କନକ ବ୍ୟୁରୋ: ସାଧାରଣ ଜନତାଙ୍କୁ ଝଟକା । ଗାଡି କିଣା, ଘର ତୋଳିବା  ସବୁ ଲୋନ୍ ହେବ ମହଙ୍ଗା । ସାଧାରଣ ଜନତାଙ୍କୁ ପୁଣି ଝଟକା ଦେଇଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । କାରଣ ରେପୋ ରେଟରେ ୦.୨୫ ପ୍ରତିଶତ ବୃଦ୍ଧି କରିଛି ଆରବିଆଇ । ଏହାପରେ ସବୁ ପ୍ରକାରର ଲୋନ୍ ମହଙ୍ଗା ହୋଇଯିବ । ଦେଶରେ ମହଙ୍ଗା ସମସ୍ୟା ନିୟନ୍ତ୍ରଣକୁ ଆସିବା ପରେ ରେପୋ ରେଟ୍କୁ ପୁଣିଥରେ ବଢାଇବାକୁ ନିଷ୍ପତ୍ତି ନେଇଛି ଆରବିଆଇ ।

Advertisment

 ରେପୋ ରେଟ୍ .୨୫ ପ୍ରତିଶତ ବଢିବା ପରେ ସବୁ ପ୍ରକାର ଲୋନ୍ ମହଙ୍ଗା ହୋଇଯିବ । ଦେଶରେ ମହଙ୍ଗା ସମସ୍ୟା ନିୟନ୍ତ୍ରଣକୁ ଆସିବା ପରେ ବି ରିଜର୍ଭ ବ୍ୟାଙ୍କ ଷଷ୍ଠ ଥର ପାଇଁ ରୋପୋ ରେଟରେ ବୃଦ୍ଧି କରିଛି । ପୂର୍ବରୁ ରେପୋରେଟ୍ ୬.୨୫ ପ୍ରତିଶତ ଥିବାବେଳେ ଏବେ ବଢି ଏହା ୬.୫୦ ପ୍ରତିଶତ ହୋଇଛି । ଏହାର ଅର୍ଥ ହୋମ୍ ଲୋନଠାରୁ ଆରମ୍ଭ କରି ଅଟୋ ଲୋନ୍, ପର୍ସନାଲ ଲୋନ୍ ସବୁ ପାଇଁ ଇଏମଆଇ ଅଧିକ ଦେବାକୁ ପଡିବ । ଦେଶରେ ସାଧାରଣ ବଜେଟ୍ ପ୍ରସ୍ତୁତ କରାଯିବା ପରେ ଆରବିଆଇର ଏମପିସି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୁଧବାର ୩ ଦିବସୀୟ  ମନିଟାରୀ ପଲିସି ମିଟିଙ୍ଗରେ ରେପୋ ରେଟ୍ ବଢିବାର ଘୋଷଣା କରିଛନ୍ତି । ଏହା ପୂର୍ବରୁ ମଧ୍ୟ ୨୦୨୨ରେ ରେପୋ ରେଟ୍ ୫.୯୦ ପ୍ରତିଶତରୁ ବଢି ୬.୨୫ ପ୍ରତିଶତ ହୋଇଥିଲା । ଗତ ବର୍ଷ ଠାରୁ ଏବେଯାଏଁ ରେପୋ ରେଟରେ ୬ଥର ବୃଦ୍ଧି ହୋଇସାରିଲାଣି ।

ଆରବିଆଇର ଏମପିସି ବୈଠକରେ ଏହି ନିଷ୍ପତ୍ତିକୁ ୬ରୁ ୪ଜଣ ସମର୍ଥନ କରିଥିଲେ । ଏହାସହ ଆଗକୁ ଲୋକେ ମହଙ୍ଗା ମାଡ ସହିବାକୁ ପଡିପାରେ ବୋଲି ମଧ୍ୟ ଆଶଙ୍କା ବ୍ୟକ୍ତ କରିଛନ୍ତି ଶକ୍ତିକାନ୍ତ ଦାସ । ୨୦୨୪ ରେ ଦରଦାମ ବୃଦ୍ଧି ୫.୩ ପ୍ରତିଶତ ଯାଏଁ ବଢିପାରେ ବୋଲି ସେ ମତ ପ୍ରକାଶ କରିଛନ୍ତି ।

ରେପୋ ରେଟ୍ କ’ଣ?

ରିଜର୍ଭ ବ୍ୟାଙ୍କ ହେଉଛି ସମସ୍ତ ଜାତୀୟକରଣ ଓ ଘରୋଇ ବ୍ୟାଙ୍କ ଗୁଡିକର ମୁଖ୍ୟ । ଆରବିଆଇ ସମସ୍ତ ବ୍ୟାଙ୍କ ପାଇଁ ନୀତିଗତ ନିଷ୍ପତ୍ତି ନିଏ ଯାହା ଆଧାରରେ ବ୍ୟାଙ୍କ ଗୁଡିକ କାର୍ଯ୍ୟ କରନ୍ତି ଏବଂ ଆରବିଆଇ ଓ ଅନ୍ୟ ବ୍ୟାଙ୍କ ମାନଙ୍କ ମଧ୍ୟରେ ଲେଣଦେଣ ହୁଏ ।

ଆବଶ୍ୟକସ୍ଥଳେ ଅନ୍ୟ ବ୍ୟାଙ୍କ ଗୁଡିକ ରିଜର୍ଭ ବ୍ୟାଙ୍କ ଠାରୁ ସୁଧରେ ଲୋନ୍ ନିଅନ୍ତି ଯାହାକୁ ରେପୋ ରେଟ୍ କୁହାଯାଏ । ରେପୋ ରେଟ୍ କମ୍ ଅଛି ଅର୍ଥ ବ୍ୟାଙ୍କ ଗୁଡିକ ପାଖରେ ଯଥେଷ୍ଟ କ୍ୟାସ୍ ଅଛି । ଫଳରେ ବ୍ୟାଙ୍କ ଗୁଡିକ ଗ୍ରାହକଙ୍କୁ କମ୍ ସୁଧରେ ଲୋନ୍ ଦେଇଥାନ୍ତି । ହେଲେ ରେପୋରେଟ୍  ବଢିବା ଅର୍ଥ ବ୍ୟାଙ୍କ ଗୁଡିକ ଆରବିଆଇ ଠାରୁ ସୁଧରେ ଲୋନ୍ ନେଇଥାନ୍ତି । ଫଳରେ ବ୍ୟାଙ୍କ ଗୁଡିକ ମଧ୍ୟ ନିଜର ଆର୍ଥିକ ସ୍ଥିତି ସୁଧାରିବାକୁ ନିଜ ଗ୍ରାହକଙ୍କୁ ଅଧିକ ସୁଧରେ ଲୋନ୍ ଦେଇଥାନ୍ତି । ଫଳରେ ଗ୍ରାହକଙ୍କୁ ଅଧିକ ଇଏମଆଇ ଦେବାକୁ ପଡେ ।

ଏତେ ପରେ ବି କରୋନା ପରେ ଅନ୍ୟ ଦେଶ ମାନଙ୍କ ଅପେକ୍ଷା ଭାରତର ଆର୍ଥିକ ଅବସ୍ଥା ଦ୍ରୁତ ଗତିରେ ସୁଧୁରିଛି । ସେହିପରି ଅନ୍ୟଦେଶ ମାନଙ୍କ ଅପେକ୍ଷା ଭାରତରେ ରେପୋ ରେଟ୍ ମଧ୍ୟ ଭଲ ସ୍ଥିତିରେ ଅଛି ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।