୍ଷ ମୁକାବିଲାକୁ ନେଇ ପ୍ରତିକ୍ରିୟା ଦେବାକୁ ଯାଇ କେକେଆର୍‌ର ମାର୍ଗଦର୍ଶକ ଡେଭିଡ୍ ହସି କହିଛନ୍ତି ଯେ ଆମକୁ କଳେବଳେ କୌଶଳେ ମ୍ୟାଚ୍ ଜିତିବାକୁ ହେବ। ଆମେ ଆଗରୁ ଏଭଳି କରିଛୁ ଏବଂ ଏଥର ସେହି ସଫଳତା ଦୋହରାଇବାର ସାମର୍ଥ୍ୟ ବି ରଖିଛୁ । ଅବଶ୍ୟ ଆରସିବି-କେକେଆର୍‌ ପରସ୍ପର ମୁକାବିଲାକୁ ଯଦି ବିଚାରକୁ ନିଆଯାଏ, ତାହାଲେ କେକେଆର୍ ସାମାନ୍ୟ ଆଗରେ ରହିଛି । ଉଭୟ ଦଳ ପରସ୍ପର ବିପକ୍ଷରେ ୨୭ ମ୍ୟାଚ୍ ଖେଳିଛନ୍ତି । ସେଥିମଧ୍ୟରୁ କେକେଆର୍‌ ୧୪ ଏବଂ ଆର୍‌ସିବି ୧୩ ମ୍ୟାଚ୍ ଜିତିଛି। ଚଳିତ ଋତୁରେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ କେକେଆର୍‌ ୩୮ ରନ୍‌ରେ ଆରସିବିଠାରୁ ପରାସ୍ତ ହୋଇଥିଲା । କେକେଆରର ଦୁଇଟି ଯାକ ବିଜୟ ମଧ୍ୟ ଏବର୍ଷର ଦୁଇ ଦୁର୍ବଳ ଦଳ ପଞ୍ଜାବ କିଙ୍ଗ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆସିଛି ।

ଆର୍‌ସିବି ବିପକ୍ଷରେ ବିଜୟ ହାସଲ କରିବାକୁ ହେଲେ କେକେଆର୍‌ର ଦୁଇ ଯୁବ ଓପ୍‌ନର ଶୁବମନ ଗିଲ୍ ଓ ନୀତୀଶ ରାଣାଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ । ଦୁର୍ଭାଗ୍ୟଜନକ ଭାବେ ଉଭୟ ପ୍ରଥମ ଚରଣରେ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପାରିନଥିଲେ । ପ୍ରଥମ ୭ ମ୍ୟାଚ୍‌ରୁ ଗିଲ୍ ମାତ୍ର ୧୩୨ ରନ୍ କରିଥିଲା ବେଳେ ରାଣା ୨୦୧ ରନ୍ କରିଥିଲେ । ସେଥିପାଇଁ ପ୍ଲେ ଅଫ୍ ଖେଳିବା ଆଶାକୁ ଉଜ୍ଜୀବିତ ରଖିବାକୁ ହେଲେ ଅଧିନାୟକ ମୋର୍ଗାନଙ୍କ ସହ ପୂର୍ବତନ ଅଧିନାୟକ ଦୀନେଶ କାର୍ତ୍ତିକ, ବିସ୍ଫୋରକ ଆନ୍ଦ୍ରେ ରସେଲ, ରାହୁଲ ତ୍ରିପାଠୀ ଓ ଅଲରାଉଣ୍ଡର ସକିବ-ଅଲ୍-ହାସନଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ। ବୋଲିଂ ବିଭାଗରେ ପ୍ୟାଟ୍ କମିନ୍ସଙ୍କ ସ୍ଥାନ ନେଇଥିବା ଟିମ୍ ସାଉଦିଙ୍କ ଉପରେ ଦଳର ଢେର ଆଶା ରହିବ ।