କନକ ବ୍ୟୁରୋ : ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟସେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଆଦିବାସୀ ଅଧ୍ୟୁଷିତ ଅଂଚଳବାସୀଙ୍କ ପାଇଁ ଏହା ଉପହାସ ପାଲଟିଛି । ରାୟଗଡ଼ା ଜିଲ୍ଲାର ପ୍ରତ୍ୟେକ ବ୍ଳକ ସ୍ତରରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଲିଥିବା ଡାକ୍ତରୀ ପଦବି ପୂରଣ ହେଉନଥିବା ଅଭିଯୋଗ ହୋଇଛି । କେଉଁଠି ଆବଶ୍ୟକ ଅନୁପାତରେ ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ନାହାନ୍ତି ତ ପୁଣି କେଉଁଠି ଅଭିଜ୍ଞ ଡାକ୍ତରଙ୍କ ଅଭାବ । ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତର ନାହାନ୍ତି । ବିଶେଷ କରି ନିଶ୍ଚେତକ ବିଶେଷଜ୍ଞ ଓ ଅସ୍ଥିଶଲ୍ୟ ବିଶେଷଜ୍ଞ ଦୀର୍ଘ ବର୍ଷ ଧରି ନଥିବାରୁ ନିରୀହ ଗରିବ ଆଦିବାସୀ ବିଶାଖାପାଟଣା ଯାଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚାନ୍ତ ହେବା ସହ ଠକାମିର ଶିକାର ହେଉଛନ୍ତି ।

Advertisment

ଜିଲ୍ଲାରେ ବର୍ଷ ବର୍ଷ ଧରି ଡାକ୍ତରୀ ପଦବୀ ଖାଲି ପଡିଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ କି ରାଜ୍ୟ ସରକାର କାହାରି ନିଘା ନାହିଁ । ମୁଖ୍ୟ ଚିକିିତ୍ସାଳୟ, ଗୁଣୁପୁରରେ ଥିବା ସବଡିଭିଜନ ଚିକିତ୍ସାଳୟ ବାଦ୍ ଜିଲ୍ଲାରେ ୩୪ଟି ପିଏଚସି ରହିଛି । ଏଥିପାଇଁ ସମୁଦାୟ ୪୬୩ ଜଣ ଡାକ୍ତର ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର ୧୬୨ ଜଣ ଡାକ୍ତର । ସେହିପରି ନର୍ସ ୬୦୫ ଜଣ ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର ୨୭୦ ଜଣ । ସେହିପରି ଫାର୍ମାସିଷ୍ଟ ୮୯ ଜଣ ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର ୪୬ ଜଣ । ସେହିପରି ଟେକ୍ନିସିଆନ ୩୫ ଜଣ ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର ୨୨ ଜଣ । ରେଡିଓଗ୍ରାଫରେ ୧୫ ଜଣ ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର ୩ ଜଣ । ହେଲ୍ଥ ଓାର୍କର ୩୧୯ ଜଣ ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର ୨୯୪ ଜଣ ।

ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ୫ ମହଲା ବିଶିଷ୍ଟ ହୋଇଥିବା ବେଳେ ଆବଶ୍ୟକ ସଂଖ୍ୟକ ବେଡ୍ ନଥିବାରୁ ରୋଗୀ ତଳେ ଶୋଇ ଚିକିତ୍ସା ହେଉଛନ୍ତି । ଜ୍ୱର, ଝାଡା ସହ ସାମାନ୍ୟ ରୋଗୀଙ୍କୁ ଚିକିତ୍ସା କରାଯାଉଥିବା ବେଳେ ଅନ୍ୟ ରୋଗୀଙ୍କୁ ବିଶାଖାପାଟଣା, ବ୍ରହ୍ମପୁର ଓ କଟକ ପଠାଇ ଦିଆଯାଉଛି । ଫଳରେ ରୋଗୀ ବାହାରକୁ ଯାଇ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।