ସ୍କୁଲର ଭୁଲ ପାଇଁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ଛାତ୍ରୀ । ୨୦୨୦ରୁ ମାଟ୍ରିକ ପାସ କରି ବି କଲେଜରେ ପାଇପାରୁନାହାନ୍ତି ଆଡମିଶନ୍ ।

96

କନକ ବ୍ୟୁରୋ : ମାଟ୍ରିକ ସାର୍ଟିଫିକେଟରେ ଭୁଲ ଯୋଗୁଁ କଲେଜ ଯାଇ ପାରୁନାହାନ୍ତି ଛାତ୍ରୀ । ଭୁଲ ସଂଶୋଧନ ପାଇଁ ବାରମ୍ବାର ସ୍କୁଲକୁ ଯାଇଛନ୍ତି । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଗୁହାରି କରିଛନ୍ତି । ହେଲେ ଆଜି ଯାଏଁ ସଂଶୋଧନ ନହେବାରୁ ଦୁଇ ବର୍ଷ ହେଲାଣି ମାଟ୍ରିକ ପାସ କରି ବି କଲେଜରେ ପାଠ ପଢିପାରୁନାହାନ୍ତି ଜଣେ ଛାତ୍ରୀ ।

ନାମ- ନେଲି ନେଲା । ରାୟଗଡା ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ପୂର୍ବତନ ଛାତ୍ରୀ । ୨୦୨୦ରୁ ସପ୍ଲିମେଣ୍ଟାରିରେ ମାଟ୍ରିକ ପାସ କରିଛନ୍ତି ରାୟଗଡା ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ନେଲି ନେଲା । କିନ୍ତୁ ମାଟ୍ରିକ ସାର୍ଟିଫିକେଟରେ ବାପାଙ୍କ ନାମ ଭୁଲ ଥିବାରୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି ଛାତ୍ରୀ । ନେଲିଙ୍କ ବାପାଙ୍କ ନାମ ଏନ୍.ପୋଲି ନାଇଡୁ ବଦଳରେ ଏମ୍. ପୋଲି ନାଇଡୁ ରହିଛି । ଏହାର ସଂଶୋଧନ ପାଇଁ ଗତବର୍ଷ ଅକ୍ଟୋବର ମାସରୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି ଛାତ୍ରୀ । ହେଲେ ଏଯାଏଁ ସାର୍ଟିଫିକେଟରେ ଥିବା ଭୁଲ ସଂଶୋଧନ ହୋଇପାରିନାହିଁ । ତେଣୁ ନେଲି ନେଲା କଲେଜରେ ନାମ ଲେଖାଇ ପାରୁନଥିବା ଅଭିଯୋଗ କରିଛନ୍ତି । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଭୁଲ ଯୋଗୁଁ ଛାତ୍ରୀ ଜଣକ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କ ମାଆ ।

ସେପଟେ ଏହି ପ୍ରସଙ୍ଗରେ ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି, ସେତେବେଳେ ଦାୟିତ୍ୱରେ ଥିବା ଶିକ୍ଷକ ଏସମ୍ପର୍କରେ ତାଙ୍କୁ ଅବଗତ କରାଇ ନାହାନ୍ତି । ତେଣୁ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଛାତ୍ରୀଙ୍କ ସାର୍ଟିଫିକେଟ ସଂଶୋଧନ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ । ଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଥିବା ବିଦ୍ୟାଳୟର ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲେ କଣ ଛାତ୍ରୀଙ୍କୁ ନ୍ୟାୟ ମିଳିବ । ନଷ୍ଟ ହୋଇଥିବା ୨ ବର୍ଷ ସମୟ କ’ଣ ପୁଣି ପଛକୁ ଫେରିଯିବ ବୋଲି ପ୍ରଶ୍ନ କରିଛନ୍ତି ପରିବାର ଲୋକ ।