କନକ ବ୍ୟୁରୋ: ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟରେ କୌଣସି ପରିବର୍ତ୍ତନ କରିନି । ଗୁରୁବାର ଭାରତୀୟ ରିଜର୍ଭ ବ୍ୟାଙ୍କର ମନିଟରି ପଲିସି କମିଟିର ମିଟିଂରେ ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରିଥିଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏହି ସମୟରେ ସେ ରେପୋ ରେଟ୍ ଅପରିବର୍ତ୍ତିତ ରହିଥିବା ନେଇ ସୂଚନା ଦେଇଛନ୍ତି ।
ତେବେ ଶେଷ ଥର ପାଇଁ ରିଜର୍ଭ ବ୍ୟାଙ୍କ ୨୦୨୩ ମସିହା ଫେବ୍ରୁଆରୀ ୮ ତାରିଖରେ ରେପୋ ରେଟରେ ପରିବର୍ତ୍ତନ କରିଥିଲା । ସେତେବେଳେ ଏହାକୁ ୨୫ ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇଥିଲା । ସେତେବେଳେ ଏହା ୬.୨୫ ପ୍ରତିଶତରୁ ବୃଦ୍ଧି ପାଇ ୬.୫୦ ପ୍ରତିଶତ ହେଇଥିଲା । ସେବେଠୁ ଗତ ୬ଟି ମନିଟରି ପଲିସି କମିଟି ମିଟିଂରେ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି । ତେବେ ଏଥର ମଧ୍ୟ ମିଟିଂ ଆରମ୍ଭ ହେବା ପୂର୍ବରୁ ରେପୋ ରେଟ୍ ଅପରିବର୍ତ୍ତିତ ରହିବା ନେଇ ପୂର୍ବାନୁମାନ କରାଯାଉଥିଲା । ଆଉ ଅନୁମାନ ମୁତାବକ ମଧ୍ୟ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି ।
ଏହାବାଦ୍ ରିଜର୍ଭ ବ୍ୟାଙ୍କ ରିଭର୍ସ ରେପୋ ରେଟକୁ ମଧ୍ୟ ସ୍ଥିର ରଖିଛି । ଯାହାକି ବର୍ତ୍ତମାନ ୩.୩୫ ପ୍ରତିଶତ ରହିଛି । ଅନ୍ୟପଟେ ଏମଏସଏଫ୍ ରେଟ୍ ଏବଂ ବ୍ୟାଙ୍କ୍ ରେଟ୍ ୬.୭୫ ପ୍ରତିଶତ ରହିଛି । ସେପଟେ ରିଜର୍ଭ ବ୍ୟାଙ୍କ ଗର୍ଭଣ୍ଣର ଶକ୍ତିକାନ୍ତ ଦାସଙ୍କ କହିବା ମୁତାବକ, ଏଥର ଜିଡିପି ଗ୍ରୋଥର ଅନୁମାନ ୭ ପ୍ରତିଶତ ରଖାଯାଇଛି । ଯାହାର ପୂର୍ବ ଅନୁମାନ ମଧ୍ୟ ୭.୩ ରହିଥିଲା । ଏହାସହ ଗତ ଏକ ବର୍ଷ ଧରି ଭାରତୀୟ ମୁଦ୍ରାରେ ସ୍ଥିରତା କାୟମ୍ ରହିଛି ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/02/rbi-governor-shaktikanta-das-075427112-16x9-1.webp)