ଡେବିଟ କିମ୍ବା କ୍ରେଡିଟ କାର୍ଡ ଅଛି କି ? ୧୬ ମାର୍ଚ୍ଚ ପୂର୍ବରୁ କରାଇ ନିଅନ୍ତୁ ଏହି କାମ, ନଚେତ ବନ୍ଦ ହୋଇଯିବ କିଛି ଗୁରୁତ୍ୱପୂର୍ଣ୍ଣ ବ୍ୟାକିଙ୍ଗ ସେବା?

1,987

କନକ ବ୍ୟୁରୋ : ଡେବିଟ କିମ୍ବା କ୍ରେଡିଟ କାର୍ଡ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ବଡ ଖବର । ଯଦି ଆପଣ ୧୬ ମାର୍ଚ୍ଚ ମଧ୍ୟରେ ଅନଲାଇନ କିମ୍ବା କଣ୍ଟାକ୍ଟଲେସ୍ ଟ୍ରାଞ୍ଜାକସନ କରିନଥାନ୍ତି ତେବେ ଏହି ସୁବିଧା ଆପଣଙ୍କ କାର୍ଡରେ ବନ୍ଦ କରାଯାଇପାରେ । ତେଣୁ ଯଦି କାର୍ଡରେ ଏହି ସୁବିଧା ବନ୍ଦ ନ କରିବାକୁ ଚାହୁଁଥାନ୍ତି ତେବେ ୧୬ ମାର୍ଚ୍ଚ ପୂର୍ବରୁ ଥରେ ଏହି ଫିଚର ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ । ଏହାଛଡା ୧୬ ମାର୍ଚ୍ଚରୁ ବ୍ୟାଙ୍କ ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇପାରେ । ଏହାପୂର୍ବରୁ ଆରବିଆଇ ୧୫ ଜାନୁଆରୀରେ ଏନେଇ ନୋଟିଫିକେସନ ଜାରି କରିଥିଲା ।

କଣ୍ଟାକ୍ଟଲେସ୍ ଟ୍ରାଞ୍ଜାକସନ କଣ ?
ଏହି ଜ୍ଞାନକୌଶଳ ବଳରେ କାର୍ଡଧାରକଙ୍କୁ ପେମେଣ୍ଟ କରିବା ପାଇଁ କାର୍ଡ ସ୍ୱାଇପ କରିବାକୁ ପଡିବ ନାହିଁ । ପିଓଏସ ମେସିନରେ କାର୍ଡ ଲଗାଇବା କ୍ଷଣି ଆପଣାଛାଏଁ ପେମେଣ୍ଟ ହୋଇଯିବ । କଣ୍ଟାକ୍ଟଲେସ କ୍ରେଡିଟ କାର୍ଡରେ ୨ଟି ଅତ୍ୟାଧୁନିକ ଜ୍ଞାନକୌଶଳ ରହିଛି । ପ୍ରଥମତଃ ହେଲା ନିୟର ଫିଲ୍ଡ କମ୍ୟୁନିକେସନ ଓ ଆରଏଫଆଇଡି । ଏଭଳି କାର୍ଡକୁ ପିଓଏସ ମେସିନ ପାଖକୁ ଆଣିବା ସହ ଛୁଇଁବା ମାତ୍ରେ ପେମେଣ୍ଟ ଆପଣାଛାଏଁ ହୋଇଯାଏ । ପିଓଏସ ମେସିନର ୨ରୁ ୫ ସେମି ମଧ୍ୟରେ କାର୍ଡ ରହିଲେ ପେମେଣ୍ଟ ହୋଇପାରିବ । ଯେଉଁଥିପାଇଁ କାର୍ଡକୁ ସ୍ୱାଇପ କିମ୍ବା ମେସିନରେ ଭର୍ତ୍ତି କରିବାକୁ ପଡିନଥାଏ । ଏପରିକି ଏଭଳି କାର୍ଡରେ ପେମେଣ୍ଟ ପାଇଁ କୌଣସି ଓଟିପି କିମ୍ବା ପିନର ମଧ୍ୟ ଆବଶ୍ୟକତା ପଡିନଥାଏ । କଣ୍ଟାକ୍ଟଲେସ ଟ୍ରାଞ୍ଜାକସନରେ ସର୍ବାଧିକ ୨୦୦୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରାଯାଇପାରିବ । ସେହିଭଳି ଗୋଟିଏ ଦିନରେ ୫ଟି କଣ୍ଟାକ୍ଟଲେସ ଟ୍ରାଞ୍ଜାକସନ କରାଯାଇପାରିବ । ଏହାଠାରୁ ଅଧିକ ଟଙ୍କାର ଟ୍ରାଞ୍ଜାକସନ କରିବାକୁ ହେଲେ ପିନ୍ ଓ ଓଟିପିର ଆବଶ୍ୟକତା ପଡିଥାଏ ।

ଏସବୁ ଭିତରେ ୧୬ ମାର୍ଚ୍ଚରୁ ଆରବିଆଇ କିଛି ନୂଆ ନିୟମ ଲାଗୁ କରିବାକୁ ଯାଉଛି । ବ୍ୟାଙ୍କ ଗୁଡିକ ଡେବିଟ କିମ୍ବା କ୍ରେଡିଟ କାର୍ଡ ଇସ୍ୟୁ କିମ୍ବା ରି-ଇସ୍ୟୁ କରିବା ସମୟରେ ଦେଶର ସମସ୍ତ ଏଟିଏମ କିମ୍ବା ପିଓଏଏସରେ କେବଳ ଡୋମେଷ୍ଟିକ କାର୍ଡରେ ଟ୍ରାଞ୍ଜାକସନ କରିବାକୁ ଅନୁମତି ଦେବାକୁ ଆରବିଆଇ ନିର୍ଦ୍ଦେଶ ଦେଇଛି । ସେହିଭଳି ଗ୍ରାହକଙ୍କୁ କାର୍ଡ ଅନ୍ କିମ୍ବା ଅଫ୍ କରିବା ସୁବିଧା ପ୍ରଦାନ କରିବାକୁ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ୱାରା କାର୍ଡଧାରକ ଅନଲାଇନ, କଣ୍ଟାକ୍ଟଲେସ ଟ୍ରାଞ୍ଜାକସନକୁ ନିଜ ମନ ମୁତାବକ ବନ୍ଦ କିମ୍ବା ଖୋଲି ପାରିବେ ।

ଦିନକୁ ଦିନ ଅନଲାଇନ ଠକେଇ ବଢି ଚାଲିଥିବା ବେଳେ ଏହାକୁ ରୋକିବା ଦିଗରେ ଆରବିଆଇ ବିଭିନ୍ନ ପଦକ୍ଷେପ ନେଉଛି । ଠକେଇରୁ ବର୍ତ୍ତିବା ପାଇଁ ଅନେକ ସମୟରେ ଆରବିଆଇ ଆଡଭାଇଜରି ଜାରି ମଧ୍ୟ କରିଛି । ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ୭୧୫୦୦ କୋଟି ଟଙ୍କାର ଅନଲାଇନ ଠକେଇ ହୋଇଥିବା ବେଳେ ୬୮୦୦ରୁ ଅଧିକ ମାମଲା ରୁଜୁ ହୋଇଛି । ଏପରିକି ଗତ ୧୧ ବର୍ଷ ମଧ୍ୟରେ ଅନଲାଇନ ଠକେଇ ନେଇ ମୋଟ ୫୩ ହଜାରରୁ ଅଧିକ ମାମଲା ରୁଜୁ ହୋଇଥିବା ବେଳେ ୨ ଲକ୍ଷ କୋଟିରୁ ଅଧିକ ଟଙ୍କା ଅନଲାଇନ ଠକେଇ ହୋଇଛି ।