ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବଦଳିଲା ନାଁ ଓ ଲୋଗୋ । ଜାଣନ୍ତୁ ଏଥର ଆଇପିଏଲରେ କେଉଁ ନାଁରେ ମୈଦାନକୁ ଓହ୍ଲାଇବ ଆରସିିବି?

273

କନକ ବ୍ୟୁରୋ : ଆଇପିଏଲ ଆରମ୍ଭ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିଜ ଫ୍ରାଞ୍ଚାଇଜର ନାଁ ପରିବର୍ତ୍ତନ କରିଛି । ଅଧିନାୟକ ଫାପ୍ ଡୁ ପ୍ଲେସିସ, ବିରାଟ କୋହଲି ଓ ସ୍ମୃତି ମାନ୍ଧନା ଆରସିବିର ନୂଆ ନାଁ, ଲୋଗୋ ଓ ଜର୍ସିର ଉନ୍ମୋଚନ କରିଛନ୍ତି । ଏବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବଦଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରହିବ ଡୁ ପ୍ଲେସିସଙ୍କ ଦଳର ନାଁ ।

ଆଇପିଏଲରେ ନାଁ ବଦଳାଥିବା ଫ୍ରାଞ୍ଚାଇଜଙ୍କ ମଧ୍ୟରେ ଆରସିବି ୩ ନମ୍ବର ଦଳ ଭାବେ ଉଭା ହୋଇଛି । ଏହାପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟ ନିଜ ଦଳର ନାଁ ବଦଳାଇଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସର ପୁରୁଣା ନାଁ ଦିଲ୍ଲୀ ଡେୟାରଡେଭିଲ୍ସ ଥିବା ବେଳେ ପଞ୍ଜାବ କିଙ୍ଗସର ନାଁ ପୂର୍ବରୁ କିଙ୍ଗସ ଏକାଦଶ ପଞ୍ଜାବ ଥିଲା । ତେବେ ଆଇପିଏଲ ଆରମ୍ଭ ପୂର୍ବରୁ ନାଁ ବଦଳାଇବା ଆରସିବି ପାଇଁ କେତେ ଲାଭଦାୟକ ହେଉଛି ତାହା ଆଉ କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ ।

ଆରସିବି କେବଳ ନାଁ ବଦଳାଇନି ବରଂ ଜର୍ସି ଓ ଲୋଗୋ ମଧ୍ୟ ବଦଳାଇଛି । ଗତ ୧୬ଟି ସଂସ୍କରଣରେ ଆରସିବି ୩ ଥର ଫାଇନାଲ ଖେଳିଛି । କିନ୍ତୁ ଟ୍ରଫି ଜିତିବାରେ ସଫଳ ହୋଇନାହିଁ । କିନ୍ତୁ ଚଳିତ ସିଜିନରେ ଆଇପିଏଲ ଚାମ୍ପିୟନ ହେବାକୁ ଲକ୍ଷ୍ୟ ରଖିଛି ଆରସିବି ।