ବନ୍ଧା ପଡିଥିବା ସୁନା ବ୍ରିଟେନରୁ ଆଣିଲା ଭାରତ । ୧୦୦ ଟନ୍ ଫେରି ପାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ ।

291

କନକ ବ୍ୟୁରୋ: ବ୍ରିଟେନରୁ ଭାରତ ଫେରିଲା ୧୦୦ ଟନ୍ ସୁନା । ଭାରତୀୟ ରିଜର୍ଭ ବ୍ୟାଙ୍କ ବିଦେଶରେ ବନ୍ଧକ ରଖିଥିବା ଶହେ ଟନ୍ ସୁନାକୁ ଏବେ ନିଜ ଦେଶକୁ ଫେରାଇ ଆଣିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ଆଗାମୀ ଦିନରେ ବିଦେଶରେ ବନ୍ଧକ ପଡିଥିବା ଆହୁରି ସୁନାକୁ ମଧ୍ୟ ଦେଶକୁ ଫେରାଇ ଅଣାଯିବ । ତେବେ ୧୯୯୧ ମସିହାରେ ବନ୍ଧକ ରଖାଯାଇଥିବା ଏହି ସୁନାକୁ ଏବେ ଆରବିଆଇର ଷ୍ଟକରେ ସାମିଲ କରାଯାଇଛି । ଜାଣିରଖିବା ଉଚିତ୍ ଯେ, ଭାରତୀୟ ରିଜର୍ଭ ବ୍ୟଙ୍କର ଅଧାରୁ ଅଧିକ ସୁନାର ବ୍ୟାଙ୍କ୍ ଅଫ୍ ଇଂଲଣ୍ଡ ଏବଂ ବ୍ୟାଙ୍କ୍ ଅଫ୍ ଇଣ୍ଟରନ୍ୟାସନାଲ ସେଟଲମେଣ୍ଟସ୍ ପାଖରେ ରହିଛି ।

ଆରବିଆଇ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ମୁତାବକ, ୨୦୨୪ ମସିହା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କ ପାଖରେ ବିଦେଶୀ ମୁଦ୍ରା ଭଣ୍ଡାରର ଅଂଶ ଭାବରେ ୮୨୨.୧୦ ଟନ୍ ସୁନା ରହିଛି । ଯାହାକି ଗତବର୍ଷ ଏହି ସମୟରେ ୭୯୪.୬୩ ଟନ୍ ଥିଲା । ୧୯୯୧ ମସିହାରେ ଚନ୍ଦ୍ରଶେଖର ସରକାରଙ୍କ ସମୟରେ ଆର୍ଥିକ ସନ୍ତୁଳନ ରକ୍ଷା କରିବାକୁ ରିଜର୍ଭ ବ୍ୟାଙ୍କର ସୁନାକୁ ବନ୍ଧକ ରଖାଯାଇଥିଲା । ୧୯୯୧ ମସିହା ଜୁଲାଇ ୧ରୁ ୧୮ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୪୬.୯୧ ଟନ୍ ସୁନା ବନ୍ଧକ ରଖି ବ୍ୟାଙ୍କ ଅଫ୍ ଇଂଲଣ୍ଡ ଏବଂ ବ୍ୟାଙ୍କ୍ ଅଫ୍ ଜାପାନ ପାଖରୁ ୪ ଶହ ମିଲିୟନ୍ ଟଙ୍କା ଯୋଗାଡ କରିପାରିଥିଲା ।

ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ସୁନାକୁ ମୁମ୍ବାଇ ମିଣ୍ଟ ରୋଡ୍ ସ୍ଥିତ ଆରବିଆଇ ଭବନ ତଥା ନାଗପୁରରେ ଥିବା ନିଜ ଟ୍ରେଜେରୀରେ ରଖିଥାଏ । ୱାଲ୍ଡ ଗୋଲ୍ଡ କାଉନ୍ସିଲର ରିପୋର୍ଟ ମୁତାବକ, ବିଶ୍ୱ କେନ୍ଦ୍ରୀୟ ବ୍ୟାଙ୍କ ପାଖରେ ବର୍ତ୍ତମାନ ଖନନ କରାଯାଇଥିବା ସୁନାର ପ୍ରାୟ ୧୭ ପ୍ରତିଶତ ସୁନା ମହଜୁଦ୍ ଅଛି ।