କୋହଲିଙ୍କ ସହ ଏହି ଖେଳାଳିଙ୍କୁ ରିଟେନ୍ ରଖିପାରେ ବାଙ୍ଗାଲୋର ଟିମ୍ । ଜାଣନ୍ତୁ, କେଉଁ ଖେଳାଳିଙ୍କୁ ନେଇ ବଢୁଛି ଚର୍ଚ୍ଚା…

387

କନକ ବ୍ୟୁରୋ: ଆଇପିଏଲର ଆଗାମୀ ସିଜିନ ଆରମ୍ଭ ହେବା ପୂୂର୍ବରୁ ଏବେ ଖେଳାଳିମାନଙ୍କର ମହାନିଲାମୀକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କେଉଁ ଦଳ କେଉଁ ଖେଳାଳିଙ୍କୁ ରିଟେନ୍ ରଖିବ, କେଉଁ ଖେଳାଳିଙ୍କୁ ନିଲାମକୁ ଛାଡିବ ତାକୁ ନେଇ ଆଶା ଆଶଙ୍କା ଲାଗି ରହିଥିବାବେଳେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳକୁ ନେଇ ଆସିଛି ବଡ ଖବର ।

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଆରସିବି ବିରାଟ କୋହଲିଙ୍କ ସହିତ ଅନ୍ୟ ଦୁଇ ଜଣ ଭାରତୀୟ ଖେଳାଳି ଓ ଜଣେ ବିଦେଶୀ ଖେଳାଳିଙ୍କୁ ରିଟେନ୍ ରଖିପାରେ । ତେବେ ଏହି ବିଦେଶ ଖେଳାଳି ଜଣକ ଗ୍ଲେନ୍ ମ୍ୟାକ୍ସୱେଲ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ସେହିପରି ବାଙ୍ଗାଲୋର ନିଜର ଦମଦାର ଖେଳାଳି ଦେବଦତ୍ତ ପାଡିକଲ ଓ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ମଧ୍ୟ ରିଟେନ୍ ରଖିପାରେ ବୋଲି ରିପୋର୍ଟ ପ୍ରକାଶ ପାଉଛି । ତେବେ ଦଳର ନୂଆ ଅଧିନାୟକ କିଏ ହେବ ତାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି । କୋହଲିଙ୍କ ପରେ ଦଳ କୌଣସି ନୂଆ ଖେଳାଳିଙ୍କୁ ଅଧିନାୟକ ପଦ ଦେଇପାରେ ବୋଲି କୁହାଯାଉଛି ।

ଆଉ କିଛି ମାସ ପରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍, ଏହା ପୂର୍ବରୁ କିନ୍ତୁ ଖେଳାଳିମାନଙ୍କର ହେବ ମହାନିଲାମୀ ପ୍ରକ୍ରିୟା । ପ୍ରତି ଦଳ ନିଜର ୪ ଜଣ ଖେଳାଳିଙ୍କୁ ଛାଡି ଅନ୍ୟ ସମସ୍ତ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାକୁ ଛାଡିବାକୁ ବାଧ୍ୟ ହେବେ । ଏପରି ସ୍ଥିତିରେ କେଉଁ ଦଳ କେଉଁ ଖେଳାଳିଙ୍କୁ ରିଟେନ୍ ରଖୁଛି ଏବଂ କାହାକୁ ନିଲାମ ପ୍ରକ୍ରିୟାକୁ ଛାଡୁଛି, ତାକୁ ନେଇ ଚର୍ଚ୍ଚା ବଢିଛି । ଗଣମାଧ୍ୟମରେ ଏନେଇ ଅନେକ ରିପୋର୍ଟ ପ୍ରକାଶ ପାଉଥିଲେ ମଧ୍ୟ କୌଣସି ଦଳ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା ହୋଇନାହିଁ । ସୂଚନାଯୋଗ୍ୟ ଯେ, ପ୍ରତି ଦଳ ନଭେମ୍ବର ୩୦ ତାରିଖ ସୁଦ୍ଧା ନିଜର ରିଟେନ୍ ଖେଳାଳିଙ୍କ ତାଲିକା ଦାଖଲ କରିବେ ।

ଏହାପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ଧୋନୀଙ୍କ ସହ ଋୁତୁରାଜ ଗାଏକ୍ୱାଡ ଓ ରବୀନ୍ଦ୍ର ଜାଡେଜାଙ୍କୁ ରିଟେନ୍ ରଖିପାରେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ସେହିପରି ରାଜସ୍ଥାନ ରୟାଲ୍ସ ନିଜର ଅଧିନାୟକ ସଞ୍ଜୁ ସାମସନଙ୍କୁ ଆଗାମୀ ଆଇପିଏଲ ପାଇଁ ରିଟେନ୍ ରଖିଥିବା ଖବର ମିଳିଛି । ଅନ୍ୟପଟେ ପଞ୍ଜାବ କିଙ୍ଗସ ଅଧିନାୟକ କେ ଏଲ ରାହୁଲ ତାଙ୍କ ଦଳକୁ ବାଏ ବାଏ କହିପାରନ୍ତି ବୋଲି କୁହାଯାଉଛି । ତେବେ ନଭେମ୍ବର ୩୦ ପରେ ଏନେଇ ଏକ ସ୍ପଷ୍ଟ ଚିତ୍ର ଆସିପାରିବ । ଆଗାମୀ ଆଇପିଏଲରେ ୮ଟି ଦଳ ବଦଳରେ ୧୦ ଦଳ ଟ୍ରଫି ପାଇଁ ମୁହାଁମୁହିଁ ହେବେ । ନୂଆ କରି ଅହମ୍ମଦାବାଦ ଓ ଲକ୍ଷ୍ନୌ ଟିମ୍ ନିଜର ଆଇପିଏଲ୍ ଅଭିଯାନ ଆରମ୍ଭ କରିବେ । ତେବେ ଏହାପୂର୍ବରୁ ଖେଳାଳିମାନଙ୍କର ମହାନିଲାମୀ ପ୍ରକ୍ରିୟା ହେବାକୁ ବାକି ରହିଛି ।