ୟୁପିଆଇରେ ଟଙ୍କା ନେଣଦେଣ ହୋଇପାରେ ମହଙ୍ଗା, ମାଗଣା ହେବ ନାହିଁ ଡେବିଟ କାର୍ଡ ନେଣଦେଣ । ପଢନ୍ତୁ କାହିଁକି?

244

କନକ ବ୍ୟୁରୋ: ଭାରତର ନିଜସ୍ୱ ପେମେଣ୍ଟ ସିଷ୍ଟମ ୟୁପିଆଇ ଲଞ୍ଚ ହେବା ପରେ ଏହା ସଫଳତା ହାସଲ କରିଛି । ଏହାର ସବୁଠାରୁ ବଡ କାରଣ ହେଲା ମାତ୍ର ଗୋଟିଏ ମିନିଟରେ ଲୋକେ ଟଙ୍କା ପଠାଇପାରୁଛନ୍ତି । ଏଥିପାଇଁ କୌଣସି ପ୍ରକାର ଦେୟ ଦେବାକୁ ପଡେ ନାହିଁ । ତେବେ ସ୍ଥିତି ବଦଳିବା ସହ ସମୟ ବଦଳିଛି । ବର୍ତ୍ତମାନ ୟୁପିଆଇ ପେମେଣ୍ଟ ପାଇଁ ଲୋକଙ୍କୁ ଦେୟ ଦେବାକୁ ପଡିପାରେ । ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାକୁ ନେଇ ଡିସକସନ ପେପର ଅନ୍ ଚାର୍ଜେସ ଇନ୍ ପେମେଣ୍ଟ ସିଷ୍ଟମ ଜାରି କରିଛି । ଏହା ଜାରି କରିବା ସହ ଲୋକଙ୍କ ପାଖରୁ ଆରବିଆଇ ମତ ମାଗିଛି ।

ବର୍ତ୍ତମାନ ଆଇଏମପିଏସ ଭଳି ୟୁପିଆଇରେ ଟ୍ରାନଜାକସନ ପାଇଁ ଦେୟ ଦେବାକୁ ପଡିପାରେ । ତେବେ ଆରବିଆଇର ଜାରି ହୋଇଥିବା ପେପରରେ କୁହାଯାଇଛି, ୟୁପିଆଇ ଭଳି ଆଇଏମପିଏସରେ ଟଙ୍କା ନେଣଦେଣର ପ୍ରକ୍ରିୟା ରହିଛି । ତେଣୁ ଏହା ଉପରେ ଚାର୍ଜ ଲାଗିବା ଦରକାର । ତେଣୁ ବର୍ତ୍ତମାନ ସମୟରେ ତର୍କ ଦିଆଯାଉଛି ଯେ ଆଇଏମପିଏସ ଭଳି ୟୁପିଆଇ ନେଣଦେଣରେ ଦେୟ ଲାଗୁକରାଯାଉ । ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଅଲଗା ଅଲଗା ଟଙ୍କା ନେଣଦେଣ ପାଇଁ ଅଲଗା ଅଲଗା ଦେୟ ନିର୍ଦ୍ଧାରିତ କରାଯାଇପାରେ ।

ପେପର ଅନୁସାରେ, ୟୁପିଆଇ ଟଙ୍କା ନେଣଦେଣ ପାଇଁ ରିଅଲ ଟାଇମ ଟ୍ରାନସଫରକୁ ସୁନିଶ୍ଚିତ କରିଥାଏ । ସେହିଭଳି ଏହା ଏକ ମର୍ଚାଣ୍ଟ ପେମେଣ୍ଟ ସିଷ୍ଟମ ଭାବେ ରିଅଲ ଟାଇମ ସେଟେଲମେଣ୍ଟ କରିଥାଏ । ଏହି ସେଟେଲମେଣ୍ଟକୁ ସୁନିଶ୍ଚିତ କରିବା ପାଇଁ ପିଏସଓ ଏବଂ ବ୍ୟାଙ୍କକୁ ପର୍ଯ୍ୟାପ୍ତ ବୁନୀଆଦି ସଂରଚନା ପ୍ରସ୍ତୁତ କରିବାକୁ ପଡିଥାଏ । ଯାହାଦ୍ୱାରା ବିନା କୌଣସି ରିସ୍କରେ ନେଣଦେଣ ପୂରା ହୋଇପାରେ । ଏହି କାରଣରୁ ସିଷ୍ଟମରେ ଅତିରିକ୍ତ ଖର୍ଚ୍ଚ ଆସିଥାଏ । ଆରବିଆଇ ସ୍ପଷ୍ଟ କରିଛି ଯେ, ପେମେଣ୍ଟ ସିଷ୍ଟମ ସମେତ କୌଣସି ଅର୍ଥନୈତିକ କାରବାରରେ ମାଗଣା ସେବା ନେଇ କୌଣସି ପ୍ରକାର ତର୍କର ସ୍ଥାନ ନାହିଁ । ଏହା ଲୋକଙ୍କ ଭଲ ତଥା ଦେଶର କଲ୍ୟାଣ ପାଇଁ ନୁହେଁ । ତେବେ ପ୍ରଶ୍ନ ଏହା ଉଠିଥାଏ କି ଏହି ଭଳି ବୁନୀଆଦି ସଂରଚନାକୁ ପ୍ରସ୍ତୁତ କରିବା ଏବଂ ତାର ପରିଚାଳନା କରିବା ପାଇଁ ଆସୁଥିବା ଖର୍ଚ୍ଚକୁ ବହନ କରିବାକୁ ହେବ ।

ରିଜର୍ଭ ବ୍ୟାଙ୍କ ୟୁପିଆଇ ସହ ଡେବିଟ କାର୍ଡ ନେଣଦେଣ, ଆରଟିଜିଏସ, ଏନଇଏଫଟି ଆଦି ପାଇଁ ମଧ୍ୟ ଚାର୍ଜ ଲାଗୁ ଉପରେ ଲୋକଙ୍କ ମତାମତ ମାଗିଛି । ପେପରରେ କୁହାଯାଇଛି ରିଜର୍ଭ ବ୍ୟାଙ୍କ ଡେବିଡ୍ କାର୍ଡ ପେମେଣ୍ଟସିଷ୍ଟମ , ଆରଟିଜିଏସ ପେମେଣ୍ଟ ଏବଂ ଏନଇଏଫଟି ପେମେଣ୍ଟ ପାଇଁ ଦେୟ ଆଦାୟ ଅତର୍କିତ ଭାବେ ହେବ ନାହିଁ । ଏଥିପାଇଁ ଏକ ବୁନୀଆଦି ସଂରଚନାରେ ବଡ ନିବେଶର ଆବଶ୍ୟକତା ରହିଛି । ଏହାକୁ ଏଭଳି ଦେଖାନଯାଉ ଯେ ରିଜର୍ଭ ବ୍ୟାଙ୍କ ଟଙ୍କା ଆଦାୟ କରିବା ପାଇଁ ବିକଳ୍ପ ଭାବେ ଏହାକୁ ବ୍ୟବହାର କରୁଛି । ଲୋକମାନେ ଏହା ଭାବନ୍ତୁ ଯେ ସିଷ୍ଟମକୁ ବିକଶିତ କରିବା ପାଇଁ ପରିଚାଳନା ବାବଦରେ ହେଉଥିବା ଖର୍ଚ୍ଚକୁ ଆଦାୟ ପାଇଁ ପ୍ରୟାସ ହେଉଛି ।