ପୁଣି ଝଟକା ଦେଲା ରିଜର୍ଭ ବ୍ୟାଙ୍କ । ୫୦ ବେସିସ୍ ପଏଣ୍ଟ ବଢ଼ାଇଲା ରେପୋ ରେଟ୍ । ଚଳିତ ଆର୍ଥିକ ବର୍ଷରେ କ୍ରମାଗତ ୩ ଥର ସୁଧହାର ବୃଦ୍ଧି

186

କନକ ବ୍ୟୁରୋ: ପୁଣି ବଢିବ ଗୃହଋଣ, ଇଏମଆଇ । ଦରଦାମ ବୃଦ୍ଧିକୁ ଟ୍ରାକକୁ ଆଣିବା ପାଇଁ ଲଗାତର ତୃତୀୟ ଥର ପାଇଁ ରେପୋ ରେଟ୍ ବଢାଇଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ୫୦ ପ୍ରତିଶତ ରେପୋ ରେଟ ବୃଦ୍ଧି ପରେ ଏହା ୫.୪ ପ୍ରତିଶତରେ ପହଞ୍ଚିଛି । ଚଳିତ ଆର୍ଥିକ ବର୍ଷରେ ୩ ଥରରେ ୧.୪ ପ୍ରତିଶତ ସୁଧହାର ବଢ଼ାଇଛି ରିଜର୍ଭ ବ୍ୟାଙ୍କ । ସାରା ବିଶ୍ୱରେ ମୁଦ୍ରାସ୍ଫୀତି ଚିନ୍ତାଜନକ ଥିବା ବେଳେ ଭାରତରେ ସ୍ଥିତି ସୁଧାରିବାକୁ ଅଣ୍ଟା ଭିଡିଛି କେନ୍ଦ୍ରୀୟ ବ୍ୟାଙ୍କ ।

  • ପୁଣି ବଢ଼ିଲା ରେପୋ ରେଟ୍
  • ବଢ଼ିବ ଗୃହଋଣର ମାସିକ କିସ୍ତି
  • ବଢ଼ିବ କାର୍ ଲୋନ୍, ପର୍ସନାଲ୍ ଲୋନର ଇଏମ୍ଆଇ

ଦରଦାମ ବୃଦ୍ଧି ବା ମୁଦ୍ରାସ୍ଫୀତି ରୋକିବା ପାଇଁ ପୁଣିଥରେ ସୁଧହାର ବଢ଼ାଇଛି ରିଜର୍ଭ ବ୍ୟାଙ୍କ । ରିପୋ ରେଟ୍ ବା ସୁଧହାର ୫୦ ବେସିସ୍ ପଏଣ୍ଟ ବା ୦.୫ ପ୍ରତିଶତ ବୃଦ୍ଧି ପାଇଛି । ଚଳିତ ଆର୍ଥିକ ବର୍ଷରେ ୩ ଥର ରେପୋ ରେଟ୍ ବୃଦ୍ଧି ପାଇଁ ୫.୪୦ ପ୍ରତିଶତରେ ପହଁଚିଛି । ରିଜର୍ଭ ବ୍ୟାଙ୍କର ମୁଦ୍ରନୀତି କମିଟିରେ ଏହି ନିଷ୍ପତି ନିଆଯାଇଛି । ସୁଧହାର ବୃଦ୍ଧିର ସିଧାସଳଖ ପ୍ରଭାବ ପଡ଼ିବ ସାଧରଣ ଲୋକଙ୍କ ଉପରେ । କାରଣ ଗୃହଋଣ, କାର୍ ଓ ପର୍ସନାଲ ଲୋନର ମାସିକ କିସ୍ତି ମଧ୍ୟ ବୃଦ୍ଧି ପାଇବ । ପିକ୍ସଡ୍ ଡିପୋଜିଟ୍ କରିଥିଲେ, ଅଧିକ ସୁଧ ପାଇବେ ଗ୍ରାହକ ।

  • କେତେ ବଢ଼ିବ ମାସିକ କିସ୍ତି?
  • ଗଣିବାକୁ ପଡ଼ିବ କେତେ ଅଧିକ ଟଙ୍କା?

ମନେ କରନ୍ତୁ ଆପଣ ୩୦ ଲକ୍ଷ ଟଙ୍କାର ଗୃହଋଣ ନେଇଛନ୍ତି । ଅବଧି ରହିଛି ୨୦ ବର୍ଷ । ବାର୍ଷିକ ୮ ପ୍ରତିଶତ ହିସାବରେ ସୁଧ ଦେବାକୁ ପଡୁଛି । ଫଳରେ ଆପଣଙ୍କୁ ମାସିକ କିସ୍ତି ବାବଦରେ ୨୫,୦୯୩ ଟଙ୍କା ଦେବାକୁ ପଡୁଛି । ଯଦି ୦.୫ ପ୍ରତିଶତ ସୁଧହାର ବୃଦ୍ଧି ପାଇବ, ତେବେ ମାସିକ କିସ୍ତି ୨୬,୦୩୫ ଟଙ୍କା ଗଣିବାକୁ ପଡ଼ିବ । ଅର୍ଥାତ ମାସିକ ୯୪୨ ଟଙ୍କା ଅଧିକ ଦେବାକୁ ପଡ଼ିବ ।

ପୂର୍ବରୁ                                     ବୃଦ୍ଧି ପରେ
ଗୃହଋଣ: ୩୦ ଲକ୍ଷ               ଗୃହଋଣ: ୩୦ ଲକ୍ଷ
ଅବଧି: ୨୦ବର୍ଷ                     ଅବଧି: ୨୦ବର୍ଷ
ସୁଧହାର: ୮%                    ସୁଧହାର: ୮.୫%
ମାସିକ କିସ୍ତି: ୨୫,୦୯୩      ମାସିକ କିସ୍ତି: ୨୬,୦୩୫

ଚଳିତ ଆର୍ଥକ ବର୍ଷରେ ୩ଥରରେ ୧.୪୦ ପ୍ରତିଶତ ସୁଧହାର ବଢ଼ାଇଛି ରିଜର୍ଭ ବ୍ୟାଙ୍କ । ସାରା ବିଶ୍ୱରେ ମୁଦ୍ରାସ୍ଫୀତି ଚିନ୍ତାଜନକ ଥିବା ବେଳେ ଭାରତରେ ସ୍ଥିତି ସୁଧାରିବାକୁ ଅଂଟା ଭିଡିଛି କେନ୍ଦ୍ରୀୟ ବ୍ୟାଙ୍କ ।