କନକ ବ୍ୟୁରୋ : କ୍ରିକେଟରରୁ ରାଜନୀତି ଆଡକୁ ପାଦ ବଢାଇଥିବା ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟଡୁ ୱାଇଏସଆରସିପି ଯୋଗଦେବାର ଦିନ କେଇଟା ମଧ୍ୟରେ ଦଳରୁ ଇସ୍ତଫା ଦେଇଛନ୍ତି । ଗତ ୨୮ ଡିସେମ୍ବରରେ ୱାଇଏସଆରସିପିରେ ଯୋଗ ଦେଇଥିଲେ ଅମ୍ବାତି ରାୟଡୁ । କିନ୍ତୁ ଦଳରେ ୧୦ ଦିନ ମଧ୍ୟ ତିଷ୍ଠି ପାରିନଥିଲେ ରାୟଡୁ । ୱାଇଏସଆରସିପିରୁ ଇସ୍ତଫା ଦେବା ପରେ ରାୟଡୁ ଜନ ସେନା ପାର୍ଟିର ମୁଖ୍ୟ ପୱନ କଲ୍ୟାଣଙ୍କୁ ଭେଟିଛନ୍ତି । ଯାହାକୁ ନେଇ ଆନ୍ଧ୍ରପ୍ରଦେଶ ରାଜନୀତିରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି ।
ଏସବୁ ଭିତରେ ରାୟଡୁ ସୋସିଆଲ ମିଡ଼ିଆରେ ପୋଷ୍ଟ ସେୟାର କରି ଲେଖିଛନ୍ତି, ୱାଇଏସଆରସିପିରେ ରହି ଆନ୍ଧ୍ର ଲୋକଙ୍କ ସେବା କରିବାକୁ ଦେଖିଥିବା ସ୍ୱପ୍ନ ପୂରା କରିପାରିବିନି । ଏଥିପାଇଁ ଦଳର କୌଣସି ନେତାଙ୍କୁ ମୁଁ ଦୋଷ ଦେଉନାହିଁ । ୱାଇଏସଆରସିପିର ବିଚାରଧାରା ସହ ମୋ ବିଚାରଧାରା ମିଶୁନାହିଁ । ତେଣୁ ଦଳ ଛାଡୁଛି । ଏହାଛଡା ଦୁବାଇରେ ହେବାକୁ ଥିବା ଟି-୨୦ ଟୁର୍ଣ୍ଣାମେଣ୍ଟ ପାଇଁ ମୁଁ ୱାଇଏସଆରସିପିରୁ ଇସ୍ତଫା ଦେଇଥିବା କହିଛନ୍ତି ରାୟଡୁ ।
— ATR (@RayuduAmbati) January 10, 2024
ପୱନ କଲ୍ୟାଣଙ୍କ ସହ ଭେଟଘାଟକୁ ନେଇ ରାୟଡୁ କହିଛନ୍ତି, କିଛି ଶୁଭଚିନ୍ତକଙ୍କ କହିବା ଅନୁଯାୟୀ ମୁଁ ତାଙ୍କୁ ଭେଟିଥିଲି । ପୱନ କଲ୍ୟାଣଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲି । ତାଙ୍କ ବିଚାରଧାରା ଓ ଦୃଷ୍ଟିକୋଣ ସହ ମୋ ବିଚରାଧାରା ମିଶୁଛି । ଆନ୍ଧ୍ରପ୍ରଦେଶ ଲୋକଙ୍କ ସେବା କରିବାକୁ ସବୁବେଳେ ପ୍ରସ୍ତୁତ ବୋଲି କହିଛନ୍ତି ରାୟଡୁ ।
This is to inform everyone that I have decided to quit the YSRCP Party and stay out of politics for a little while. Further action will be conveyed in due course of time.
Thank You.
— ATR (@RayuduAmbati) January 6, 2024
ୱାଇଏସଆରସିପିରୁ ଇସ୍ତଫା ଦେବା ସମୟରେ ରାୟଡୁ ସ୍ପଷ୍ଟ କରିଥିଲେ ଯେ, କିଛି ସମୟ ପାଇଁ ରାଜନୀତିକୁ ନିଜକୁ ଦୂରେଇ ରଖୁଛି । କିନ୍ତୁ ସଠିକ୍ ସମୟରେ ନିଜର ରାଜନୈତିକ ଭବିଷ୍ୟତ ବାବଦରେ ନିଷ୍ପତ୍ତି ନେବି ବୋଲି କହିଛନ୍ତି ରାୟଡୁ । ତେବେ ପୱନ କଲ୍ୟାଣଙ୍କ ସହ ଭେଟଘାଟ ପରେ ରାୟଡୁ ଦୁବାଇରୁ ଫେରିବା ପରେ ଜନ ସେନା ପାର୍ଟିରେ ଯୋଗଦେଇ ନିଜର ନୂଆ ରାଜନୈତିକ ଇନିଂସ ଆରମ୍ଭ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅମ୍ବାତି ରାୟଡୁ ଭାରତ ପାଇଁ ପୂର୍ବରୁ ଖେଳି ସାରିଛନ୍ତି । ଦୀର୍ଘ ଦିନ ଧରି ମୁମ୍ବାଇ ଓ ଚେନ୍ନାଇ ପକ୍ଷରୁ ଆଇପିଏଲ ମଧ୍ୟ ଖେଳିଛନ୍ତି ଅମ୍ବାତି ରାୟଡୁ ।