ଆପଣଙ୍କ ପାଖରେ ଅଛି କି ୨ ହଜାର ଟଙ୍କିଆ ନୋଟ୍? ଅଚଳ ହେଇଯିବ ୨ ହଜାର ଟଙ୍କିଆ ନୋଟ୍! ଆରବିଆଇ ନେଲା ବଡ ନିଷ୍ପତ୍ତି 

451

କନକ ବ୍ୟୁରୋ: ଆପଣଙ୍କ ପାଖରେ ଅଛି କି ୨ ହଜାର ଟଙ୍କିଆ ନୋଟ୍? ଯଦି ଅଛି, ତେବେ ଆପଣଙ୍କ ପାଇଁ ଆସିଛି ବଡ ଖବର । ଭାରତୀୟ ରିଜର୍ଭ ବ୍ୟାଙ୍କ ୨ ହଜାର ଟଙ୍କିଆ ନୋଟକୁ ନେଇ ନେଇଛି ବଡ ନିଷ୍ପତ୍ତି । ଖୁବଶୀଘ୍ର ଅଚଳ ହେବାକୁ  ଯାଉଛି ଏହି ଭାରତୀୟ ନୋଟ୍ ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ସୂଚନା ମୁତାବକ, ଦେଶରେ ଏହି ୨ ହଜାର ଟଙ୍କିଆ ନୋଟର ପ୍ରଚଳନ ତକ୍ରାଳ ପ୍ରଭାବରେ ବନ୍ଦ କରାଯିବ । କ୍ଲିନ୍ ନୋଟ୍ ପଲିସିରେ ରିଜର୍ଭ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଛି । ତେବେ ଲୋକମାନେ କିନ୍ତୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବ୍ୟାଙ୍କରେ ଏହି ନୋଟ୍ ଡିପୋଜିଟ୍ କରିପାରିବେ  ଏବଂ ନିଜ ଟଙ୍କାକୁ ସୁରକ୍ଷିତ ରଖିପାରିବେ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ସୂଚନା ଦିଆଯାଇଛି ।

ଗଲା କିଛି ଦିନ ଧରି ବଜାରରେ ଏହି ନୋଟ୍ କମ ନଜର ଆସୁଥିଲା । ଏମିତିକି ଏଟିଏମରେ ମଧ୍ୟ ଏହି ନୋଟ୍ ଦେଖିବାକୁ ମିଳୁନଥିଲା । ଏହି ନୋଟକୁ ଛାପିବା ମଧ୍ୟ ବନ୍ଦ କରିଦେଇଥିଲା ଆରବିଆଇ । ନିଜର ବାର୍ଷିକ ରିପୋର୍ଟରେ ଆରବିଆଇ କହିଥିଲା ଯେ, ୨୦୧୯ ମସିହାରୁ ୨୦୨୨ ଭିତରେ ୨ ହଜାର ଟଙ୍କିଆ ନୋଟ୍ ବିଲକୁଲ୍ ଛପା ଯାଇନଥିଲା । ଆଉ ଏବେ ଏକ ବଡ ନିଷ୍ପତି ନେବା ସହିତ, ବଜାରରୁ ଏହି ନୋଟ୍ ହଟେଇବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିଷ୍ପତି ନେଇଛି ।

୨୦୧୬ ମସିହା ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ବଡ ଘୋଷଣା କରିଥିଲେ । ଏହି ଦିନ ୫ଶହ ଓ ହଜାରେ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରିଥିଲେ ମୋଦୀ । ଏଥିସହିତ ବଜାରରେ ନୂଆ ୫ ଶହ ଓ ୨ ହଜାର ଟଙ୍କିଆ ନୋଟ୍ ଜାରି କରାଯାଇଥିଲା । ତେବେ ଏହାର ପ୍ରାୟ ୭ ବର୍ଷ ପରେ ଏହି ନୋଟକୁ ପୁଣି ଅଚଳ କରିବାକୁ ଆରବିଆଇ ବଡ ନିଷ୍ପତ୍ତି ନେଇଛି ।

ତେବେ ଆପଣଙ୍କ ପାଖରେ ଯଦି ୨ ହଜାର ଟଙ୍କିଆ ନୋଟ୍ ଅଛି । ତେବେ ବିଲକୁଲ୍ ବି ବ୍ୟସ୍ତ ହୁଅନ୍ତୁ ନାହିଁ । ଏହି ଟଙ୍କା ବର୍ତମାନ ପାଇଁ ବୈଧ ରହିବ ବୋଲି ଆରବିଆଇ ସୂଚନା ଦେଇଛି । ଆପଣ  ନିଜର ଟଙ୍କାକୁ ସେପ୍ଟେମ୍ବର ୩୦ ସୁଦ୍ଧା ବ୍ୟାଙ୍କରେ ଡିପୋଜିଟ୍ କରିପାରିବେ । ତେବେ ଏଥିପାଇଁ ଦୈନିକ ସୀମା ୨ ହଜାର ଟଙ୍କା ରହିଛି ।