ଆରବିଆଇ ଆଣିବ ନିଜସ୍ୱ ଡିଜିଟାଲ କରେନ୍ସି । ବ୍ୟବହାର ଓ ସୁରକ୍ଷାକୁ ନେଇ କାମ କରୁଛି କେନ୍ଦ୍ରୀୟ ବ୍ୟାଙ୍କର ଏକ ଆନ୍ତଃ କମିଟି

158

କନକ ବ୍ୟୁରୋ: ଘରୋଇ ଡିଜିଟାଲ କରେନ୍ସି (ପିଡିସି), ଭର୍ଚୁଆଲ କରେନ୍ସି (ଭିସି) ଓ କ୍ରିପ୍ଟୋ କରେନ୍ସି ର ଲୋକପ୍ରିୟତା ବଢୁଥିବା ଦେଖି ଭାରତୀୟ ରିଜର୍ଭ ବ୍ୟାଙ୍କ ବି ଡିଜିଟାଲ କରେନ୍ସି ପ୍ରଚଳନ କରିବାକୁ ଘୋଷଣା କରିଛନ୍ତି । ଏହାର ମଡେଲ କିଭଳି ରହିବ ଓ ଏହାକୁ ଘରୋଇ ଡିଜିଟାଲ କରେନ୍ସି ଭଳି ବ୍ୟବହାର କରାଯିବ ନା ଆଇନଗତ ଭାବେ କିଛି ପରିବର୍ତ୍ତନ କରାଯିବ ସେ ନେଇ କେନ୍ଦ୍ରୀୟ ବ୍ୟାଙ୍କର ଏକ ଆନ୍ତଃ କମିଟି ବର୍ତ୍ତମାନ କାର୍ଯ୍ୟ କରୁଛି ଓ ଏନେଇ ଶୀଘ୍ର ନିଷ୍ପତ୍ତି ଆସିବ ବୋଲି ଆରବିଆଇର ଡେପୁଟି ଗଭର୍ନର ବିଭୁ ପ୍ରସାଦ କାନୁନଗୋ ଶୁକ୍ରବାର ସୂଚନା ଦେଇଛନ୍ତି ।
ପୂର୍ବରୁ ବିଟ୍ କଏନ କାରବାରକୁ ନେଇ ଆରବିଆଇ ଆଶଙ୍କା ପ୍ରକଟ କରିଥିଲା । ହେଲେ ଏହାକୁ ନଜରରେ ରଖି ନିଜସ୍ୱ ଏକ ଭର୍ଚୁଆଲ କରେନ୍ସି ପ୍ରଚଳନ ସପକ୍ଷରେ କେନ୍ଦ୍ରୀୟ ବ୍ୟାଙ୍କ ମତ ରଖିଥିଲା । ଘରୋଇ ଡିଜିଟାଲ କରେନ୍ସି ଉପରେ କଟକଣା ଲଗାଇବାକୁ ସରକାର ଗତ ସପ୍ତାହରେ ଅଗ୍ରସର ହୋଇଥିଲେ ।
ଆରବିଆଇର ନିଜସ୍ୱ ଡିଜିଟାଲ କରେନ୍ସି ବାବଦରେ ଗଭର୍ନର ଡ.ଶକ୍ତିକାନ୍ତ ଦାସ କହିଛନ୍ତି କି ଡିଜିଟାଲ କରେନ୍ସିକୁ ବିଚାରକୁ ନେଇ ଅଦ୍ୟାବଧି ଦସ୍ତାବିଜ ଜାରି କରାଯାଇଛି । ଏନେଇ କାର୍ଯ୍ୟ କରୁଥିବା କେନ୍ଦ୍ରୀୟ ବ୍ୟାଙ୍କର ଆନ୍ତଃ କମିଟିର ରିପୋର୍ଟ ଆସିବା ପରେ ନିଷ୍ପତ୍ତି ନିଆଯିବ । ସେପଟେ ଆରବିଆଇର ଡେପୁଟି ଗଭର୍ନର ବିଭୁ ପ୍ରସାଦ କାନୁନଗୋ କହିଛନ୍ତି କି ପୂର୍ବରୁ ମୁଦ୍ରାନୀତି କମିଟି ପକ୍ଷରୁ ଆରବିଆଇର ନିଜସ୍ୱ ଡିଜିଟାଲ କରେନ୍ସି ବାବଦରେ ଘୋଷଣା କରାଯାଇଛି ।
କହିରଖୁ କି ଡିଜିଟାଲ କରେନ୍ସି (ପିଡିସି), ଭର୍ଚୁଆଲ କରେନ୍ସି (ଭିସି) ଓ କ୍ରିପ୍ଟୋ କରେନ୍ସି ଗତ କିଛିବର୍ଷ ହେବ ବେସ୍ ଲୋକପ୍ରିୟତା ହାସଲ କରିଛି । ହେଲେ ଏହି କରେନ୍ସି ଗୁଡିକର ବ୍ୟବହାରକୁ ନେଇ ସରକାର ଏବଂ ନିୟାମକ ଏବେ ବି ଆଶଙ୍କାରେ ରହିଛନ୍ତି । ହେଲେ ବର୍ତ୍ତମାନ ଭାରତୀୟ ମୁଦ୍ରାର ଡିଜିଟାଲ କରେନ୍ସି ଆଣିବା ଓ ତାହାକୁ ପ୍ରଚଳନ କରିବା ଭଳି ବିଭିନ୍ନ ଦିଗ ଉପରେ ପ୍ରସ୍ତୁତ ଚାଲିଥିବା କଥା ରିଜର୍ଭବ୍ୟାଙ୍କ ପକ୍ଷରୁ ଜାନୁଆରୀ ମାସରେ କୁହାଯାଇଥିଲା ।