କନକ ବ୍ୟୁରୋ : ରାୟଗଡ଼ା ଜିଲ୍ଲାରେ ସପୁରୀ, ପଣସ ଓ କପା ଭଳି ପ୍ରଚୁର ପରିମାଣରେ ଆତ ଅମଳ ହୋଇଥାଏ । ପାହାଡ଼ିଆ ଅଂଚଳରୁ ଆତ ସଂଗ୍ରହ କରି ପାଖାପାଖି ୨୦ କିଲୋମିଟର ଦୁର ଝୁଡ଼ିରେ ବୋହିଆଣନ୍ତି ମହିଳା । ରାୟଗଡା ସହରରେ ବଜାରର ବ୍ୟବସ୍ଥା ନଥିବାରୁ ଜାତୀୟ ରାଜପଥ କଡ଼ରେ ଏମାନେ ଆତର ପସରା ମେଲାଇ ବସନ୍ତି । ସରଂକ୍ଷଣ ପାଇଁ ଶିତଳଭଣ୍ଡାରର ସୁବିଧା ନଥିବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଅନେକ ସମୟରେ କଳାବଜାରିର ଶିକାର ହୁଅନ୍ତି ଏଠାକାର ନିରିହ ଆଦିବାସୀ । ଅକ୍ଳାନ୍ତ ପରିଶ୍ରମ କରି ଏମାନେ ଜଙ୍ଗଲରୁ ଆତ ସଂଗ୍ରହ କରନ୍ତି । କମ୍ ମୂଲ୍ୟରେ ଆତ ବିକ୍ରି କରି ପରିବାର ପ୍ରତିପୋଷଣ ପାଇଁ ସଂଘର୍ଷ କରନ୍ତି ନିରିହ ଆଦିବାସୀ ।
ବିଶେଷ କରି ବାହାର ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ ଓ କଲିକତାରେ ଏହି ଫଳର ଚାହିଦା ରହିଥିବାରୁ ସେଠାକାର ବେପାରୀ ମାନେ ଆସି ଅତି କମ୍ ମୂଲ୍ୟରେ ଚାଷିଙ୍କ ଠାରୁ ଆତ କିଣି ନେଉଛନ୍ତି । ଫଳରେ ଦୈନିକ ତେଲ ଲୁଣର ସଂସାର କାଟୁଥିବା ଆଦିବାସୀ ଗୁଜୁରାଣ ମେଟାଂଇପାରୁ ନାହାଁନ୍ତି । ଗୋଟିଏ ଝୁଡିରେ ୧୦ କେଜି ଓଜନର ଆତ ରହୁଥିବା ବେଳେ ବାହର ରାଜ୍ୟର ବେପାରି ମାନେ ଝୁଡ଼ି ପିଛା ୧୫୦ ଟଙ୍କାରେ କିଣି କିଲୋ ପ୍ରତି ୮୦ ଟଙ୍କାରେ ବିକ୍ରି କରନ୍ତି । ଫଳରେ ଦଲାଲ ମାନେ ଲାଭବାନ ହଉଥିବା ବେଳେ ଆଦିବାସୀ ମାନେ ଶୋଷଣର ଶିକାର ହେଉଛନ୍ତି ।
ଗରିବ ଆଦିବାସୀଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ସାଙ୍ଗକୁ ସେମାନଙ୍କୁ ବଜାର ସଂଯୋଗିକରଣ ପାଇଁ ଓରମାସ୍ ଭଳି ସରକାରୀ ସଂସ୍ଥା କାର୍ଯ୍ୟ କରୁଛି । ହେଲେ ଏଥରୁ ଆଦିବାସୀ ମାନଙ୍କୁ କୌଣସି ଲାଭମିଳୁୁନାହିଁ । ବିଶେଷକରି ରାୟଗଡା ସଦର ବ୍ଳକର ବାଇସିଂ, ଦୂର୍ଗାପାଡୁ, ପିପଲଗୁଡା, କୁଲି, ବଡଆଲୁବାଡି ଇତ୍ୟାଦି ପଚାଂୟତର ଅନେକ ଗାଁରେ ଆତ ଉତ୍ପାଦନ ହେଉଛି । ହେଲେ ଏହାକୁ ବିକ୍ରି କରିବାକୁ ନାହିଁ ବଜାର ବ୍ୟବସ୍ଥା ।