ଜନମତ ୨୦୧୯ । ରାୟଗଡ଼ାରେ ଚାଲିଛି ମତଦାନ, ବିଜେପି ଓ କଂଗ୍ରେସ ସାମ୍ନାରେ ବିଜେଡିର ପୁରୁଖା ନେତା ଲାଲବିହାରୀ ହିମିରିକା, ନେତା ବାଛୁଛନ୍ତି ମତଦାତା ।

86

କନକ ବ୍ୟୁରୋ: କୋରାପୁଟ ସଂସଦୀୟ କ୍ଷେତ୍ର ଅଧିନରେ ଆସୁଥିବା ରାୟଗଡ଼ା ବିଧାନସଭା ଆସନକୁ ନେଇ ଚାଲିଛି ଲଢ଼େଇ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅଧିନରେ ଆସୁଥିବା ଏହି ବିଧାନସଭା କ୍ଷେତ୍ରରେ ଚାଲିଛି ମତଦାନ ଜାରି । ଆଉ ବିଜେଡି-ବିଜେପି ଓ କଂଗ୍ରେସର ପ୍ରାର୍ଥୀଙ୍କ ଛାତିରେ ଛନକା ପସିଛି । କାହା ମୁଣ୍ଡରେ ଜନତା ରାୟଗଡ଼ା ଶିରିପା ପିନ୍ଧାଇବେ ତାହା ଉପରୁ ଆସନ୍ତା ମେ’ ୨୩ ତାରିଖରେ ପରଦା ଉଠିବ । ତେବେ ୩ଥର ବିଧାୟକ ହୋଇଥିବା ବିଜେଡି ପ୍ରାର୍ଥୀ ଲାଲବିହାରୀ ଚଉକା ମାରିବାକୁ ଅପେକ୍ଷା କରିଥିବାବେଳେ ପୁରୁଣା ଗଡ଼କୁ ଫେରି ପାଇବାକୁ କଂଗ୍ରେସ ଆପାଲାସ୍ୱାମୀ କାର୍ଡ଼ାକାଙ୍କୁ ମଙ୍ଗ ଦେଇଛନ୍ତି । ସେହିଭଳି ବିଜେପିର ଯୁବନେତା ବସନ୍ତ ଉଲାକାଙ୍କୁ ଭରସିଛି ଦଳ ।

ରାୟଗଡ଼ା, କାଶିପୁର ଓ ରାୟଗଡ ପୈାର ପରିଷଦକୁ ନେଇ ରାୟଗଡ ନିର୍ବାଚନ ମଣ୍ଡଳି ଗଠିତ । ଏହି ନିର୍ବାଚନ ମଣ୍ଡଳିର ଭୋଟର ସଂଖ୍ୟା ହେଉଛି ୨ଲକ୍ଷ ୩୩ ହଜାର ୫୪୭ । ଏଥିରେ ମହିଳା ଭୋଟର ସଂଖ୍ୟା ୧ଲକ୍ଷ ୨୨ ହଜାର ୬୩୦ଜଣ ଓ ପୁରୁଷ ଭୋଟରଙ୍କ ସଂଖ୍ୟା ରହିଛି ୧ଲକ୍ଷ ୧୦ହଜାର ୮୦୮ । ଏହି ନିର୍ବାଚନ ମଣ୍ଡଳିରେ ବିଧାୟକ ପ୍ରାର୍ଥୀ ନିମନ୍ତେ ବିଜେଡି, କଂଗ୍ରେସ ଓ ବିଜେପି ୩ ପ୍ରମୁଖ ଦଳର ପ୍ରାର୍ଥୀମାନେ ଶେଷ ଉଦ୍ୟମ ଜାରି ରଖିଥିବାବେଳେ ଆଜି ଜନତା ଜନାର୍ଦ୍ଦନ ସେମାନଙ୍କ ଖାତାରେ ମାର୍କ ଦେଉଛନ୍ତି ।

ବିଜେଡିର ବିଧାୟକ ପ୍ରାର୍ଥୀ ଲାଲବିହାରୀ ହିମିରିକା ୧୯୮୦ ମସିହାରେ ଜନତା ଦଳରେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୮୫ ଓ ୧୯୯୦ ଜନତା ଦଳରେ ବିଧାୟକ ପ୍ରାର୍ଥୀ ହୋଇ ପରାଜିତ ହେବା ପରେ ୨୦୦୦ ମସିହାରେ ବିଜେଡିର ପ୍ରାର୍ଥୀ ହୋଇ କଂଗ୍ରେସର ବିଧାୟକ ପ୍ରାର୍ଥୀ ବରିଷ୍ଠ ନେତା ସ୍ୱର୍ଗତଃ ରାମଚନ୍ଦ୍ର ଉଲାକାଙ୍କୁ ପରାସ୍ତ କରି ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ । ଏହାପରେ ୨୦୦୯ ଓ ୨୦୧୪ରେ ଏଠାରେ ହ୍ୟାଟ୍ରିକ ବିଜୟ ବାନା ଉଡ଼ାଇଛନ୍ତି ଲାଲବିହାରୀ ହିମିରିକା ।

ସେହିପରି କଂଗ୍ରେସର ଆପାଲସ୍ୱାମୀ କର୍ଡାକାଙ୍କୁ ପ୍ରଥମଥର ପାଇଁ ଟିକେଟ୍ ଦେଇଛି ଦଳ । କଂଗ୍ରେସର ଏହି ପୁରୁଣା ଗଡ଼କୁ ଫେରିବା ପାଇଁ ଗୋଟି ଚାଳନା କରୁଥିବାବେଳେ ଏଥର ଦଳ ଆପାଲସ୍ୱାମୀ କାର୍ଡାକାଙ୍କ ଭରସା କରିଛନ୍ତି ହାଇକମାଣ୍ଡ । କାରଣ ରାୟଗଡ଼ା ଜିଲ୍ଲା ଆଦିବାସୀ ସଂଘ ସଭାପତି ଏବଂ ରାଜ୍ୟ କଂଗ୍ରେସ ଆଦିବାସୀ ସେଲ ସାଧାରଣ ସମ୍ପାଦକ ଭାବେ ବେଶ୍ ପତିଆରା ରଖିଛନ୍ତି ଆପାଲ ।

ସେହିପରି ରାୟଗଡା ବିଧାନସଭା ଆସନ ପାଇଁ ବିଜେପିର ଯୁବ ନେତା ବସନ୍ତ ଉଲାକାଙ୍କୁ ବାଛିଛି ବିଜେପି । ଯୁବ ନେତା ବସନ୍ତ ଉଲାକା ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା ନେଇ ଆଶାୟୀ ରହି ବିଗତ ଦିନରେ ରାୟଗଡ଼ା ଓ କାଶିପୁର ବ୍ଳକର ବିଭିନ୍ନ ମଣ୍ଡଳ ଗସ୍ତ କରି ବିଜେପିର ସାଙ୍ଗଠନିକ କର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ହେଲେ ଆଜି ମତଦାନ ଚାଲୁଥିବାବେଳେ କିଏ କାହା ଉପରେ ଭାରି ପଡ଼ିବ ତାହା ଉପରେ ସମସ୍ତଙ୍କ ନଜର ।

୨୦୧୪ର ନିର୍ବଚାନ ଫଳାଫଳ

ବିଜେଡି – ଲାଲବିହାରୀ ହିମିରିକା – ୬୯,୬୨୯ ଭୋଟ

କଂଗ୍ରେସ – ମକରନ୍ଦ ମୁଦୁଲି – ୬୧,୩୪୩ ଭୋଟ

ବିଜେପି – କାଳିରାମ ମାଝି – ୧୭,୩୫୬ ଭୋଟ