କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମୁଦ୍ରାୟନ ନିଷ୍ପତ୍ତିକୁ ୧ ବର୍ଷ ପୂରିବାକୁ ବସିଲାଣି ମାତ୍ର ଏବେ ବି ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ର ଯାଞ୍ଚ ବନ୍ଦ ହୋଇ ନାହିଁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ୍(ଆରବିଆଇ) ପକ୍ଷରୁ ପ୍ରକାଶ ପାଇଛି।
ସୂଚନା ଅଧିକାର ଆଇନ୍(ଆର୍ଟିଆଇ) ପକ୍ଷରୁ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ପ୍ରକାଶ କରିଛି ଯେ ‘ ସେପ୍ଟେମ୍ବର ୩୦ ସୁଦ୍ଧା ୧୧୩୪ କୋଟି ଖଣ୍ଡ ପୁରୁଣା ୫୦୦ ନୋଟ୍ ଏବଂ ୫୨୪.୯୦ କୋଟି ଖଣ୍ଡ ୧୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କ୍ରେ ଜମା ହୋଇଛି।’ ତେବେ, ଏହି ୫୦୦ ଓ ୧୦୦୦ ଟଙ୍କିଆ ଅଚଳ ନୋଟ୍ର ମୂଲ୍ୟ ସମୁଦାୟ ୧୦.୯୦ ଲକ୍ଷ କୋଟି ବୋଲି ଜାଣିବାକୁ ମିଳିିଛି।
ଆର୍ବିଆଇ ପକ୍ଷରୁ ପ୍ରକାଶ ପାଇଛି ଯେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଗଣନା କରିବା ପାଇଁ ୬୬ଟି ସୋଫିଷ୍ଟିକେଟେଡ କରେନ୍ସି ଭେରିଫିକେସନ୍ ଆଣ୍ଡ୍ ପ୍ରସେସିଂ(ସିଭିପିଏସ୍) ବ୍ୟବହାର କରାଯାଇଛି। ଉଲ୍ଳେଖଯୋଗ୍ୟ, ଦେଶକୁ କଳାଧନ ମୁକ୍ତ କରିବା ପାଇଁ ୨୦୧୬ ମସିହା ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାୟନ ନିଷ୍ପତ୍ତି ନେଇଥିଲେ। ମୋଦିଙ୍କର ଏହି ନିଷ୍ପତ୍ତି ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ନଭେମ୍ବର ୮ ତାରିଖକୁ ଏଣିକି ତାଙ୍କ ଦଳ ତୃଣ ମୂଳ କଂଗ୍ରେସ ‘କଳା ଦିବସ’ ଭାବେ ପାଳନ କରିବ। ଅନ୍ୟ ପକ୍ଷରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ କହିଛନ୍ତି ଯେ ଏହି ଦିନକୁ ବିଜେପି ପକ୍ଷରୁ ‘କଳା ଧନ ବିରୋଧୀ ଦିବସ’ ଭାବେ ପାଳନ କରାଯିବ।
Follow Us