କନକ ବ୍ୟୁରୋ : ମୁଦ୍ରା ନୀତି ସମୀକ୍ଷା ବୈଠକରେ ଆରବିଆଇର ବଡ ନିଷ୍ପତି । ରେପୋ ରେଟ ଓ ରିଭର୍ସ ରେପୋ ରେଟ ଅପରିବର୍ତିତ ରହିବା ନେଇ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର । ଏଥିସହ ଜିଡିପି ହ୍ରାସ ନେଇ ପୂର୍ବରୁ କରିଥିବା ଆକଳନରେ ସଂଶୋଧନ ଆଣିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ।

Advertisment

ମୂଦ୍ରାନୀତି ସମୀକ୍ଷା ବୈଠକରେ ଆରବିଆଇ ବଡ ନିଷ୍ପତି ନେଇଛି । ଅପରିବର୍ତିତ ରହିଲା ରେପୋ ରେଟ ଓ ରିଭର୍ସ ରେପୋ ରେଟ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି, ରେପୋ ରେଟ ୪ପ୍ରତିଶତ ଓ ରିଭର୍ସ ରେପୋ ରେଟ ୩ ଦଶମିକ ୩୫ପ୍ରତିଶତ କାଏମ ରହିଛି । ଏହାଛଡା ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ବର୍ଷ ଆର୍ଥିକ ଅଭିବୃଦ୍ଧିରେ ସୁଧାର ଆସୁଥିବା ସୂଚନା ଦେଇଛନ୍ତି ।

ଆଗାମୀ ଦିନରେ ମଧ୍ୟରେ ଦେଶରେ ମହଙ୍ଗା ମାଡ ଜାରି ରହିବ ବୋଲି ପୂର୍ବାନୁମାନ କରିଛନ୍ତି ଶକ୍ତିକାନ୍ତ ଦାସ । ସେ କହିଛନ୍ତି, ଆସନ୍ତା ଅକ୍ଟୋବରରୁ ଡିସେମ୍ବର ମାସ ଭିତରେ  ୬ଦଶମିକ ୮ ପ୍ରତିଶତ ରହିବା ଆଶଙ୍କା ରହିଛି । ସେହିପରି ୨୦୨୦-୨୧ ଆର୍ଥିକ ବର୍ଷରେ ଜିଡିପି ବା ମୋଟ ଘରୋଇ ଉତ୍ପାଦ ହ୍ରାସ ନେଇ ପୂର୍ବରୁ କରିଥିବା ଆକଳନକୁ ସଂଶୋଧନ କରିଛି ଆରିବିଆଇ । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି, ଜିଡିପି ଦର ଶୂନ୍ୟରୁ ମାଇନସ ୭ ଦଶମିକ ୫ପ୍ରତିଶତ ରହିପାରେ । ପୂର୍ବରୁ ଜିଡିପି ମାଇନସ ୯ ଦଶମିକ ଆକଳନ କରିଥିଲା ଆରବିଆଇ । ଏହା ଦର୍ଶାଉଛି କୋଭିଡ ମହାମାରୀ ଯୋଗୁଁ ତାଲାବନ୍ଦ ପରେ ଶିଥିଳ ପଡିଥିବା ଆର୍ଥିକ ବ୍ୟବସ୍ଥାରେ ଏବେ ଦ୍ରୁତ ଗତି ଆସିଛି ଓ ସୁଧାର ଆଡକୁ ମୁହାଁଇଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କର ଘୋଷଣା ପରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ ଇତିହାସରେ ପ୍ରଥମ ଥର ପାଇଁ ୪୫ ହଜାର ପାର ହୋଇଛି । ସକାଳ ୧୦ଟା ୫୦ ମିନିଟରେ ଶୂନ ଦଶମିକ ୮୫ ପ୍ରତିଶତ ଅଭିବୃଦ୍ଧି ସହ ୪୫ ହଜାର ୧୩ ଦଶମିକ ୩୩ ଅଙ୍କକୁ ଛୁଇଥିଲା ସେନସେକ୍ସ । ସେହିପରି ନିଫଟି ଶୂନ ଦଶମିକ ୮୦ ପ୍ରତିଶତ ବୃଦ୍ଧି ସହ ୧୩ ହଜାର ୨୩୯ ଦଶମିକ ୧୦କୁ ଛୁଇଁଥିଲା ।