ଆଇପିଏଲ୍ ଇତିହାସରେ ‘ଏପ୍ରିଲ ୨୩’ ; ଆରସିବି ମାରିଛି ସବୁଠୁ ଅଧିକ ରନ୍, ସର୍ବନିମ୍ନ ସ୍କୋର ମଧ୍ୟ ଦେଖିଛି ଏହି ଦିନ…

654

କନକ ବ୍ୟୁରୋ: ଇଣ୍ଡିଆନ୍ ପ୍ରିମିୟର ଲିଗରେ ଶନିବାର (ଏପ୍ରିଲ ୨୩) ଭେଟାଭେଟି ହୋଇଥିଲେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ଆରସିବି ଦଳକୁ ଶୋଚନୀୟ ପରାଜୟ ବରଣ କରିବାକୁ ପଡିଛି । ଦଳ କେବଳ ୬୮ ରନରେ ଅଲଆଉଟ୍ ହୋଇଯିବା ପରେ ହାଇଦ୍ରାବାଦ ନିକଟରୁ ୯ ୱିକେଟରେ ପରାସ୍ତ ହୋଇଛି । ତେବେ ଏହି ଏପ୍ରିଲ ୨୩ ତାରିଖ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଲେଖିଛି ଆଉ ଏକ ରେକର୍ଡ ।

ଆଇପିଏଲ୍ ଇତିହାସରେ ଏପ୍ରିଲ ୨୩ ତାରିଖ ବାଙ୍ଗାଲୋର ଟିମ୍ ପାଇଁ ଉଭୟ ସମ୍ମାନ ଆଉ ଲଜ୍ଜ୍ୟାର ଦିନ ହେଇଛି । ଏହି ତାରିଖରେ ହିଁ ଦଳ ନିଜର ସବୁଠୁ ବଡ ସ୍କୋର କରିଥିବାବେଳେ, ଏହି ତାରିଖରେ ହିଁ କରିଛି ନିଜର ସର୍ବନିମ୍ନ ସ୍କୋର ।

୨୦୧୩ ତାରିଖ ଏପ୍ରିଲ ୨୩ ତାରିଖରେ ଆରସିବି- ପୁଣେ ୱାରିୟର୍ସ ବିରୋଧରେ ଏକ ମ୍ୟାଚ୍ ଖେଳିଥିଲା । ଏହି ମ୍ୟାଚରେ ବାଙ୍ଗାଲୋର ପକ୍ଷରୁ କ୍ରିସ୍ ଗେଲ କେବଳ ୩୦ ବଲରେ ମାରିଥିଲେ ଶତକ । ମୋଟ ୬୬ଟି ବଲର ସମ୍ମୁଖୀନ ହେଇ ଗେଲ ଏହି ମ୍ୟାଚରେ ମାରିଥିଲେ ୧୭୫ ରନ୍ । ଆଉ ଏହି ଇଂନିସ ଭିତରେ ଥିବା ୧୭ଟି ଛକା ଓ ୧୩ଟି ଚୌକା । ତେବେ ଗେଲଙ୍କ ଏହି ଇଂନିସ ବଳରେ ସେଦିନ ୨୦ ଓଭରରେ ୨୬୩ ରନ୍ କରିଥିଲା ବାଙ୍ଗାଲୋର । ଯାହା ଆଜି ବି ଆଇପିଏଲ ଇତିହାସରେ ସବୁଠୁ ବଡ ସ୍କୋର ହୋଇ ରହିଛି ।

ସେହିପରି ଏପ୍ରିଲ ୨୩ ତାରିଖ ୨୦୧୭ ମସିହାରେ ଆଇପିଏଲ୍ ଇତିହାସରେ ଲଜ୍ଜ୍ୟାଜନକ ଦିନ ଦେଖିଥିଲା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ଏହି ତାରିଖରେ ହିଁ କୋଲାକାତା ବିରୋଧରେ ଦଳ ନିଜର ବ୍ୟକ୍ତିଗତ ସର୍ବନିମ୍ନ ସ୍କୋର ଦେଖିଥିଲା । ମାତ୍ର ୪୯ ରନରେ ଦଳର ସବୁ ବ୍ୟାଟ୍ସମ୍ୟାନ୍ ପ୍ୟାଭିଲିୟନ୍ ଫେରିଥିଲେ । ଯାହା ଦଳ ପାଇଁ ଆଜି ବି ସବୁଠୁ କମ୍ ସ୍କୋର ହୋଇ ରହିଛି । ତେବେ ଆଜି ଦଳ କେବଳ ୬୮ ରନରେ ଅଲଆଉଟ୍ ହୋଇ ନିଜର ଦ୍ୱିତୀୟ ସର୍ବନିମ୍ନ ସ୍କୋର କରିଛି । ଏହା ଆଇପିଏଲ ଇତିହାସରେ ଷଷ୍ଠ ସର୍ବନିମ୍ନ ସ୍କୋର ମଧ୍ୟ ।