ବିଜେଡିର ମାରାଥନ ମିଶ୍ରଣ । ଉତ୍ତର ପରେ ଦକ୍ଷିଣ, ଫୋକସରେ ପଞ୍ଚାୟତ ନିର୍ବାଚନ । 

158

କନକ ବ୍ୟୁରୋ : ବିଜେଡିର ମାରାଥନ ମିଶ୍ରଣ ପର୍ବ।  ବିଜେଡି କାର୍ଯ୍ୟାଳୟରେ  ଅୟୋଜିତ ମିଶ୍ରଣ ପର୍ବ ପରେ ପରେ ସାଂସଦ ସୁବାସ ସିଂଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ହୋଇଥିଲା ଆଉ ଏକ ମିଶ୍ରଣ ପର୍ବ । ରାୟଗଡା ଜିଲ୍ଲାର ବିଭିନ୍ନ ଦଳର କର୍ମକର୍ତ୍ତା ତଥା କର୍ମୀ ମାନେ ଆଜି ନିଜ ଦଳ ଛାଡ଼ି ବିଜେଡ଼ିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ କଂଗ୍ରେସ ଓ ବିଜେପି ଦଳର ଅନେକ ବରିଷ୍ଠ ନେତା ବିଜେଡ଼ିରେ ମିଶିଛନ୍ତି ।

 ସୁବାସଙ୍କ ବାସଭବନରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଜଗନ୍ନାଥ ସାରକା, ସାଂସଦ ସୁବାସ ସିଂ, ସାଂସଦ ଭାସ୍କର ରାଓ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ରଘୁନାଥ ଗମାଙ୍ଗୋ ପ୍ରମୁଖ ଦଳରେ ସାମିଲ ନୂତନ ସଦସ୍ୟଙ୍କୁ ସ୍ଵାଗତ କରିଥିଲେ ।  ଏହି ମିଶ୍ରଣ ଦ୍ୱାରା ଦକ୍ଷିଣ ଓଡ଼ିଶାରେ ସଙ୍ଗଠନକୁ ସୁଦୃଢ କରିଛି ବିଜେଡି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏଭଳି ମିଶ୍ରଣ ପର୍ବ କରି ବିରୋଧୀଙ୍କ ଚିନ୍ତା ବଢାଇ ଦେଇଛି । ଏହି ମିଶ୍ରଣ ଦ୍ୱାରା ବିଜେଡିର ଶକ୍ତି ବଢିଛି ବୋଲି କହିଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ।

ଏହାପୂର୍ବରୁ ଆଜି ଜେଏମଏମର ପୂର୍ବତନ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ ଓ ଜେଏମଏମ ରାଜ୍ୟ ଉପ-ସଭାପତି ରାମଚନ୍ଦ୍ର ମୁର୍ମୁଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି ଅନେକ ନେତା ଓ କର୍ମୀ । ବିଜେଡି କାର୍ଯ୍ୟାଳୟରେ ଦଳର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସମସ୍ତଙ୍କୁ ଦଳରେ ସାମିଲ କରାଯାଇଛି । ଏହାଦ୍ୱାରା ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ମିଶନ ମୟୂରଭଞ୍ଜ ଅଭିଯାନ ଆରମ୍ଭ କରିଥିବା ନେଇ ସଂକେତ ଦେଇଛି ।

ଜେଏମଏମର ଦୁଇ ହେଭିୱେଟ ନେତା ଦଳରେ ସାମିଲ ହେବା ପରେ ମୟୂରଭଞ୍ଜରେ ବିଜେଡି ଆହୁରି ସଙ୍ଗଠିତ ହୋଇଛି । ଏହାଛଡା ପଞ୍ଚାୟତ ନିର୍ବାଚନରେ ଏହା ଦଳକୁ ବଡ ଫାଇଦା ଦେବ ବୋଲି କୁହାଯାଉଛି । କାରଣ ମୟୂରଭଞ୍ଜ ରାଜନୀତିରେ ଜେଏମଏମର ମଧ୍ୟ ବଡ ଭୋଟବ୍ୟାଙ୍କ ରହିଛି । ଏପରିକି ଗତ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଲୋକସଭା ଆସନରେ ଲକ୍ଷାଧିକ ଭୋଟ ପାଇଥିଲା ଜେଏମଏମ । ତେଣୁ ଜେଏମଏମର ଦୁଇ ନେତାଙ୍କୁ ଦଳରେ ସାମିଲ କରି ବଡ ବାଜି ଖେଳିଛି ବିଜେଡି ।