କନକ ବ୍ୟୁରୋ : ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀଙ୍କ ସୁନାବେଶ । ମାଆଙ୍କ ପୀଠରେ ୧ ତାରିଖରୁ ଆରମ୍ଭ ହୋଇଛି ଚୈତ୍ର ପର୍ବ । ଏହା ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପାଚଂଦିନ ଶ୍ରଦ୍ଧାଳୁଙ୍କୁ ସୁନା ବେଶରେ ଦର୍ଶନ ଦେଉଛନ୍ତି ମାଆ । ମଝି ଘରିଆଣୀଙ୍କର ଏହି ବିରଳ ବେଶ ଦେଖିବା ସହ ଭକ୍ତଙ୍କ ଲମ୍ବା ଲାଇନ ଲାଗୁଛି, ପୂଜାର୍ଚ୍ଚନା କରି ଆଶିଷ ଲାଭ କରୁଛନ୍ତି ଶ୍ରଦ୍ଧାଳୁ ।

Advertisment

ରାଜ୍ୟ ସହ ପଡୋଶୀ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ ସହ ଅନ୍ୟ ରାଜ୍ୟରୁ ବହୁ ଶ୍ରଦ୍ଧାଳୁଙ୍କ ସୂଅ ଛୁଟୁଛି ମାଆଙ୍କ ନିକଟକୁ । ନିଜ ମାନସିକ ପୂରଣ ହୋଇଥିବାରୁ ବିଶେଷ ପୂଜାର୍ଚ୍ଚନା କରିବା ସହ ମୁଣ୍ଡନ ହେଉଛନ୍ତି ଭକ୍ତ । ରଙ୍ଗ ବେରଙ୍ଗ ଆଲୋକମାଳା ଓ ଫୁଲରେ ମନ୍ଦିରକୁ ସଜ୍ଜିତ କରାଯାଇଛି । ଏହି ପର୍ବରେ ସାମିଲ ହୋଇ ମାଆଙ୍କର ଦୁଲର୍ଭ ବେଶକୁ ଦେଖିବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେ କରୁଛନ୍ତି ଶ୍ରଦ୍ଧାଳୁ । ମନ୍ତ୍ରଧ୍ୱନିରେ ମନ୍ଦିର ପରିବେଶ ଭକ୍ତିମୟ ହୋଇ ଉଠିଛି ।

ପ୍ରତିବର୍ଷ ଚୈତ୍ର ମାସ ଶୁକ୍ଳପକ୍ଷ ଦଶମୀ ତିଥି ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ମାଆଙ୍କ ପୀଠରେ ଏହି ଚୈତ୍ର ପର୍ବ ପାଳନ କରାଯାଏ । ମଣ୍ଡଳ ବିନ୍ୟାସ ପରେ ଦୀକ୍ଷା ଗ୍ରହଣ ଏବଂ ସନ୍ଧ୍ୟାରେ ମନ୍ଦିର ନିକଟରେ ପ୍ରବାହିତ ଝଂଜାବତୀ ନଦୀରୁ ଜଳ ଯାତ୍ରା କରାଯିବା ସହ ଆରମ୍ଭ ହୋଇଥିଲା ଚଇତି ପର୍ବ । ସୂର୍ଯ୍ୟପୂଜା, ଶାଳପୂଜା, ମୁଖ୍ୟ ଦେବତା ପୂଜା, ଚଣ୍ଡୀପାଠ, ଆଳତୀ, ପୁଷ୍ପାଞ୍ଜଳି ସହ କୁଣ୍ଡ ଓ ଅଗ୍ନି ସଂସ୍କାର ହୋମ ସହ ସ୍ଥାପନ କରାଯାଇଥିଲା ଘଟ । ପ୍ରତିଦିନ ମାଆଙ୍କ ଘଟ ନଗର ପରିକ୍ରମା କରାଯିବା ସହ ବିଶ୍ୱଶାନ୍ତି ନିମନ୍ତେ ହୋମଯଜ୍ଞ ଅନୁଷ୍ଠିତ ହେବ । ଶେଷ ଦିନ ଅର୍ଥାତ ଏପ୍ରିଲ୍ ୫ ତାରିଖରେ ଝାମୁ ଅଗ୍ନି ପୂଜା ପରେ ପୂଜକ କଂଟା ଦୋଳିରେ ଝୁଲିବା ସହ ଅଗ୍ନିରେ ଚାଲିବା ଓ ଚରୁ ବିତରଣ କରାଯିବ ବୋଲି କହିଛନ୍ତି ମୁଖ୍ୟ ପୂଜକ ପଣ୍ଡିତ ନୀଳମାଧବ ତ୍ରିପାଠୀ ।

ମନ୍ଦିର କମିଟି ପକ୍ଷରୁ ପାନୀୟ ଜଳର ବ୍ୟବସ୍ଥା ସହ ଶ୍ରଦ୍ଧାଳୁଙ୍କ ରହଣି ନିମନ୍ତେ ଅସ୍ଥାୟୀ ଶିବିରି କରାଯାଇଛି । ମାଆଙ୍କ ନିକଟକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ନିମନ୍ତେ ୫ ଦିନ ଧରି ମାଗଣା ଅନ୍ନ ପ୍ରସାଦର ବ୍ୟବସ୍ଥା କରିଛି ମନ୍ଦିର କମିଟି । କେବଳ ସେତିକି ନୁହେଁ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ଯେପରି ବିନା ବାଧା ବିଘ୍ନରେ ମାଆଙ୍କ ନିକଟକୁ ଆସିବେ ସେଥିପାଇଁ ରାୟଗଡ଼ା ରେଳଷ୍ଟେସନରୁ ମାଆଙ୍କ ମନ୍ଦିର ପର୍ଯ୍ୟନ୍ତ ନେବା ଆଣିବା ପାଇଁ ବିନା ମୂଲ୍ୟରେ ଏକ ବସର ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ-ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ମୂତୟନ କରାଯାଇଛି ।