ଅପରିବର୍ତ୍ତିତ ରହିବ ରେପୋ ରେଟ୍ : ରେପୋ ରେଟ୍ ୪ ପ୍ରତିଶତ ଓ ରିଭର୍ସ ରେପୋ ୩ ଦଶମିକ ୫ ପ୍ରତିଶତରେ ସ୍ଥିର; କମିବ ନାହିଁ ଲୋନ୍ ଇଏମଆଇ, ଆରବିଆଇର ତ୍ରୟମାସିକ ନିଷ୍ପତ୍ତି, ସୁନା ଦାମର ୯୦ ପ୍ରତିଶତ ଯାଏଁ ମିଳିବ ଋଣ

593

କନକ ବ୍ୟୁରୋ : ଅପରିବର୍ତ୍ତିତ ରହିବ ରେପୋ ରେଟ୍ । ରେପୋ ରେଟ୍ ୪ ପ୍ରତିଶତ ଓ ରିଭର୍ସ ରେପୋ ରେଟ୍ ୩ ଦଶମିକ୍ ୫ ପ୍ରତିଶତରେ ସ୍ଥିର ରଖିବାକୁ ନିଷ୍ପତି ନେଇଛି ଆରବିଆଇର  । ଅର୍ଥାତ ଋଣ କିସ୍ତିରେ କୌଣସି ପ୍ରକାର କମ୍ ହେବ ନାହିଁ । ଏଥିସହ ସୁନା ବଦଳରେ ଋଣର ପରିମାଣକୁ ବଢ଼ାଇ ଦେବାକୁ ନିଷ୍ପତ୍ତି ନେଇଛି ଆରବିଆଇ । ଏଣିକି ସୁନା ଦାମର ୯୦ ପ୍ରତିଶତ ପର୍ଯ୍ୟନ୍ତ ଋଣ ମିଳିପାରିବ । ପୂର୍ବରୁ ସୁନା ଦାମର ୭୫ ପର୍ଯ୍ୟନ୍ତ ଋଣ ମିଳୁଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କର ତୃତୀୟ ତ୍ରୟମାସିକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ତେବେ ଲୋନ୍ ମୋରାଟୋରିୟମ ସମୟ ସୀମାକୁ ନେଇ ସେ କୌଣସି ସୂଚନା ଦେଇ ନାହାଁନ୍ତି  । ଅଗଷ୍ଟ ୩୧ ତାରିଖରେ ଋଚ୍ଚର ମୋରାଟୋରିୟମ ଅବଧି ଶେଷ ହେବାକୁ ଯାଉଛି ।

ଅନ୍ୟପଟେ ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର କମ୍ ରହିବ ବୋଲି କହିଛନ୍ତି । ହେଲେ କରୋନା ମାଡ ପରେ ଦେଶର ଅର୍ଥନୀତି ପୁଣି ଥରେ ଟ୍ରାକକୁ ଫେରୁଛି । ବିଶେଷକରି ଗ୍ରାମିଣ ଭାରତରେ ଅର୍ଥନୀତି ପୁଣି ଟ୍ରାକକୁ ଫେରୁଥିବା ସେ କହିଛନ୍ତି । ଏଥିସହ ଦେଶରେ ଦରଦାମ ନିୟନ୍ତ୍ରଣରେ ରହିଛି ଓ ଆଗାମୀ ୬ମାସ ପର୍ଯ୍ୟନ୍ତ ଦର ଦାମ ବୃଦ୍ଧ କମ୍ ରହିବ ବୋଲି ଆରବିଆଇ ଆକଳନ କରିଛି ।