IPL ୨୦୨୧ : କମର୍ସିଆଲ ଫ୍ଲାଇଟରେ ୟୁଏଇ ଆସିବେ ଭାରତୀୟ ଖେଳାଳୀ, କୋହଲିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ।

372

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ ରଦ୍ଦ ହେବା ପରେ ଏବେ ଆଇପିଏଲ ଉପରେ ସମସ୍ତଙ୍କର ନଜର ରହିଛି । କାରଣ ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ଖେଳାଯିବ ଆଇପିଏଲର ବଳକା ମ୍ୟାଚ୍ । ତେବେ ଏସବୁ ଭିତରେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିସିସିଆଇ ଭାରତୀୟ ଖେଳାଳୀଙ୍କୁ ଆଣିବା ପାଇଁ କୌଣସି ଚାଟାର୍ଡ ଫ୍ଲାଇଟର ବ୍ୟବସ୍ଥା କରିବ ନାହିଁ ଓ ସମସ୍ତ ଖେଳାଳୀ କମର୍ସିଆଲ ଫ୍ଲାଇଟରେ ୟୁଏଇ ଅଭିମୁଖେ ଯାତ୍ରା କରିବେ । ତେବେ କମର୍ସିଆଲ ଫ୍ଲାଇଟରେ ଆସିଲେ ଖେଳାଳୀଙ୍କୁ ୬ ଦିନ କ୍ୱାରେଣ୍ଟିନରେ ରହିବାକୁ ପଡିବ । ଆଇପିଏଲ ପୂର୍ବରୁ ଖେଳାଳୀଙ୍କୁ କ୍ୱାରେଣ୍ଟିନରେ ରହିବାକୁ ପଡିବ । ତେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ନିଜ ଖେଳାଳୀଙ୍କୁ ଆଣିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି । ଯେଉଁଥିରେ ବିରାଟ କୋହଲି, ମହମ୍ମଦ ସିରାଜ ରହିଛନ୍ତି ।

ମିଳିଥିବା ସୂଚନା ମୁତାବକ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଅଧିନାୟକ ବିରାଟ କୋହଲି ଓ ମହମ୍ମଦ ସିରାଜଙ୍କୁ ଚାଟାର୍ଡ ଫ୍ଲାଇଟରେ ମାଞ୍ଚେଷ୍ଟରରୁ ଦୁବାଇ ଆଣିବାକୁ ଯୋଜନା କରୁଛି । ଏହାପୂର୍ବରୁ ଆଇପିଏଲ ଖେଳିବାକୁ ଥିବା ସମସ୍ତ ଖେଳାଳୀଙ୍କୁ ଚାଟାର୍ଡ ଫ୍ଲାଇଟ ସାହାଯ୍ୟରେ ମାଞ୍ଚେଷ୍ଟରରୁ ଦୁବାଇ ଆଣିବାକୁ ଯୋଜନା କରିଥିଲା । କିନ୍ତୁ ଶେଷ ଟେଷ୍ଟ ମ୍ୟାଚ୍ ରଦ୍ଦ ପରେ ପୂରା ପରିସ୍ଥିତି ବଦଳିଯାଇଛି । ଏବେ ବିସିସିଆଇ ଚାଟାର୍ଡ ଫ୍ଲାଇଟରେ ଖେଳାଳୀଙ୍କୁ ଆଣିବା ନିଷ୍ପତ୍ତି ବଦଳାଇଦେଇଛି । ଫଳରେ ସମସ୍ତ ଫ୍ରାଞ୍ଚାଇଜ ନିଜ ଖେଳାଳୀଙ୍କୁ ଆଣିବାକୁ ବ୍ୟବସ୍ଥା କରୁଛନ୍ତି । ଏଭଳି ସ୍ଥଳେ କମର୍ସିଆଲ ବିମାନରେ ଆସିବା କାରଣରୁ ଖେଳାଳୀଙ୍କୁ ୬ ଦିନ କ୍ୱାରେଣ୍ଟିନରେ ରଖିବାକୁ ପଡିବ ।

ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କ ସହ ଅନ୍ୟ ଖେଳାଳୀ ଆଜି ମାଞ୍ଚେଷ୍ଟରରୁ ଦୁବାଇ ଅଭିମୁଖେ ଯାତ୍ରା କରିବେ । ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ନିଜ ଖେଳାଳୀଙ୍କୁ ଯଥାଶୀଘ୍ର ୟୁଏଇ ଆଣିବାକୁ ବ୍ୟବସ୍ଥା କରୁଛି । ସେହିଭଳି ପଞ୍ଜାମ ଟିମ, ଅଧିନାୟକ କେ.ଏଲ ରାହୁଲ, ମୟଙ୍କ ଅଗ୍ରୱାଲ, ମହମ୍ମଦ ସାମି ଓ ଡେଭିଡ ମଲାନଙ୍କୁ ଆଣିବା ବ୍ୟବସ୍ଥା କରୁଛି । ଏ ସମସ୍ତ ଖେଳାଳୀ ଏବେ ମାଞ୍ଚେଷ୍ଟରରେ ଅଛନ୍ତି, ଯେଉଁଠୁ ଏମାନେ ଦୁବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ।