ବଢିଚାଲିଛି କେନ୍ଦ୍ର-ଆରବିଆଇ ବିବାଦ ! ପଦରୁ ହଟିବେନି ଉର୍ଜିତ ପଟେଲ ।

95

କନକ ବ୍ୟୁରୋ : ପଦରୁ ହଟିବେନି ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ । ଆରବିଆଇ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଲଗାତର ଭାବେ ମତାନ୍ତର ଚାଲିଥିଲେ ମଧ୍ୟ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ ତାଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବେ । ତାଙ୍କୁ ପଦରୁ ହଟାଇବା ନେଇ ସରକାର କୌଣସି ଚିନ୍ତା କରୁନାହାନ୍ତି ବୋଲି ସୂଚନା ମିଳିଛି । ତେବେ ଅଗଷ୍ଟ ମାସରେ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ କାର୍ଯ୍ୟକାଳ ଶେଷ ହେବ । ସେ ଅଗଷ୍ଟ ମାସ ପର୍ଯ୍ୟନ୍ତ କାର୍ଯ୍ୟରେ ରହିବେ । ଗତ କିଛି ଦିନ ଧରି କେନ୍ଦ୍ର ସରକାର ଓ ଆରବିଆଇ ମଧ୍ୟରେ ବିବାଦ ଲାଗିରହିଛି । ରିଜର୍ଭ ବ୍ୟାଙ୍କ ସମ୍ପୂର୍ଣ୍ଣ ସ୍ୱାଧୀନତା ଚାହୁଁଥିବା ବେଳେ ଏହାକୁ ନେଇ ସରକାରଙ୍କ ସହ ମତଭେଦ ବଢିବାରେ ଲାଗିଛି ।

ବ୍ୟାଙ୍କ ଗୁଡିକର ଏନପିଏ ସମସ୍ୟା ପାଇଁ ରିଜର୍ଭ ବ୍ୟାଙ୍କ ଉପରେ ଦୋଷ ଲଦିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ବ୍ୟାଙ୍କ ଗୁଡିକ ମନଇଚ୍ଛା ଋଣ ଦେଇଥିବାରୁ ଏପରି ପରିସ୍ଥିତି ଉପୁଜିଛି । ରିଜର୍ଭ ବ୍ୟାଙ୍କ ମଧ୍ୟ ଏସବୁକୁ ଅଣଦେଖା କରିଛି ବୋଲି କହିଥିଲେ ଜେଟଲୀ । ଆରବିଆଇ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟଙ୍କ ବୟାନ ପରେ ଏହାର ପ୍ରତିକ୍ରିୟାରେ ଏପରି କହିଥିଲେ ଅର୍ଥମନ୍ତ୍ରୀ । ରିଜର୍ଭ ବ୍ୟାଙ୍କର ସ୍ୱାଧୀନତା ଉପରେ ଆକ୍ରମଣ ଦେଶ ପାଇଁ ବିପଦଜ୍ଜନକ ହୋଇପାରେ ବୋଲି କହିଥିଲେ ବିରଳ । ଏହାକୁ ନେଇ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟ କ୍ରମଶଃ ବଢିବାରେ ଲାଗିଛି । ଯେଉଁଥି ପାଇଁ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ ଇସ୍ତଫା ଦେବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଥିଲା ।