ରାୟଗଡାରେ ବଡ ଦୁର୍ଘଟଣା : ରେଳ ଲାଇନରେ ପଥର ଧସିଲା, ଘଟଣା ସ୍ଥଳରେ ଚାଲିଗଲା ୩ ଜୀବନ

392

କନକ ବ୍ୟୁରୋ : ବିଶାଖାପାଟଣା-ଆରୁକୁ ରେଳ ଲାଇନର ୩୧ନଂ ଟନେଲ୍ ନିକଟରେ ଘଟିଛି ଦୁର୍ଘଟଣା। ରେଳ ଲାଇନ୍ ଉପରେ ପଥର ଧସିବାରୁ ଜଣେ ରେଳ କର୍ମଚାରୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବିଶାଖାପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଠିକା ଶ୍ରମିକ କାକାରା ବୀରାସ୍ୱାମୀ (୫୪), ଚୁକା ସୁରୀବାବୁ (୪୫) ଓ ରେଳ କର୍ମଚାରୀ ସୁରେଶ (୪୨)। ଦୁର୍ଘଟଣା ପରେ ଏହି ଲାଇନରେ ରେଳ ଚଳାଚଳ ବନ୍ଦ ରହିଛି।

ମଙ୍ଗଳବାର ଭୋର୍ ୫ଟାରେ ବୋରା କେଭ୍-ଚିମିଡ଼ିପଲ୍ଲୀ ଷ୍ଟେସନ ମଧ୍ୟରେ ପଥର ଧସିଥିଲା। ୩ଟି ବଡ଼ ପଥର ଖସି ରେଳ ଲାଇନ୍ ଉପରେ ପଡ଼ିବା ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ ହେବା ସହ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଥିଲା। ଖବର ପାଇ ରେଳ କର୍ମଚାରୀ ଓ ୩୦ଜଣ ଠିକା ଶ୍ରମିକ ମଧ୍ୟାହ୍ନ ୧୨ଟାରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ରେଳ ଲାଇନରୁ ପଥର ହଟାଇବା କାମ ଚାଲିଥିବା ସମୟରେ ଅପରାହ୍ନ ସାଢ଼େ ଗୋଟାଏରେ ପୁଣି ପାହାଡ଼ ଉପରୁ ଆଉ ୨ଟି ବଡ଼ ପଥର ଧସିଥିଲା। ଫଳରେ ରେଲୱେ ଟ୍ରାକ୍‌ରେ କାମ କରୁଥିବା ୧୦ରୁ ଊର୍ଦ୍ଧ୍ବ ଶ୍ରମିକଙ୍କ ସମେତ ରେଳ କର୍ମଚାରୀ ପଥର ତଳେ ଚାପି ହୋଇ ଯାଇଥିଲେ। ଅନ୍ୟ ଶ୍ରମିକମାନେ ଘଟଣା ସଂପର୍କରେ ରେଳବାଇ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ସହ ପଥର ତଳେ ଚାପି ହୋଇ ରହିଥିବା ସାଥୀ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ।

ଦୁର୍ଘଟଣା ପରେ ବିଶାଖାପାଟଣା-ଆରୁକୁ ମଧ୍ୟରେ ରେଳ ଚଳାଚଳ ବନ୍ଦ ରହିଛି। ରେଳ ଲାଇନରୁ ପଥର ଓ ମାଟି ଅତଡ଼ା ଉଠିବା ସହିତ ଟ୍ରାକ୍ ମରାମତି, ବିଦ୍ୟୁତ୍ ସଂଯୋଗ ହେବା ପର୍ଯ୍ୟନ୍ତ ରାୟଗଡ଼ା ଦେଇ ବିଶାଖାପାଟଣାକୁ ଟ୍ରେନ୍ ଚଳାଚଳ କରିବ ବୋଲି ରେଳ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ଲକଡାଉନ୍ ଯୋଗୁଁ ବିଶାଖାପାଟଣା-କିରୁଣ୍ଡୋଲ୍ ମଧ୍ୟରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। କିନ୍ତୁ ମାଲବାହୀ ଟ୍ରେନ୍ ଚଳାଚଳ ଜାରି ରହିଥିଲା। ପୂର୍ବରୁ ଏହି ରୁଟ୍‌ରେ ଦୈନିକ ୨ଟି ଯାତ୍ରୀବାହୀ ଟ୍ରେନ୍ ସମେତ ୫୦ରୁ ଊର୍ଦ୍ଧ୍ବ ମାଲବାହୀ ଟ୍ରେନ୍ ଚଳାଚଳ କରୁଥିଲା।