ସୁବିଧାରେ ଲୋନ ପାଇବା ଲୋଭ ଆଣିପାରେ ସମସ୍ୟା । ଫଟାଫଟା ଲୋନ୍ ଆପରୁ ଦୂରେଇ ରହିବାକୁ ସତର୍କ କଲା ଆରବିଆଇ ।

480

କନକ ବ୍ୟୁରୋ: କ୍ଲିକ କରନ୍ତୁ ଲୋନ ପାଆନ୍ତୁ । ଚୁଟକିରେ ଦୂରାନ୍ତୁ ଲୋନ ଚିନ୍ତା… ମୋବାଇଲ ଖେଳାଉ ଖେଳାଉ ଏମିତି କିଛି ଲେଖା ଥିବା ଅନେକ ନୋଟିଫିକେସନ ଦେଖାଏ । ଯେଉଁଥିରେ ସହଜରେ ଲୋନ ପାଇବାକୁ ବିଭିନ୍ନ ମେସେଜ ଆସେ । ଆପ ମାଧ୍ୟମରେ ଫଟାଫଟ ଲୋନ ପାଇବାକୁ ଲୋକଙ୍କୁ ଅନେକ ଲୋଭନୀୟ ଅଫର ମଧ୍ୟ ମିଳେ । ଆଉ ଯଦି ଆପଣ ଉକ୍ତ ଆପର ମାୟାରେ ପଡିଗଲେ ତାହାଲେ ସବୁ ସରିଲା । ବେନାମୀ ଆପ୍ ଆପଣଙ୍କୁ ବରବାଦ କରିପାରେ, ଆପଣଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ ବି କରିପାରେ । ଏଭଳି ସତର୍କ କରାଇଛି ଆରବିଆଇ ।

ଯଦି ଆପଣ ବିନା କଷ୍ଟରେ, ବିନା କାଗଜ ପତ୍ରରେ କିମ୍ବା ବ୍ୟାଙ୍କକୁ ଧାଁଦଉଡ ନକରି ମୋବାଇଲ ଆପ ମାଧ୍ୟରେ ଲୋନ ନେବାକୁ ଚାହୁଁଥାନ୍ତି କିମ୍ବା ସେମିତି ଫୋନ କଲ ପାଇ ଉକ୍ତ ଆପକୁ ନିଜ ମୋବାଇଲରେ ଇନଷ୍ଟଲ କରୁଥାନ୍ତି ତାହାଲେ ଏକଦମ ସାବଧାନ । କାରଣ ଲୋନ ନାଁରେ ମୋବାଇଲ ଆପର ମାୟାଜାଲ ବିଛାଇଛି ଚୀନ । ଲୋକଙ୍କୁ ଠକିବାକୁ ଚୀନ ଲୋନର ଚକ୍ରବ୍ୟୁହ କରିଛି । ମାଳମାଳ ଅଣ ସ୍ୱୀକୃତିପ୍ରାପ୍ତ ଆପ ଲୋକଙ୍କୁ ଫସେଇବାକୁ ସୋସିଆଲ ମିଡିଆରେ ସକ୍ରିୟ ରହିଛନ୍ତି । ଅନେକ ଫୋନ କରି ବି ଫଶାଉଛନ୍ତି । ତେଣୁ ଏସବୁ ଆପ ପ୍ରତି ସତର୍କ ରହିବା ସହ ଆଦୌ ଏଥିରେ ନପଶିବାକୁ ସିଧାସିଧା ମନା କରିଛି ଆରବିଆଇ ।

ତେବେ ହାଇଦ୍ରାବାଦ ଓ ଗୁରୁଗ୍ରାମରୁ ଲୋନ ଆପ ଠକେଇର ପର୍ଦ୍ଦାଫାସ ହେବା ପରେ ଏକ ଗ୍ୟାଙ୍ଗ ଜାକାର୍ତା ଲିଙ୍କରେ ଠକେଇର ଚେର ଲମ୍ବାଇଥିବା ଜଣାପଡିଛି । ପାଖାପାଖି ୩୦ଟି ଲୋନ ଆପ ଠକେଇରେ ସକ୍ରିୟ ରହିଛି ଯାହାର ସିଧା ଲିଙ୍କ ଚୀନ ସହ ବି ଥିବା ସନ୍ଦେହ କରାଯାଉଛି । ତେବେ ଲୋଭନୀୟ ଅଫର ଦେଖି ଯେଉଁମାନେ ଲୋନ ନେବାକୁ କ୍ଲିକ କରନ୍ତି ସେମାନେ ଟଙ୍କା ପାଆନ୍ତି ସତ କିନ୍ତୁ ଯଦି ଠିକ ସମୟରେ ଋଣ ପୈଠ କର ନପାରିଲେ ତେବେ ଦେବାଳିଆ ତାଲିକାରେ ସେମାନଙ୍କ ନାଁ ରହିବା ସହ ବାରମ୍ବାର ଫୋନ କରି ଚାପ ପକାଯାଏ । ଯାହା ଫଳରେ ଅନେକ ଆତ୍ମହତ୍ୟା କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ହାଇଦ୍ରାବାଦର ଜଣେ ସଫଟୱେର ଇଞ୍ଜିନିୟର ସମେତ ୩ ଜଣ ଏହି ଜାଲରେ ଫଶି ଜୀବନ ହାରିଛନ୍ତି ।

ତେଣୁ ଏଥିପ୍ରତି ସତର୍କ ରହିବାକୁ ଆରବିଆଇ ପରାମର୍ଶ ଦେଇଛି । ତେବେ ଆରବିଆଇ କହିଛି ଯଦି କେହି କଲ କରି କିମ୍ବା ଅଣସ୍ୱିକୃତୀପ୍ରାପ୍ତ ଲୋନ ଆପରେ ଆପଣଙ୍କୁ ବ୍ୟାଙ୍କର କେୱାଇସି, ନିଜ ମୋବାଇଲର ଡିଟେଲସ, ଫଟୋ ଆଦି ମାଗନ୍ତି ତେବେ ସେମାନଙ୍କୁ ଦିଅନ୍ତୁ ନାହିଁ । ଆଉ ଉକ୍ତ ସଂସ୍ଥା ବାବଦରେ ପୂର୍ବାପର ବିଚାର କରି ଆଗକୁ ବଢନ୍ତୁ । କାରଣ କିଏ ଜାଣିଲା ଗୋଟିଏ ଗୋଟିଏ ଲୋଭନୀୟ କଲ ଆପଣଙ୍କୁ ବରବାଦ କରିପାରେ ଆପଣଙ୍କ ବ୍ୟକ୍ତଗତ ତଥ୍ୟ ଚୋରି କରିପାରେ । ତେଣୁ ବେଳ ହୁଁ ସାବଧାନ ।