ଆମାଜନରେ ମିଳିବ ରାୟଗଡ଼ା ତେନ୍ତୁଳି: ଏଥିପାଇଁ ଓରମାସ ପକ୍ଷରୁ ଆମାଜନ ସହ ସ୍ୱାକ୍ଷରିତ ଚୁକ୍ତି

109

କନକ ବ୍ୟୁରୋ: ଜାତିୟ ଇ-ବଜାରରେ ବିକ୍ରି ହେବ ରାୟଗଡାରୁ ଉତ୍ପାଦିତ ହେଉଥିବା ତେନ୍ତୁଳି । ଲୋକପ୍ରିୟ ଇ- କମର୍ସ ପ୍ଲାଟଫାର୍ମ ଆମାଜନରେ ମିଳିବ ରାୟଗଡା ତେନ୍ତୁଳି । ଏଥିପାଇଁ ଜିଲ୍ଲା ଓରମାସ ତରଫରୁ ଆମାଜନ ସହ ଚୁକ୍ତିପତ୍ର ସ୍ୱାକ୍ଷର ହୋଇଛି । ତେନ୍ତୁଳି ଇ-ବଜାରରେ ବିକ୍ରୟ ପାଇଁ ଓରମାସ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ଉପକୃତ ହେବେ ସ୍ଥାନୀୟ ଲୋକେ ।

ଆମାଜନରେ ବିକ୍ରି ହେବ ରାୟଗଡ଼ା ତେନ୍ତୁଳି । ଇ-ବଜାର ଆମାଜନରେ ବିକ୍ରୟ ପାଇଁ ଯୋଜନା ରହିଥିବାରୁ ରାୟଗଡା ତେନ୍ତୁଳିର ଚାହିଦା ବୃଦ୍ଧି ପାଇବ । ସାରା ଦେଶରେ ଏହି ସାମଗ୍ରୀ ପହଂଚିବା ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ସ୍ଥାନୀୟ ଲୋକେ ଉପକୃତ ହୋଇପାରିବେ । ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ କ୍ୱିଂଟାଲରୁ ଅଧିକ ତେନ୍ତୁଳି ଆମାଜନକୁ ପଠାଯିବ । ରାୟଗଡ଼ା ଜିଲ୍ଲାର ରାୟଗଡା, କାଶୀପୁର, କଲ୍ୟାଣସିଂହପୁର, ବିଷମକଟକ ଓ ରାମନାଗୁଡା ବ୍ଳକର ପ୍ରାୟ ୧୧ଟି ଉପ୍ତାଦନକାରୀ ସଂସ୍ଥା ତେନ୍ତୁଳି ସଂଗ୍ରହ କରି ଏହାକୁ ପ୍ରକ୍ରିୟାକରଣ କରନ୍ତି ।

ତେନ୍ତୁଳିକୁ ଆଣି ସେଥିରୁ ଶିରା ଓ ମଞ୍ଜି ବାହାର କରି ଭଲଭାବେ ସଫା କରିଥାନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟ ମାନେ ଏହାକୁ ସଫା କଲା ପରେ ତେନ୍ତୁଳିକୁ ମେଶିନରେ ପକାଇ କେକ୍ ଆକୃତିର କରି ପ୍ୟାକିଂ କରନ୍ତି । ଏହାର ଦର ୫୦୦ ଗ୍ରାମ ପ୍ରତି ୭୫ରୁ ୭୮ ଟଙ୍କା ରଖାଯାଇଛି । ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ତେନ୍ତୁଳିର ସର୍ବନିମ୍ନ ସହାୟକ ମୂଲ୍ୟ ୩୬ ଟଙ୍କା ରହିଛି । ବର୍ତମାନ ସ୍ଥିତିରେ ରାୟଗଡା ତେନ୍ତୁଳି ରାଜଧାନି ଭୂବନେଶ୍ୱର ସମେତ ଅନ୍ୟ ଜିଲ୍ଲାକୁ ପଠାଯାଉଛି ।

ରାୟଗଡା ଜିଲ୍ଲାରୁ ବହୁଳ ପରିମାଣରେ ତେନ୍ତୁଳି ଉତ୍ପାଦନ ହେଉଥିବା ବେଳେ ଜିଲ୍ଲା ତଥା ରାଜ୍ୟର ଅନ୍ୟ ସ୍ଥାନରେ ତେନ୍ତୁଳି ଚାହିଦା ଆଶାତିତ ନଥିବାରୁ ଏହାର ସୁଯୋଗ ଆନ୍ଧ୍ର ବ୍ୟବସାୟୀ ମାନେ ନେଇଥାନ୍ତି । ଦକ୍ଷିଣାଂଚାଳ ରାଜ୍ୟରେ ଦୈନିକ ଖାଦ୍ୟପେୟରେ ତେନ୍ତୁଳିର ବହୁଳ ବ୍ୟବହାର ହେଉଛି । ତେଣୁ ସେଠାକାର ବ୍ୟବସାୟୀ ବିଶେଷ ଭାବେ କାଶୀପୁର, ବିଷମକଟକ, କଲ୍ୟାଣସିଂହପୁର, କୋଲନରା, ମୁନିଗୁଡା, ରାମନାଗୁଡା ଓ ରାୟଗଡା ସଦର ବ୍ଳକର ଗ୍ରାମାଚଂଳରେ ବୁଲି ଶାଗ ମାଛ ଦରରେ ତେନ୍ତୁଳି ସଂଗ୍ରହ କରିଥାନ୍ତି ।

ଯାହା ଫଳରେ ତେନ୍ତୁଳି ତୋଳାଳି ଉଚିତ ମୂଲ୍ୟ ନପାଇ ଦଳାଲଙ୍କ ଶୋଷଣର ଶିକାର ହୋଇଥାନ୍ତି । ଏବେ ରାୟଗଡା ତେନ୍ତୁଳିର ବଜାରୀକରଣ କରାଇ ତୋଳାଳିକୁ ଉଚିତ ମୂଲ୍ୟ ପ୍ରଦାନ ଲାଗି ଓରମାସ୍ ତରଫରୁ ପ୍ରୟାସ ଆରମ୍ଭ ହୋଇଛି । ଖୁବଶୀଘ୍ର ଅନ୍ଲାଇନ ବଜାର ଆମାଜନରେ ରାୟଗଡା ତେନ୍ତୁଳି ବିକ୍ରି କରାଯିବ ବୋଲି ସୂଚନା ଦେଇଛନ୍ତି ଓରମାସ୍ ନିର୍ଦ୍ଦେଶକ । ଏହାଦ୍ୱାରା ୧୧ଟି ଉତ୍ପାଦନକାରୀ ଗ୍ରୁପ ସୁଫଳ ପାଇପାରିବେ ।