କନକ ବ୍ୟୁରୋ : ଏଭଳି ଏକାଧିକ ପ୍ରଶ୍ନ ଉଠିବା ସ୍ୱାଭାବିକ୍ । କିନ୍ତୁ ଏହାରି ଭିତରେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଗାଁରେ ପହଂଚିଛି କ୍ରାଇମବ୍ରାଂଚ୍ । ଘଟଣାସ୍ଥଳକୁ ଯାଇ କ୍ରାଇମବ୍ରାଂଚ୍ ଟିମ୍ ଛାନବିନ୍ କରିଥିବା ବେଳେ ପାଖପଡ଼ୋଶୀଙ୍କୁ ପଚାରିବୁଝିଛି । ବଡ଼ କଥା ହେଉଛି ଲକ୍ଷ୍ମୀ ମାଝୀ ରହୁଥିବା ମା’ ଗୃହରେ ମଧ୍ୟ ଯାଂଚ କରାଯାଇଛି । ଡିଏସପିଙ୍କ ନେତୃତ୍ୱରେ କ୍ରାଇମବ୍ରାଂଚ୍ ଟିମ୍ ସହ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତକୁ ବ୍ୟାପକ କରିଛନ୍ତି । ସେହିପରି ଉଭୟ କୋରାପୁଟ୍ ଓ ରାୟଗଡ଼ାରୁ ଆସି ଘଟଣାର ଖୋଳତାଳ କରିଛନ୍ତି ସାଇନଟିଫିକ୍ ଟିମ୍ । କିନ୍ତୁ ଲକ୍ଷ୍ମୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏବେ ବି ରହସ୍ୟ ଲାଗି ରହିଛି ।
ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁକୁ ନେଇ ଜନ ଅସନ୍ତୋଷ ବଢ଼ୁଥିବା ବେଳେ ଆଦିବାସୀ ସଂଘ ଏବଂ ରାଜନୈତିକ ଦଳ ପ୍ରମୁଖ ରାଜରାସ୍ତାକୁ ଓହ୍ଳାଇଛନ୍ତି । ଗୁରୁବାର ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚା ତଦନ୍ତ ପ୍ରକିୟାକୁ ତ୍ୱରାନ୍ୱିତ କରିବା ସହ ଦୋଷୀଙ୍କୁ ଗିରଫ କରିବା ଦାବିରେ ୬ ଘଂଟିଆ ବନ୍ଦ ପାଳନ କରିଛି । ପୂର୍ବରୁ କାଶୀପୁର ଠାରେ ଏକ ଶୋଭାଯାତ୍ରା କରିଥିଲା ଜିଲ୍ଲା ଆଦିବାସୀ ମହାସଂଘ । ତେବେ ଲକ୍ଷ୍ମୀଙ୍କ ସମ୍ପର୍କରେ ପାଖପଡ଼ୋଶୀ ଯେଉଁ ବୟାନ ରଖୁଛନ୍ତି, ତାହା ସନ୍ଦେହକୁ ଅଧିକ ଘନିଭୁତ କରୁଛି । ପଡ଼ୋଶୀଙ୍କ କହିବା କଥା ହେଲା, ଲକ୍ଷ୍ମୀ ଜଣେ ଭଲ ଝିଅ ଥିଲେ, ତାଙ୍କ ସହ ଯାହା ଘଟିଛି ତାକୁ ଗ୍ରହଣ କରିପାରୁନାହାଁନ୍ତି ।
ଏପଟେ ନ୍ୟାୟ ପାଇଁ ସ୍ଥାନୀୟ ଅଂଚଳ ଲୋକ ଦାବି କରୁଥିବା ବେଳେ, ଲକ୍ଷ୍ମୀଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରୁଛନ୍ତି । ସାମାଜିକ ସଂଗଠନ ମଧ୍ୟ ସମାନ ଦାବି ଦୋହରାଇଛନ୍ତି ।
ଗତ ୨୧ ତାରିଖରେ ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ମା’ ଗୃହ ଭିତରେ ଯୁବତୀଙ୍କ ଦରପୋଡ଼ା ମରଶରୀର ଉଦ୍ଧାର ହୋଇଥିଲା । ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଲକ୍ଷ୍ମୀଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ମଧ୍ୟ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ ।