ଜାନୁଆରୀରୁ ମହଙ୍ଗା ହେବ ଏଟିଏମ କାରବାର, ଗ୍ରାହକଙ୍କୁ ଦେବାକୁ ହେବ ଏତେ ଟଙ୍କା ଚାର୍ଜ

198

କନକ ବ୍ୟୁରୋ : ନୂଆ ବର୍ଷ ଠାରୁ ଏଟିଏମ ବ୍ୟବହାର କରିବା ମହଙ୍ଗା ହେବାକୁ ଯାଉଛି । ଏନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସମସ୍ତ ବ୍ୟାଙ୍କକୁ ଗ୍ରାହକଙ୍କ ଏଟିଏମ କାରବାର ଉପରେ ଅଧ୍ଚଳ ଚାର୍ଜ ଆଦାୟ କରିବାକୁ ଅନୁମତି ଦେଇଛନ୍ତି । ଜାନୁଆରୀ ୨୦୨୨ ଠାରୁ ଆପଣଙ୍କୁ ବ୍ୟାଙ୍କ ତରଫରୁ ଯେତେଥର ଏଟିଏମରୁ ଟଙ୍କା ଉଠାଣ ପାଇଁ ଫ୍ରି ଅପ୍ସନ ଦିଆଯାଇଛି ତା ଠାରୁ ଅଧିକ ଥର ଏଟିଏମ କାରବାର କଲେ ପୂର୍ବ ଅପେକ୍ଷା ଅଧିକ ଚାର୍ଜ ଦେବାକୁ ପଡିବ ।

ରିଜର୍ଭ ବ୍ୟାଙ୍କର ଏକ ବିଜ୍ଞପ୍ତି ମୁତାବକ ଫ୍ରି ଟ୍ରାନ୍ଜାକ୍ସନର ମାସିକ ଲିମିଟ ପରେ ଆପଣ ଯଦି ଅଧିକ କାରବାର କରୁଛନ୍ତି ତେବେ ପୂର୍ବ ଚାର୍ଜ ତୁଳନାରେ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ହେବ । ଏବେ ପ୍ରତିଟି ଅତିରିକ୍ତ କାରବାର ଉପରେ ଗ୍ରାହକଙ୍କୁ ପ୍ରତି କାରବାର ପିଛା ୨୦ ଟଙ୍କା ଦେବାକୁ ପଡୁଥିବା ବେଳେ ଆସନ୍ତା ବର୍ଷ ଠାରୁ ପ୍ରତି ଅତିରିକ୍ତ କାରବାର ପ୍ରତି ଗ୍ରାହକଙ୍କୁ ୨୧ ଟଙ୍କା ଦେବାକୁ ପଡିବ ।

ରିଜର୍ଭ ବ୍ୟାଙ୍କ ତାଙ୍କ ବିଜ୍ଞପ୍ତିରେ ସ୍ପଷ୍ଟ କରିଛନ୍ତି କି ଯଦି ଏଟିଏମ କାରବାର ଉପରେ ଅନ୍ୟକର ଲାଗିଥାଏ ତାହେଲେ ତାହା କାରବାର ଚାର୍ଜ ଠାରୁ ଅଲଗା ହେବ । ଏହାସହ ପ୍ରତି ଗ୍ରାହକଙ୍କୁ ମାସିକ ୫ ଥର ମାଗଣାରେ ଏଟିଏମ କାରବାର କରିବାର ସୁଯୋଗ ମିଳିବ    । ହେଲେ ଏହା ସବୁ କ୍ଷେତ୍ରରେ ସମାନ ନୁହେଁ । ମେଟ୍ରୋ ସହରମାନଙ୍କରେ ରହୁଥିବା ଗ୍ରାହକମାନଙ୍କୁ ମାସିକ ୩ ଥର ମାଗଣା କାରବାର ଉପରେ ଚାର୍ଜ ଦେବାକୁ ପଡିବ ନାହିଁ ।

କହିରଖୁ କି ମାସିକ ୫ ଥର ମାଗଣା କାରବାର ଭିତରେ ଆପଣଙ୍କର ଆର୍ଥିକ ଓ ଅଣ ଆର୍ଥିକ କାରବାର ଜଡିତ ରହିବ । ଅର୍ଥାତ ଆପଣ ଯଦି ବାଲାନ୍ସ ଚେକ କରୁଛନ୍ତି ବା ଷ୍ଟେଟମେଣ୍ଟ ବାହାର କରୁଛନ୍ତି ତେବେ ତାହା ବି ଆପଣଙ୍କ ମାଗଣା କାରବାର ଭିତର ଗଣତି ହେବ ।