କନକ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କୋଭିଡ୍-୧୯ ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ଟୁଇଟ୍ କରି ସେ କହିଛନ୍ତି, ମୁଁ କୋଭିଡ୍-୧୯ ପଜିଟିଭ୍ ବୋଲି ପରୀକ୍ଷାରୁ ଜଣାପଡ଼ିଛି। ମୋ ଠାରେ କୌଣସି ଲକ୍ଷଣ ନାହିଁ। ସୁସ୍ଥ ଅଛି। ନିକଟରେ ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ସତର୍କ କରାଇ ଦେଇଛି। ଏକାନ୍ତବାସରେ ଥାଇ କାମ କରିବି। ଭାରତୀୟ ରିଜର୍ଭ ବ୍ୟାଙ୍କର କାମ ସ୍ବାଭାବିକ ଭାବେ ଚାଲିବ। ଭିସି ଓ ଟେଲିଫୋନ୍ ମାଧ୍ୟମରେ ମୁଁ ସମସ୍ତ ଡେପୁଟି ଗଭର୍ଣ୍ଣର୍ ଓ ଅନ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ ରଖିଛି।
ସମ୍ପ୍ରତି ଭାରତୀୟ ରିଜର୍ଭ ବ୍ୟାଙ୍କରେ ପୂର୍ଣ୍ଣସଂଖ୍ୟକ ଡେପ୍ୟୁଟି ଗଭର୍ଣ୍ଣର୍ ଅଛନ୍ତି। ଏହି ଚାରିଜଣ ଡେପୁଟି ଗଭର୍ଣ୍ଣର୍ ହେଉଛନ୍ତି ବିପି କାନୁନଗୋ, ଏମକେ ଜୈନ, ଏମଡି ପାତ୍ର ଏବଂ ଏମ୍ ରାଜେଶ୍ବର ରାଓ। ଲକଡାଉନ୍ ସମୟରେ ଏବଂ କଟକଣା କୋହଳ ହେବା ପରେ ଅର୍ଥନୈତିକ ଅଭିବୃଦ୍ଧିର ପୁନର୍ବିନ୍ୟାସ ଉଦ୍ୟମରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ ଖୁବ୍ ସକ୍ରିୟ ଥିଲେ।
Follow Us