କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ଏଥିରେ କୁହାଯାଇଛି କି ଡିସେମ୍ବର ପହିଲାରୁ ଖୁଚୁରା ବଜାରରେ ଡିଜିଟାଲ ମୁଦ୍ରା ଲଂଚ କରାଯିବ । ଏହି କ୍ରମରେ ଡିଜିଟାଲ ମୁଦ୍ରାର ନିର୍ମାଣ, ବଣ୍ଟନ ଓ ଖୁଚୁରା କାରବାରରେ ପରୀକ୍ଷା କରାଯିବ । ଏହା ପୂର୍ବରୁ ନଭେମ୍ବର ମାସରେ କେନ୍ଦ୍ରୀୟ ବ୍ୟାଙ୍କ ହୋଲସେଲ କାରବାର ପାଇଁ ଡିଜିଟାଲ ମୁଦ୍ରା ଲଂଚ କରିସାରିଛି ।

Advertisment

ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ଡିଜିଟାଲ ମୁଦ୍ରାକୁ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି ବୋଲି ନାମ ଦେଇଛି । ଡିସେମ୍ବର ପହିଲାରୁ ଏହାର ପ୍ରଚଳନ ଦେଶର କିଛି ନିର୍ବାଚିତ ସ୍ଥାନରେ କରାଯିବ । ଏଥିରେ ଗ୍ରାହକଙ୍କ ଠାରୁ ନେଇ ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତଙ୍କୁ ସାମିଲ କରାଯିବ ।

ଏହି ଡିଜିଟାଲ ମୁଦ୍ରା ଡିଜିଟାଲ ଟୋକନ ଭଳି କାମ କରିବ । ଭାରତୀୟ ରିଜର୍ଭବ୍ୟାଙ୍କ ଦ୍ୱାରା ଜାରି କରାଯିବାକୁ ଥିବା ଏହି ଡିଜିଟାଲ ମୁଦ୍ରା ଏବେ ପ୍ରଚଳିତ ଟଙ୍କାର ସ୍ୱରୂପ ହେବ । ଏହି ମୁଦ୍ରା ନୋଟ୍ ଭଳି ସମ୍ପୂର୍ଣ୍ଣ ବୈଦ୍ଧ ଓ ମାନ୍ୟତାପ୍ରାପ୍ତ ହେବ । ଏହାକୁ ଆପଣ ଦେଣନେଣରେ ବ୍ୟବହାର କରିପାରିବେ ।

ଏହି ଡିଜିଟାଲ ମୁଦ୍ରାର ବଣ୍ଟନ ବ୍ୟାଙ୍କ ମାଧ୍ୟମରେ କରାଯିବ । ଏହାକୁ ଡିଜିଟାଲ ୱାଲେଟ ମାଧ୍ୟମରେ ବ୍ୟକ୍ତିରୁ ବ୍ୟକ୍ତି ବା ବ୍ୟକ୍ତିରୁ ବ୍ୟବସାୟୀଙ୍କ ମଧ୍ୟରେ କାରବାର କରାଯାଇପାରିବ । ରିଜର୍ଭବ୍ୟାଙ୍କ ମୁତାବକ ବ୍ୟବହାରକାରୀମାନେ ଏହାକୁ ମୋବାଇଲ ଫୋନ କିମ୍ବା ଡିଭାଇସରେ ରଖି କାରବାର କରିପାରିବେ ।

ଏହି ପାଇଲଟ ପ୍ରୋଜେକ୍ଟରେ ଭାଗ ନେବାକୁ ୮ ଟି ବ୍ୟାଙ୍କକୁ ଚିହ୍ନଟ କରାଯାଇଛି । ହେଲେ ଏହାର ପ୍ରଥମ ପର୍ଯ୍ୟାୟ କେବଳ ୪ ଟି ସହରରେ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ, ୟସ ବ୍ୟାଙ୍କ ଓ ଆଇଡିଏଫସି ଫାଷ୍ଟ ବ୍ୟାଙ୍କ ମାଧ୍ୟମରେ ହେବ । ଏହାପରେ ବ୍ୟାଙ୍କ ଅଫ୍ ବରୋଦା, ଏଚଡିଏଫସି ବ୍ୟାଙ୍କ ଓ କୋଟାକ ମହିନ୍ଦ୍ରା ବ୍ୟାଙ୍କକୁ ଏହି ପାଇଲଟ ପ୍ରୋଜେକ୍ଟରେ ସାମିଲ କରାଯିବ ।