କନକ ବ୍ୟୁରୋ : ମଣିଷର ଅସୁବିଧା ବେଳେ ତାର ସବୁଠାରୁ ଭଲ ବନ୍ଧୁ ହେଉଛି ସୁନା । ଏହି କଥାକୁ ସାଧାରଣ ଲୋକଙ୍କ ସହ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ଠିକ ଭାବେ ବୁଝିଛି । ଏହି କାରଣରୁ ଗତ କିଛିବର୍ଷ ହେବ ଭାରତୀୟ ରିଜର୍ଭ ବ୍ୟାଙ୍କ ତାର ସୁନା କିଣିବାର କ୍ଷମତାକୁ ବୃଦ୍ଧି କରିଛି । ଗତ ୨ବର୍ଷ ମଧ୍ୟରେ ରିଜର୍ଭ ବ୍ୟାଙ୍କ ପାଖାପାଖି ୧୦୦ଟନ୍ ସୁନା କିଣିସାରିଛି । ଏବେ ଦେଶରେ ଏତେ ପରିମାଣର ସୁନା ଗଚ୍ଛିତ ହୋଇଛି କି ବିଶ୍ୱର ଟପ୍ ୧୦ ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୯ମରେ ପହଂଚିସାରିଛି । ହେଲେ ଏଠି ପ୍ରଶ୍ନ ଉଠୁଛି କି ଏତେ ପରିମାଣର ସୁନା କିଣି ଭାରତୀୟ ରିଜର୍ଭ ବ୍ୟାଙ୍କ ତାକୁ ରଖୁଛି କେଉଁଠି ?

Advertisment

ରିଜର୍ଭ ବ୍ୟାଙ୍କ ତରଫରୁ ୨୦୨୨ରେ ଜାରି କରାଯାଇଥିବା ଏକ ରିପୋର୍ଟ ମୁତାବକ ଭାରତ ପାଖରେ ପାଖାପାଖି ୭୫୪ ଟନ ସୁନା ରହିଛି । ଏହା ମଧ୍ୟରୁ ଗତ ୫ବର୍ଷ ମଧ୍ୟରେ ରିଜର୍ଭ ବ୍ୟାଙ୍କ ସବୁଠାରୁ ଅଧିକ ସୁନା କିଣିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୨୦୨୨ ଏପ୍ରିଲ ମାସରୁ ୨୦୨୨ ସେପ୍ଟେମ୍ବର ମାସ ମଧ୍ୟରେ ରିଜର୍ଭ ବ୍ୟାଙ୍କ ୧୩୨.୩୪ ଟନ୍ ସୁନା କିଣିଛି । ସେହିଭଳି ୨୦୨୨ରେ ରିଜର୍ଭ ବ୍ୟାଙ୍କ ବିଶ୍ୱର ସବୁଠାରୁ ଅଧିକ ସୁନା କିଣିଥିବା ଏକ କେନ୍ଦ୍ରୀୟ ବ୍ୟାଙ୍କ ଭାବେ ପରିଚୟ ପାଇଛି । ୨୦୨୦ରେ ସମାନ ମାମଲାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତୃତୀୟ ସ୍ଥାନରେ ଥିବା ବେଳେ ୨୦୨୦ ରେ ମାତ୍ର ୪୧.୬୮ ଟନ୍ ସୁନା କିଣିଥିଲା ଆରବିଆଇ ।

ସେପଟେ ଏତେ ସୁନା କିଣି ରିଜର୍ଭ ବ୍ୟାଙ୍କ କେଉଁଠି ଗଚ୍ଛିତ କରୁଛି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ରହିଛି । ତେବେ ଜାଣନ୍ତୁ ଆରବିଆଇ କିଣୁଥିବା ସୁନାର ସର୍ବାଧିକ ଭାଗ ବିଦେଶରେ ରଖାଯାଇଛି । ଆରବିଆଇର ୪୪୭.୩୦ଟନ୍ ସୁନା ଏବେ ବିଦେଶୀ ବ୍ୟାଙ୍କ ପାଖରେ ସୁରକ୍ଷିତ ରହିଛି । ଏହା ମଧ୍ୟରେ ସବୁଠାରୁ ଅଧିକ ସୁନା ବ୍ୟାଙ୍କ ଅଫ୍ ଇଂଲଣ୍ଡ ପାଖରେ ରହିଥିବା ବେଳେ କିଛି ସୁନା ସ୍ୱିଜରଲାଣ୍ଡ ସ୍ଥିତି ବ୍ୟାଙ୍କ ଅଫ୍ ଇଣ୍ଟରନ୍ୟାସନାଲ ସେଟଲମେଣ୍ଟ ପାଖରେ ସୁରକ୍ଷିତ ରହିଛି ।

ଅନ୍ୟପଟେ ଯଦି ବିଶ୍ୱର ସୁନା ଭଣ୍ଡାର କଥା କୁହାଯିବ ତେବେ ସବୁଠାରୁ ଅଧିକ ସୁନାର ଭଣ୍ଡାର ଆମେରିକା ପାଖରେ ରହିଛି । ସାରା ବିଶ୍ୱରେ ଯେତେ ସୁନା ରହିଛି ତା ମଧ୍ୟରୁ ଆମେରିକା ପାଖରେ ୭୫ ଭାଗ ସୁନା ଭଣ୍ଡାର ରହିଛି । ଏକ ଆକଳନ ମୁତାବକ ଆମେରିକା ପାଖରେ ୮,୧୩୩ ଟନ୍ ସୁନା ରହିଛି । ଏହା ତଳକୁ ରହିଛି ଜର୍ମାନୀ , ଜର୍ମାନ ନିକଟରେ ୩,୩୫୯ ଟନ୍ ସୁନା ରହିଛି । ଏହି ମାମଲରେ ଚୀନ ପାଖରେ ୧,୯୪୮ ଟନ୍ ସୁନା ରହିଛି ।
ରିଜର୍ଭ ବ୍ୟାଙ୍କ ବିଦେଶରେ ସୁନା ଗଚ୍ଛିତ ରଖିବା ପଛରେ ଦୁଇଟି ମୁଖ୍ୟ କାରଣ ରହିଛି । ପ୍ରଥମ କାରଣ ହେଉଛି ଏତେ ପରିମାଣର ସୁନା କିଣି ସେହି ଦେଶରୁ ଭାରତ ଆଣିବା କଷ୍ଟକର । ଏହାର ପରିବହନ ଓ ସୁରକ୍ଷା ବାବଦରେ ଅନେକ ଖର୍ଚ୍ଚାନ୍ତ ହେବାକୁ ପଡିବ । ଏହାସହ ଅସୁବିଧା ସମୟରେ ଏହାକୁ ବିଦେଶରେ ବନ୍ଧା ପକାଇବାକୁ ପଡିଲେ ପୁଣି ଏହାର ପରିବହନ ଓ ସୁରକ୍ଷା ଖର୍ଚ୍ଚ କରିବାକୁ ପଡିବ । ଏହି ଦୁଇଟି ମୁଖ୍ୟ କାରଣ ପାଇଁ ଆରବିଆଇ ଅଧିକାଂଶ ସୁନା ବିଦେଶରେ ଗଚ୍ଛିତ ରଖିଛି ।