ତେଜିଲା ଆରବିଆଇ ବିବାଦ ! ରିଜର୍ଭ ବ୍ୟାଙ୍କର ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରୁଛନ୍ତି ମୋଦି ସରକାର ।

448

କନକ ବ୍ୟୁରୋ : ସିବିଆଇ ପରେ ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାର ମୁହାଁମୁହିଁ ହୋଇଛନ୍ତି  । ରିଜର୍ଭ ବ୍ୟାଙ୍କ ଡେପୁଟି ଗଭର୍ନର ବିରଲ୍ ଆଚାର୍ଯ୍ୟ କେନ୍ଦ୍ର ବିରୁଦ୍ଧରେ ସ୍ୱାୟତତା ହ୍ରାସର ଅଭିଯୋଗ ଆଣିଥିବା ବେଳେ ଏହାକୁ ନେଇ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି  । ସେପଟେ ଏଭଳି ଘଟଣା ସାର୍ବଜନୀନ କରାଯାଇ ଥିବାରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ରିଜର୍ଭ ବ୍ୟାଙ୍କ କର୍ତୃପକ୍ଷଙ୍କ ଉପରେ ଅସନ୍ତୁଷ୍ଟ ଥିବା କୁହାଯାଉଛି  ।

କେନ୍ଦ୍ର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି । ସିବିଆଇ ପରେ ସରକାର ବିରୁଦ୍ଧରେ ଆରବିଆଇ । ସିବିଆଇ ବିବାଦ ଲୋକଙ୍କ ମନରୁ ଲିଭିନଥିବା ବେଳେ ନୂଆ ଅଡୁଆରେ ଫଶିଛନ୍ତି ମୋଦି ସରକାର  । କେନ୍ଦ୍ର ବିରୁଦ୍ଧରେ ରିଜର୍ଭ ବ୍ୟାଙ୍କ ଡେପୁଟି ଗଭର୍ନର୍ ଡକ୍ଟର ବିରଲ୍ ଆଚାର୍ଯ୍ୟ ସ୍ୱାୟତତା ଓ ସ୍ୱତନ୍ତ୍ରତା ହାନି ଭଳି ସଙ୍ଗିନ୍ ଆରୋପ୍ ଲଗାଇବା ପରେ ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଆରବିଆଇ ଓ କେନ୍ଦ୍ର ସରକାର । ସେପଟେ ବିରଲ୍ ଆଚାର୍ଯ୍ୟଙ୍କ ସମର୍ଥନରେ ବାହାରିଛି ରିଜର୍ଭ ବ୍ୟାଙ୍କ କର୍ମଚାରୀ ସଂଘ । ଅନ୍ୟପଟେ ବିବାଦ ସାର୍ବଜନୀନ ହୋଇଥିବାରୁ ଏହାଦ୍ୱାରା ନିବେଶକଙ୍କ ଦୃଷ୍ଟିରେ ଭାରତର ଛବି ଖରାପ୍ ହେବା ଆଶଙ୍କା କରିଛନ୍ତି ସରକାର ଓ ଏହି ଘଟଣାରେ ପିଏମଓ ଅସନ୍ତୁଷ୍ଟ ଥିବା ମଧ୍ୟ କୁହାଯାଉଛି  ।

ଆରବିଆଇ-କେନ୍ଦ୍ର ବିବାଦର ପୂରା କାହାଣୀ :

୧. ପେମେଂଟ୍ ବ୍ୟାଙ୍କଗୁଡ଼ିକର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଅଲଗା ରେଗୁଲେଟରି ଅଥରିଟି ଉପରେ ଗୁରୁତ୍ୱ ଦେବା ବେଳେ ଏହାକୁ ଆରବିଆଇ କ୍ଷମତାହ୍ରାସ ମନେ କରୁଛି  ।

୨. ଆରଏସଏସର ସହଯୋଗୀ ସ୍ୱଦେଶୀ ଜାଗରଣ ମଂଚର ଚାପ ପରେ ବୋର୍ଡରୁ ନଚିକେତ ମୋରଙ୍କୁ ହଟାଯିବା ଘଟଣାରେ କେନ୍ଦ୍ର ଉପରେ ଖପ୍ପା ଥିଲା ଆରବିଆଇ  ।

୩. ନୀରବ ମୋଦି ଠକେଇ ମାମଲାରେ ତଦାରଖକାରୀ ହୋଇଥିବାରୁ ଆରବିଆଉ ଉପରେ ଦୋଷ ଲଦିଥିଲେ କେନ୍ଦ୍ର ସରକାର ଓ ଏହା ମୁହାଁମୁହିଁ ସ୍ଥିତି ସୃଷ୍ଟି କରିଥିଲା  ।

୪. ବୃଦ୍ଧିପାଉଥିବା ଏନପିଏ ମାମଲାରେ ମଧ୍ୟ କେନ୍ଦ୍ର ଉପରେ କ୍ଷୁବଧ ଥିଲା ଆରବିଆଇ  ।

୫. ସୁଧଦର ହ୍ରାସ ଘଟଣାରେ କେନ୍ଦ୍ର ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲା ଆରବିଆଇ  ।

ଅକ୍ଟୋବର ୨୬ ତାରିଖରେ ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆରବିଆଇର ନମ୍ବର ୨ କୁହାଯାଉଥିବା ବିରଲ୍ ଆଚାର୍ଯ୍ୟ କେନ୍ଦ୍ର ବିରୁଦ୍ଧରେ ବୟାନ ଦେଇଥିଲେ  । ଆରବିଆଇର ସ୍ୱତନ୍ତ୍ରତା ସହ ବୁଝାମଣା ହେଲେ ସଙ୍କଟ ସୃଷ୍ଟି ହେବ ଓ ଏହାର ପ୍ରଭାବ କେନ୍ଦ୍ର ସରକାର ରୁଣନେଉଥିବା ପୁଂଜି ବଜାର ଉପରେ ପଡ଼ିବ ବୋଲି ସେ କହିଥିଲେ  । ଏଭଳି ସ୍ଥିତିରେ ଗଭର୍ନର ଉର୍ଜିତ ପଟେଲ ଯଦି ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲନ୍ତି ତେବେ ସରକାର ନୂଆ ଅଡୁଆରେ ପଡ଼ିବା ଏବେ ଠାରୁ କୁହାଯାଉଛି  ।