‘ରାଜି’ର ଟ୍ରେଲର ରିଲିଜ : ଭାରତୀୟ ସେନାର ସ୍ପାଏ ଭୂମିକାରେ ନଜର ଆସିବେ ଆଲିଆ ଭଟ୍ଟ, କରିବେ ପାକିସ୍ତାନର ଜାସୁସୀ

46

କନକ ବ୍ୟୁରୋ : ମୁକ୍ତିଲାଭ କରିଛି ଆଲିଆ ଭଟ୍ଟଙ୍କ ଆଗାମୀ ଫିଲ୍ମ ରାଜିର ପ୍ରଥମ ଟ୍ରେଲର୍ । ଫିଲ୍ମରେ ଭାରତୀୟ ସେନାର ଜଣେ ସ୍ପାଏ ଭାବେ ନଜର ଆସିଛନ୍ତି ଆଲିଆ ଭଟ୍ଟ । ପ୍ରଥମ ଥର ପାଇଁ ପରଦାରେ ଜାସୁସ ଭୂମିକାରେ ନଜର ଆସିଛନ୍ତି ଆଲିଆ । ନିଜ ଚରିତ୍ରକୁ ସଠିକ୍ ଭାବେ ପରଦାରେ ତୁଲାଇବା ପାଇଁ କଡା ମେହନତ କରିଛନ୍ତି ସେ । ଯାହା ଏହି ଟ୍ରେଲରକୁ ଦେଖିଲେ ଜଣାପଡୁଛି ।

ଆଗାମୀ ବଲିଉଡ୍ ପିରିଅଡ୍ ଡ୍ରାମା ଫିଲ୍ମ ରାଜିର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ କରିଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ଆଲିଆ ଭଟ୍ଟ ଓ ବିକି କୌଶଲଙ୍କୁ ଦମଦାର୍ ଅଭିନୟ ସ୍ଥାନ ପାଇଛି । ୧୯୭୧ ମସିହାରେ ଇଣ୍ଡିଆ – ପାକିସ୍ତାନ ୱାର୍ ସମୟର ଏକ କାହାଣୀକୁ ନେଇ ଏହି ସିନେମା ପ୍ରସ୍ତୁତ କରିଛି ଧର୍ମା ପ୍ରଡକ୍ସନ । ସେହମତ୍ ଭାରତର ଏକ ଯୁବତୀ ଯାହାର ବିବାହ ପାକିସ୍ତାନ ସେନାର ଜଣେ ଅଫିସର୍ ଇକବାଲ୍ ସହ କରାଯାଏ । ସେହମତକୁ ଭାରତୀୟ ସେନା ପାଇଁ ଏଂଜେଂଟ୍ ଭାବେ ପ୍ରସ୍ତୁତ କରାଯାଇଥାଏ । ଆଉ ପାକିସ୍ତାନ ଯାଇ ସେଠାରୁ ସମସ୍ତ ତଥ୍ୟ ପଠାଇବାକୁ କୁହାଯାଏ । ଏମିତି ଏକ ଦମଦାର୍ ଚରିତ୍ରକୁ ପରଦାରେ ତୁଲାଇଛନ୍ତି ବଲିଉଡ୍ ଚୁଲବୁଲି ନାୟିକା ଆଲିଆ ଭଟ୍ଟ । ସିନେମାରେ ତାଙ୍କ ସ୍ୱାମୀ ତଥା ପାକିସ୍ତାନ ସେନା ଅଧିକାରୀ ଭାବେ ନଜର ଆସିଛନ୍ତି ଅଭିନେତା ବିକି କୌଶଲ୍ । ପ୍ରଥମ ଥର ପାଇଁ ପରଦାରେ ଜଣେ ସ୍ପାଏ ଚରିତ୍ରରେ ଅଭିନୟ କରିଛନ୍ତି ଆଲିଆ ।

ଭିନୀତ୍ ଜୈନ ଓ କରଣ ଜୋହର୍ଙ୍କ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ମେଘନା ଗୁଲଜାର୍ । ଫିଲ୍ମର ଆଲିଆ ଭଟ୍ଟ ଓ ଭିକି କୌଶଲଙ୍କ ବ୍ୟତୀତ ଅମୃତା ଖନବିଲକର୍, ସୋନି ରଜଦାନ୍, ଶିଶିର ଶର୍ମା ଆଦି କଳାକାରଙ୍କ ଅଭିନୟ ମଧ୍ୟ ଦେଖିବାକୁ ମିଳିବ । ଫିଲ୍ମରେ ସଙ୍ଗୀତର ଭାର ତୁଲାଇଛନ୍ତି ଶଙ୍କର ଏହସାନ୍ ଲୟ । ୧୧ ମେ’ରେ ପରଦାକୁ ଆସିବ ଚଳଚ୍ଚିତ୍ର ରାଜି ।