କନକ ବ୍ୟୁରୋ: ୟେସ ବ୍ୟାଙ୍କ ବିବାଦ ନେଇ ଲୋକେ ଡରରେ ଥିବା ବେଳେ ବିଭିନ୍ନ ଘରୋଇ କମ୍ପାନୀ ଉପରେ ଧିରେଧିରେ ଲୋକଙ୍କ ଆଶା ତୁଟୁଥିବା ଚର୍ଚ୍ଚା ହେଉଛି । ଆଉ ଠିକ ଏତିକି ବେଳେ ଲୋକେ ଘରୋଇ କମ୍ପାନୀରୁ ଟଙ୍କା ଉଠାଇବାରେ ବ୍ୟସ୍ତ ରହିଛନ୍ତି । ଲୋକଙ୍କ ଏଭଳି ତତ୍ପରତା ଦେଖି ଆରବିଆଇ ଘରୋଇ ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ୱସନା ଦେଇଛି । ଆଉ ଉଲ୍ଲେଖ କରିଛି କି ଆପଣଙ୍କ ଟଙ୍କା ସୁରକ୍ଷିତ ରହିଛି । କୌଣସି ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ ।
ୟେସ୍ ବ୍ୟାଙ୍କ ଦୁର୍ନୀତି ପଦାକୁ ଆସିବା ପରେ ଏବେ ସମଗ୍ର ଦେଶରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ୟେସ୍ ବ୍ୟାଙ୍କ ଦୁର୍ନୀତିକୁ ଦେଖିବା ପରେ ଏବେ କେବଳ ମାତ୍ର ସାଧାରଣ ଜନତା ନୁହନ୍ତି; ବରଂ ବିଭିନ୍ନ ରାଜ୍ୟର ରାଜ୍ୟ ସରକାରମାନେ ମଧ୍ୟ ଭୟଭୀତ ହୋଇ ପଡ଼ିଛନ୍ତି। ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ଆତଙ୍କିତ ହୋଇ ନିଜ ନିଜର ଜମା ଟଙ୍କା ବୁଡ଼ିଯିବା ଆଶଙ୍କାରେ ଏବେ ବିଭିନ୍ନ ଘରୋଇ ବ୍ୟାଙ୍କ ମାନଙ୍କରେ ଖୋଲିଥିବା ଜମାଖାତାକୁ ବନ୍ଦ କରିବା ସହ ସେଥିରେ ଜମାଥିବା ଟଙ୍କାକୁ ଉଠାଣ କରିବା ଆରମ୍ଭ କରି ଦେଇଛନ୍ତି। ଯାହାକି ଏବେ ଦେଶର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇବାକୁ ଆରମ୍ଭ କରିଛି। କାରଣ, ଅଧିକ ସୁଧ ପାଇବା ଆଶାରେ ବିଭିନ୍ନ ରାଜ୍ୟର ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଘରୋଇ କମ୍ପାନି ଏପରିକି ଖୋଦ୍ ବିଭିନ୍ନ ରାଜ୍ୟ ସରକାରଙ୍କର ଏକାଧିକ ନିଗମ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ବହୁ ସରକାରୀ ସଂସ୍ଥା ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପରିବର୍ତ୍ତେ ଘରୋଇ ବ୍ୟାଙ୍କରେ ଟଙ୍କା ଜମା ରଖିବାକୁ ଅଧିକ ପସନ୍ଦ କରିଥାନ୍ତି ଏବଂ କୋଟି କୋଟି ଟଙ୍କା ମଧ୍ୟ ଜମା ରଖିଥାନ୍ତି।
ୟେସ୍ ବ୍ୟାଙ୍କ୍ ଦୁର୍ନୀତି ପରେ ଏବେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଘରୋଇ କମ୍ପାନି ଏପରିକି ଖୋଦ୍ ବିଭିନ୍ନ ରାଜ୍ୟ ସରକାରଙ୍କର ଏକାଧିକ ସଂସ୍ଥା ଘରୋଇ ବ୍ୟାଙ୍କ୍ରେ ଥିବା ସେମାନଙ୍କ ଜମା ଖାତା ସବୁକୁ ବନ୍ଦ କରିବା ସହ ଜମାଥିବା କୋଟି କୋଟି ଟଙ୍କାର ‘ପାନିକ୍’ ଉଠାଣ କରୁଛନ୍ତି। ଏହି ଘଟଣାରେ ଦେଶର ଆର୍ଥିକ ବ୍ୟବସ୍ଥା ଦୋହଲି ଯିବା ସହ ଭଲ ରେକର୍ଡ ଥିବା ଘରୋଇ ବ୍ୟାଙ୍କଗୁଡ଼ିକ ମଧ୍ୟ ବନ୍ଦ ହୋଇଯିବା ଅବସ୍ଥାକୁ ଆସିଗଲେଣି।
ଏପରିସ୍ଥିତିରେ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦେଶର ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ନିକଟକୁ ଏକ ପତ୍ର ଲେଖାଯାଇ କୁହାଯାଇଛି ଯେ ଭୟଭୀତ ହେବାର କୌଣସି କାରଣ ନାହିଁ। ଦେଶର ଘରୋଇ ବ୍ୟାଙ୍କଗୁଡ଼ିକର ଅବସ୍ଥା ଭଲ ଅଛି। ସେଗୁଡ଼ିକ ବୁଡ଼ିବାର ଆଶଙ୍କା ନାହିଁ। ତେଣୁ, ସେସବୁ ବ୍ୟାଙ୍କରେ ଜମାଥିବା ଟଙ୍କାକୁ ଉଠାନ୍ତୁ ନାହିଁ କିମ୍ବା ଜମାଖାତାକୁ ବନ୍ଦ ମଧ୍ୟ କରନ୍ତୁ ନାହିଁ।