୩ ବର୍ଷରେ ଭୂତକୋଠିରେ ପରିଣତ ହେଲାଣି ରାୟଗଡାର ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର । ରକ୍ଷଣାବେକ୍ଷଣ ଅଭାବରୁ ଜମୁଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା । 

60

କନକ ବ୍ୟୁରୋ: ସରକାରକା ମାଲ ଦରିୟା ମେଁ ଡାଲ । ରାୟଗଡା ଜିଲ୍ଲାର ପର୍ଯ୍ୟଟନର ବିକାଶ ପାଇଁ ନିର୍ମିତ ହୋଇଥିଲା ପର୍ଯ୍ୟଟକ ଅଭ୍ୟର୍ଥନା କେନ୍ଦ୍ର  । ହେଲେ ଏହି ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର ଏବେ ଭୂତକୋଠିରେ ପରିଣତ ହୋଇଛି  । ନିର୍ମାଣର ୩ ବର୍ଷ ପରେ ମଧ୍ୟ ପର୍ଯ୍ୟଟକଙ୍କ କାମରେ ଲାଗୁନଥିବାରୁ ମଦ୍ୟପ ଓ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳି ପାଲଟିଛି  ।

ପର୍ଯ୍ୟଟକ ଅଭ୍ୟର୍ଥନା କେନ୍ଦ୍ର ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳି । ଏ ପରିତ୍ୟକ୍ତ କୋଠା,  ଆଉ ଏକ ମଦ ବୋତଲ ତାହା ପ୍ରମାଣିତ କରୁଛି । ରୟଗଡା ଜିଲ୍ଲାକୁ ଆସୁଥିବା ପର୍ଯ୍ୟଟକଙ୍କ ରହଣି ପାଇଁ ୨୦୧୭ରେ ପର୍ଯ୍ୟଟକ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରିଛନ୍ତି ସରକାର । ରାୟଗଡା ସହର ନିକଟ ରାମକୃଷ୍ଣନଗର ସ୍ଥିତ ଖିନଖିନା ପାହାଡ ଉପରେ ୮୦ ଲକ୍ଷ ଟଙ୍କା ଖର୍ଚରେ ନିର୍ମୀତ ହୋଇଛି ଏହି ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର । ଆଉ ନିର୍ମାଣର ୩ ବର୍ଷ ପରେ କେମିତି ଅଛି ଏହି କେନ୍ଦ୍ର, ଏଦୃଶ୍ୟକୁ ଦେଖିବା ପରେ ଆଉ କହିବା ଆବଶ୍ୟକତା ନାହିଁ ।

ପର୍ଯ୍ୟଟକ ଅଭ୍ୟର୍ଥନା କେନ୍ଦ୍ର ଉଦଘାଟନ ହେବା ପର ଠାରୁ ତାଲା ଝୁଲୁଛି । ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର ହୋଇନଥିବାରୁ ମାତ୍ର ୩ ବର୍ଷରେ ଏହା ଭାଙ୍ଗିରୁଜି ଗଲାଣି । କବାଟ ଝରକା ଭାଙ୍ଗି ଯିବା ସହ ଘର ଛେଳି ଗୁହାଳରେ ପରିଣତ ହୋଇଛି । ଅନ୍ୟପଟେ କୋଠା ନିର୍ମାଣ ସରିଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବା ପର୍ଯ୍ୟଟନ ବିଭାଗର କାମ ବୋଲି କହିଛନ୍ତି ପିଏ ଆଇଟିଡିଏ  ।

ରାୟଗଡା ଜିଲ୍ଲାକୁ ପ୍ରତିବର୍ଷ ଶହଶହ ପର୍ଯ୍ୟଟକ ଆସନ୍ତି । ଏହି କେନ୍ଦ୍ରଟି କାର୍ଯ୍ୟକ୍ଷମ ହେଲେ ପର୍ଯ୍ୟଟକଙ୍କ ରହଣୀ ସୁବିଧା ହେବା ସହ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରନ୍ତା ବୋଲି ସ୍ଥାନୀୟ ଲୋକେ କୁହନ୍ତି ।