କନକ ବ୍ୟୁରୋ : ଅବିଭକ୍ତ କୋରାପୁଟ ଜିଲ୍ଲାର ରାୟଗଡା ବିଧାନସଭା ଆସନ । ରାଜ୍ୟ ରାଜନୀତିରେ ଗୁରୁତ୍ୱ ବହନ କରୁଥିବା ଏହି ଆସନ ଦୀର୍ଘଦିନ ଧରି କଂଗ୍ରେସର ଗଡ ଭାବେ ପରିଚିତ ହୋଇ ଆସୁଥିଲା । ତେବେ ଏହି ଆସନରେ କଂଗ୍ରେସର ବିଜୟ ରଥରେ ବ୍ରେକ ଲଗାଇଥିଲା ବିଜେଡି । ବାସ୍ ଏହାପର ଠାରୁ ଆଉ ପଛକୁ ଫେରି ଚାହିଁନାହିଁ ବିଜେଡି । କଂଗ୍ରେସ ଟିକେଟରୁ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସ୍ୱର୍ଗତଃ ରାମଚନ୍ଦ୍ର ଉଲ୍ଲାକା ଏହାକୁ ଦଳର ଅଭେଦ୍ୟ ଗଡ ଭାବେ ପରିଚୟ ଦେଇଥିଲେ । ତେବେ ୨୦୦୦ ମସିହାରେ କଂଗ୍ରେସର ଏହି ଗଡକୁ ଭାଙ୍ଗିଥିଲେ ବିଜେଡିର ଲାଲ ବିହାରୀ ହିମିରିକା । ତେବେ ରାମଚନ୍ଦ୍ରଙ୍କର ବିୟୋଗ ପରେ ଏଠାରେ ଗତ ଦୁଇଟି ନିର୍ବାଚନରେ ସବୁଜ ବାନା ଉଡାଇ ଆସୁଛି ବିଜେଡି । ତେବେ ନିର୍ବାଚନମଣ୍ଡଳୀ ଗଠନ ପରଠାରୁ ଏଠାରେ ଖାତା ଖୋଲିପାରିନାହିଁ ବିଜେପି । କିନ୍ତୁ ବିଗତ ଦୁଇଟି ନିର୍ବାଚନରେ ଦଳ ଭୋଟ ହାର ବୃଦ୍ଧି କରି ଚାଲିଛି ।
କାଶୀପୁର ଓ ରାୟଗଡା ବ୍ଲକକୁ ନେଇ ଗଠିତ ହୋଇଥିବା ରାୟଗଡା ନିର୍ବାଚନମଣ୍ଡଳୀରେ ଚଳିତ ଥର ଦେଖିବାକୁ ମିଳିବ ହାଇଭୋଲଟେଜ ମୁକାବିଲା । ତିନି ଦଳରେ ଆଶାୟୀଙ୍କ ସଂଖ୍ୟା କମ ନଥିବା ବେଳେ ପରସ୍ପରକୁ ମାତ୍ ଦେବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି ଦଳ । ବିଜୟ ସମ୍ଭାବନାକୁ ଦୃଷ୍ଟିରେ ରଖି ପୁରୁଣା ତଥା ଅଭିଜ୍ଞ ଲୋକଙ୍କୁ ଟିକେଟ ଦେବାକୁ ଯୋଜନା କରୁଛନ୍ତିି ତିନି ଦଳ । ବିଜେଡିରେ ଲାଲ ବିହାରୀ ହିମିରିକାଙ୍କୁ ଛାଡିଦେଲେ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଅନୁସୂୟା ମାଝୀ ଏବଂ ପୂର୍ବତନ ପୌର ଅଧ୍ୟକ୍ଷ ରାଇସିଂ ବିଡିକା ମଧ୍ୟ ଟିକେଟ ଲବିରେ ରହିଛନ୍ତି । ନବୀନଙ୍କ ମହିଳା କାର୍ଡ ଆଧାରରେ ଅନୁସୂୟାଙ୍କ ଟିକେଟ ପକ୍କା ବୋଲି ତାଙ୍କର ସମର୍ଥକ କହି ବୁଲୁଛନ୍ତି । ଅନ୍ୟପଟେ ପୂର୍ବତନ ପୌରାଧ୍ୟକ୍ଷ ରାଇସିଂ ବିଡିକା ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ଘନିଷ୍ଠ ସହଯୋଗୀ ହୋଇଥିବାରୁ ସେ ମଧ୍ୟ ଟିକେଟ ରେସର ପ୍ରମୁଖ ଦାବିଦାର ବୋଲି ଚର୍ଚ୍ଚା ହେଉଛି ।
କଂଗ୍ରସେ ବି ପୁରୁଣା ନେତାଙ୍କ ଜରିଆରେ ନିର୍ବାଚନୀ ବୈତରଣୀ ପାର ପାଇଁ ଉଦ୍ୟମ କରୁଛି। ଦଳର ସ୍କ୍ରିନିଂ କମିଟି ପାଖକୁ ୪ ଆଶାୟୀ ପ୍ରାର୍ଥୀଙ୍କ ନାମ ଯିବା ସତ୍ବେ ୨୦୧୪ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଆଦିବାସୀ ନେତା ମକରନ୍ଦ ମୁଦୁଲୀ ଚର୍ଚ୍ଚାରେ ଅଛନ୍ତି। ଏମାନଙ୍କ ବ୍ୟତୀତ ପୂର୍ଣ ଚନ୍ଦ୍ର ମାଝୀ, ଆଦିବାସୀ ମହାସଂଘ ସଭାପତି ଆପଲ ସ୍ବାମୀ କାଡ୍ରକୋ, ଜିଲ୍ଲା ଆଦିବାସୀ ସେଲ୍ ସଭାପତି ରାବଲା ମାଝୀ, ଲିଲେ ମାଝୀ ଦୌଡରେ ଅଛନ୍ତି। ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମକରନ୍ଦ ମୁଦୁଲୀ ବିଜେଡି ପ୍ରାର୍ଥୀ ହିମିରିକାଙ୍କ ନିକଟରୁ ମାତ୍ର ୭୨୯୬ ଭୋଟରେ ପରାଜିତ ହୋଇଥିଲେ।
ବିଜେପି ମଧ୍ୟ ୨୦୧୯ ନିର୍ବାଚନରେ ପ୍ରଥମ ଥର ପାଇଁ ରାୟଗଡା ଆସନ ହାସଲ କରିବାକୁ ଯୋଜନା ଚଳାଇଛି। ଜିଲ୍ଲା ବିଜେପି ସଭାପତି ଶିବ ଶଂକର ଉଲ୍ଲାକାଙ୍କ ସମତେ କାଳୀରାମ ମାଝୀ, ବସନ୍ତ ଉଲ୍ଲାକାଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢ଼ିବାକୁ ଯୋଜନା କରିଛି। ଜିଲ୍ଲା ସଭାପତି ଶିବ ଉଲ୍ଲାକା ବିଷମକଟକ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ଚୂଡାନ୍ତ ପରେ କାଳୀରାମ ମାଝୀ ଓ ବସନ୍ତ ଉଲ୍ଲାକା ଟିକେଟ୍ ଦୌଡରେ ରହିଛନ୍ତି। ଅନ୍ୟପଟେ ବିଏସପି ଓ ସ୍ୱାଧୀନ ପ୍ରାର୍ଥୀଙ୍କର ମଧ୍ୟ ଏହି ଆସନରେ ଭୋଟବ୍ୟାଙ୍କ ରହିଛି । ତେଣୁ ମାପିଚୁପି ଗୋଟି ଚାଳନା କଲେ ବିଜେଡି ଏଠାରେ ହ୍ୟାଟ୍ରିକ ବିଜୟ ହାସଲ କରିବାର ସମ୍ଭାବନା ରହିଥିବା ବେଳେ କଂଗ୍ରେସ ପୁଣିଥରେ ନିଜର ଗଡ ହାତେଇବା ପାଇଁ ନୂଆ ଋଣନୀତି ସହ ମୈଦାନକୁ ଓହ୍ଲାଇବ ।ସେହିଭଳି ବିଜେପି ମଧ୍ୟ ବିଜୟର ସ୍ୱାଦ ଚାଖିବାକୁ ବ୍ୟାକୁଳ ହେଉଥିବା ବେଳେ ଜନତାଙ୍କ ହାତରେ ରହିଛି ରିମୋଟ । ଜନତା ନିଷ୍ପତି କିଏ ପିନ୍ଧିବ ରାୟଗଡାର ରାଜମୁକୁଟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/RAYGADA-RAJAMUKUTA_00000.png)