କରୋନା ବିରୋଧୀ ଲଢେଇକୁ ସହାୟତା ଯୋଗାଇଲା ରିଜର୍ଭବ୍ୟାଙ୍କ । ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ ଦେଲା ୫୦ ହଜାର କୋଟି ଟଙ୍କା

376

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରି ଜାରି ରହିଥିବା ବେଳେ ରିଜର୍ଭବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ପ୍ରେସ କନଫରେନ୍ସ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି କି କରୋନାର ଦ୍ୱିତୀୟ ଲହର ଦେଶର ଅର୍ଥନୀତି ଉପରେ ଖୁବ୍ ପ୍ରଭାବ ପକାଇଛି । କରୋନାର ଦ୍ୱିତୀୟ ଲହରରୁ ଦେଶକୁ ରକ୍ଷା କରିବାକୁ କିଛି ବଡ ପଦକ୍ଷେପ ନିଆଯିବା ଦରକାର ବୋଲି ସେ କହିଛନ୍ତି ।

ଅନ୍ୟପଟେ ଦେଶରେ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରିବାକୁ ରିଜର୍ଭବ୍ୟାଙ୍କ ପକ୍ଷରୁ ୫୦ ହଜାର କୋଟି ଟଙ୍କା ଦେଇଛି । ଏହି ଟଙ୍କାକୁ ବ୍ୟାଙ୍କ ମାଧ୍ୟମରେ ଭ୍ୟାକ୍ସିନ ପ୍ରସ୍ତୁତ, ଭ୍ୟାକ୍ସିନ ଯୋଗାଣକାରୀ ମାନଙ୍କୁ ସହଜରେ ଋଣ ପ୍ରଦାନ କରାଯିବ । ଏହାର ଲାଭ ହସ୍ପିଟାଲ, ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କୁ ମିଳିବ । ଏହାସହ ଛୋଟ ଛୋଟ ବ୍ୟବସାୟୀ ମାନଙ୍କ ପାଇଁ ବି କିଛି ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି ରିଜର୍ଭବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ସେ କହିଛନ୍ତି କି ପ୍ରାଥମିକତା ଦିଆଯାଉଥିବା ସେକ୍ଟରଗୁଡିକୁ ତୁରନ୍ତ ଲୋନ ଓ ଇନସେଂଟିଭ୍ ପ୍ରଦାନ କରାଯିବ । ଏହାସହ ପ୍ରତି ବ୍ୟାଙ୍କମାନେ ‘କୋଭିଡ୍ ବ୍ୟାଙ୍କ୍ ଲୋନ’ ନାମରେ ଏକ ଯୋଜନା ପ୍ରସ୍ତୁତ କରିବେ ।

ଏହାସହ ଗଭର୍ଣ୍ଣର କହିଛନ୍ତି କି ବର୍ତମାନ ପରିସ୍ଥିତିରେ କେୱାଇସି ନିୟମରେ କିଛି ପରିବର୍ତନ କରାଯିବ । ଭିଡିଓ ମାଧ୍ୟମରେ କେୱାଇସିକୁ ମଞ୍ଜୁରି ପ୍ରଦାନ କରାଯିବ ଓ ରାଜ୍ୟମାନଙ୍କୁ ଓଭର ଡ୍ରାଫ୍ଟ ସୁବିଧା ଦିଆଯିବ ।
କହିରଖୁ କି ଦେଶରେ କରୋନାର ପ୍ରଭାବ ଥମିବାର ନାଁ ନେଉନି । ଦୈନିକ ସଂକ୍ରମଣ ୩.୫ ଲକ୍ଷ ଉପରେ ରହୁଛି । ଗତ ୨୪ ଘଂଟାରେ ଦେଶରେ କରୋନା ସଂକ୍ରମଣରେ ୩୪୦୦ ରୁ ଅଧିକ ଲୋକଙ୍କ ଜୀବନ ଯାଇଛି ।