କନକ ବ୍ୟୁରୋ : ପୁଣିଥରେ ଆଇପିଏଲକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଇପିଏଲର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଗାମୀ ଆଇପିଏଲ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛି । ଆଗାମୀ ଆଇପିଏଲ ସିଜିନରେ କିଛି ପରିବର୍ତ୍ତନ ସହ ମୈଦାନକୁ ଓହ୍ଲାଇବ ଆରସିବି । ଟିମର ନିର୍ଦ୍ଦେଶକ ମାଇକ ହେସନ ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଚୁକ୍ତିକୁ ଆଉ ରିନ୍ୟୁ କରିନାହିଁ ଫ୍ରାଞ୍ଜାଇଜ ମ୍ୟାନେଜମେଣ୍ଟ । ଏବେ ପର୍ଯ୍ୟନ୍ତ ବାଙ୍ଗାଲୋର ଟିମ ଥରେ ବି ଆଇପିଏଲ ଟ୍ରଫି ଜିତିନଥିବା ବେଳେ ଫ୍ରଞ୍ଚାଇଜ ନୂଆ କୋଚ ସନ୍ଧାନରେ ରହିଛନ୍ତି ।

Advertisment

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆରସିବି ମାଇକ ହେସନ ଓ ସଞ୍ଜୟ ବାଙ୍ଗରଙ୍କ ଚୁକ୍ତି ଅବଧିକୁ ବଢାଇ ନାହିଁ । ତେବେ ଆରସିବି ନୂଆ ମ୍ୟାନେଜମେଣ୍ଟରେ କାହାକୁ ସାମିଲ କରାଯିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ହେସନ ଓ ବାଙ୍ଗରଙ୍କର କୋହଲିଙ୍କ ସହ ଭଲ ସମ୍ପର୍କ ଥିଲା । ଉଭୟ ୫ ବର୍ଷ ଧରି ବାଙ୍ଗାଲୋର ଫ୍ରାଞ୍ଚାଇଜ ସହ ରହିଛନ୍ତି । ଏପରିକି ଉଭୟଙ୍କ ସମୟରେ ଦଳ ପ୍ଲେ-ଅଫକୁ ଯାଇଥିଲେ ମଧ୍ୟ ଟାଇଟଲ ହାସଲ କରିପାରିନାହିଁ । ଏପରିକି ଗତ ଆଇପିଏଲରେ ଆରସିବି ପ୍ଲେ-ଅଫରେ ମଧ୍ୟ ସ୍ଥାନ ବଜାୟ ରଖିବାରେ ବିଫଳ ହୋଇଥିଲେ । ଏହାପରେ ଆରସିବି ଟିମରେ ପରିବର୍ତ୍ତନର ସଂକେତ ମିଳିଥିଲା । ତେବେ ଆରସିବି ବିଦେଶୀ ନା ଭାରତୀୟ ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିବ ତାହା ଜଣାପଡିନାହିଁ ।

କେବଳ ଆରସିବି ଅନ୍ୟ ଫ୍ରାଞ୍ଚାଇଜ ମଧ୍ୟ ନିଜ କୋଚିଂ ଷ୍ଟାଫଙ୍କୁ ପରିବର୍ତ୍ତନ କରୁଥିବାର ଖବର ସାମ୍ନାକୁ ଆସିଛି । ଲକ୍ଷ୍ନୌ ସୁପର ଜାଏଣ୍ଟସ ଏହା ପୂର୍ବରୁ ଆଣ୍ଡି ଫ୍ଲାୱାରଙ୍କୁ ମୁଖ୍ୟ କୋଚ୍ ପଦରୁ ହଟାଇଥିଲା । ଫ୍ଲାୱାରଙ୍କ ବଦଳରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜଷ୍ଟିନ ଲାଙ୍ଗରଙ୍କୁ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରିଛି ଲକ୍ଷ୍ନୌ । ଲାଙ୍ଗର ଏହା ପୂର୍ବରୁ ଅଷ୍ଟ୍ରେଲିଆ ଦଳର ମୁଖ୍ୟ କୋଚ୍ ରହି ସାରିଛନ୍ତି ।