ଲଗାତାର ଷଷ୍ଠ ଥର ପାଇଁ ସୁଧହାର ଅପରିବର୍ତ୍ତିତ ରଖିଲା ଆରବିଆଇ : ରେପୋ ରେଟ୍ ୪% ଓ ରିଭର୍ସ ରେପୋ ରେଟ୍ ୩.୩୫%ରେ ସ୍ଥିର

722

କନକ ବ୍ୟୁରୋ : ଲଗାତର ଷଷ୍ଠଥର ପାଇଁ ରେପୋ ଓ ରିଭର୍ସ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏପ୍ରିଲ-ଜୁନ୍ ତ୍ରୈମାସିକ ସମୀକ୍ଷା ପରେ ରେପୋ ରେଟ ୪ ପ୍ରତିଶତ ଓ ରିଭର୍ସ ରେପୋ ରେଟକୁ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି ଆରବିଆଇ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ।

ରେପୋ ରେଟ୍ ହେଉଛି- ରୁଣ ଉପରେ ବ୍ୟାଙ୍କଗୁଡିକଠାରୁ ରିଜର୍ଭ ବ୍ୟାଙ୍କ ନେଉଥିବା ସୁଧ । ଏହା ୪ ପ୍ରତିଶତରେ ଅପରିବର୍ତ୍ତିତ ଥିବାରୁ ଗ୍ରାହକଙ୍କୁ ବ୍ୟାଙ୍କ ଦେଉଥିବା ରୁଣ ଉପରେ ସୁଧ ମଧ୍ୟ ଅପରିବର୍ତ୍ତିତ ରହିପାରେ । ସେହିପରି ବ୍ୟାଙ୍କଗୁଡିକର ଜମା ଉପରେ ଆରବିଆଇ ଦେଉଥିବା ସୁଧ ହେଉଛି ରେଭର୍ସ ରେପୋ ରେଟ୍ । ତେଣୁ ଗ୍ରାହକଙ୍କ ଜମା ଉପରେ ସୁଧହାର ମଧ୍ୟ ଅପରିବର୍ତ୍ତିତ ରଖିପାରନ୍ତି ବ୍ୟାଙ୍କ ।

ତେବେ କରୋନା ଦ୍ୱିତୀୟ ଲହର କାରଣରୁ ଆର୍ଥିକ ମାନ୍ଦାବସ୍ଥା ଫଳରେ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ଡିଜିପି ଅଭିବୃଦ୍ଧି ଆକଳନକୁ କମାଇ ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ପୂର୍ବରୁ ଏହା ୧୦.୫ ପ୍ରତିଶତ ରହିବ ବୋଲି ଆରବିଆଇ ଆକଳନ କରିଥିବାବେଳେ ଏବେ ଏହାକୁ ୯.୫ ପ୍ରତିଶତକୁ କମାଇ ଦେଇଛି । ଏଥିସହ ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ଅର୍ଥାତ ଖୁଚୁରା ବଜାରରେ ଦରଦାମ ୫.୧ ପ୍ରତିଶତ ରହିବା ଆକଳନ କରିଛି ଆରିବିଆଇ ।