ଆଜି ଧୋନୀ-କୋହଲି ଟକ୍କର । ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ଆର୍‌ସିବି

98

କନକ ବ୍ୟୁରୋ : କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍‌ସ ମୁହାଁମୁହିଁ ହେବେ । ଏହି ଚରଣରେ ଉଭୟ ଦଳ ନିଜ ନିଜର ଦ୍ବିତୀୟ ମ୍ୟାଚ୍‌ ଖେଳିବେ। ପଏଣ୍ଟ୍‌ ତାଲିକାରେ ଆର୍‌ସିବି ତୃତୀୟ ସ୍ଥାନରେ ରହିଥିଲା ବେଳେ ସିଏସ୍‌କେ ଦ୍ବିତୀୟ ସ୍ଥାନରେ ଅଛି। ଆର୍‌ସିବି ୮ ମ୍ୟାଚ୍‌ ଖେଳି ୫ ବିଜୟ ପାଇଥିଲା ବେଳେ ସିଏସ୍‌କେ ସମାନ ସଂଖ୍ୟକ ମ୍ୟାଚ୍‌ ଖେଳି ୬ ବିଜୟ ହାସଲ କରିଛି । ୟୁଏଇ ଚରଣରେ ନିଜର ପ୍ରଥମ ମ୍ୟାଚ୍‌ରେ ଆର୍‌ସିବି ଶୋଚନୀୟ ଭାବେ କୋଲ୍‌କାତା ନାଇଟ୍‌ ରାଇଡର୍ସ ନିକଟରୁ ହାରିଯାଇଥିଲା ବେଳେ ସିଏସ୍‌କେ ସହଜରେ ବିଜେତା ମୁମ୍ବା‌ଇ ଇଣ୍ଡିଆନ୍‌ସକୁ ପରାସ୍ତ କରିଥିଲା । ତେଣୁ ଆଜିର ମୁକାବିଲା ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ ।

ଗୋଟିଏ ପଟେ ଏହି ମ୍ୟାଚ୍‌ ଜିତି ନକ୍‌ଆଉଟ୍‌ ପର୍ଯ୍ୟାୟରେ ନିଜର ସ୍ଥିତି ଦୃଢ଼ କରିବାରେ ଆଉ ଗୋଟିଏ ପାଦ ବଢ଼ାଇବାକୁ ସିଏସ୍‌କେ ଲକ୍ଷ୍ୟ ରଖିଥିଲା ବେଳେ ପରାଜୟ ଗ୍ଲାନିରୁ ବାହାରି ବିଜୟ ଧାରାକୁ ଫେରିବାକୁ ଆର୍‌ସିବି ବ୍ୟାକୁଳିତ ଅଛି । ନକ୍‌ଆଉଟ୍‌ ପର୍ଯ୍ୟାୟ ତଥା ଶ୍ରେଷ୍ଠ ୪ ଦଳ ମଧ୍ୟରେ ରହିବାକୁ ହେଲେ ସିଏସ୍‌କେକୁ ଆଉ ଅତିକମ୍‌ରେ ୨ ବିଜୟ ଆବଶ୍ୟକ ରହିଥିଲା ବେଳେ ଆର୍‌ସିବିକୁ ୪ ମ୍ୟାଚ୍‌ ଜିତିବା ଜରୁରି ରହିଛି । ଉଭୟ ଦଳ ଲିଗ୍‌ ପର୍ଯ୍ୟାୟରେ ଆଉ ୬ ଲେଖାଏଁ ମ୍ୟାଚ୍‌ ଖେଳିବାକୁ ବାକି ରହିଛି । ତେବେ ବିଜେତା ମୁମ୍ବାଇକୁ ୨୦ ରନ୍‌ରେ ପରାସ୍ତ କରି ଆତ୍ମବିଶ୍ବାସରେ ଭରପୁର ଥିବା ସିଏସ୍‌କେ ବିପକ୍ଷରେ ଆର୍‌ସିବିକୁ ଜିତିବାକୁ ହେଲେ ଦଳଗତ ପ୍ରଦର୍ଶନ ଦେବାକୁ ପଡ଼ିବ ।

ବିଶେଷକରି ଆର୍‌ସିବିକୁ ତା’ର ବ୍ୟାଟିଂ ବିଭାଗରେ ଅଧିକ ଶକ୍ତିଶାଳୀ ହେବାକୁ ପଡ଼ିବ । କାଗଜକଲମରେ ଏହି ଦଳ ତାରକା ଖଚିତ ବୋଲି ଜଣାପଡୁଥିଲେ ମଧ୍ୟ ଚେନ୍ନାଇର ଗଭୀରତା ଆର୍‌ସିବି ପାଇଁ ବିପଦ ସୃଷ୍ଟି କରିପାରେ । ଉଭୟ ଦଳ ପରସ୍ପର ୨୬ ଥର ମୁହାଁମୁହିଁ ହୋଇଥିଲା ବେଳେ ସିଏସ୍‌କେ ୧୭ ବିଜୟ ସହ ଆର୍‌ସିବି (୯)ଠୁ ବହୁ ଉପରେ ରହିଛି । ଏପରିକି ଶେଷ ୧୧ ମୁକାବିଲାରୁ ସିଏସ୍‌କେ ୯ ବିଜୟ ପାଇଛି ।

ସମ୍ଭାବ୍ୟ ଆର୍‌ସିବି ଏକାଦଶ: ବିରାଟ କୋହଲି (ଅଧିନାୟକ), ଦେବଦତ୍ତ ପଡ଼ିକଲ, କେଏସ୍‌ ଭରତ (ୱିକେଟ୍‌ରକ୍ଷକ), ଗ୍ଲେନ୍‌ ମ୍ୟାକ୍ସୱେଲ, ଏବି ଡିଭିଲିୟର୍ସ, ଟିମ୍‌ ଡେଭିଡ୍‌/ୱାନିନ୍ଦୁ ହସରଙ୍ଗା, କାଇଲ ଜାମିସନ୍‌, ହର୍ଷଲ ପ‌ଟେଲ, ମହମ୍ମଦ ସିରାଜ, ୟୁଝ୍‌ବେନ୍ଦ୍ର ଚହଲ, ନଭ୍‌ଦୀନ ସୈନି।

ସମ୍ଭାବ୍ୟ ସିଏସ୍‌କେ ଏକାଦଶ: ମହେନ୍ଦ୍ର ସିଂହ ଧୋନି (ଅଧିନାୟକ/ୱିକେଟ୍‌ରକ୍ଷକ), ଫାଫ୍‌ ଡୁପ୍ଲେସିସ୍‌, ଋତୁରାଜ ଗାଏକ୍ବାଡ଼, ମୋଇନ୍‌ ଅଲ୍ଲୀ, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ରବୀନ୍ଦ୍ର ଜାଦେଜା, ଡ୍ବେନ୍‌ ବ୍ରାଭୋ/ସାମ୍‌ କରନ, ଶାର୍ଦୁଳ ଠାକୁର, ଦୀପକ ଚହର, ଜୋସ୍‌ ହାଜ୍‌ଲେଉଡ୍‌।